News 18 Odia Digital
ନୂଆଦିଲ୍ଲୀ/ ଭୁବନେଶ୍ୱର: ମୋବାଇଲ୍ ଓ କନେକ୍ଟେଡ୍ ଟିଭି ଜରିଆରେ ଜିଓ ସିନେମା (jio cinema) ଦ୍ୱାରା କରାଯାଉଥିବା ଆଇପିଏଲ୍ ମ୍ୟାଚ୍ ଗୁଡ଼ିକର ଡିଜିଟାଲ୍ ଷ୍ଟ୍ରିମିଂକୁ ଟିଭିରେ କରାଯାଉଥିବା ପ୍ରସାରଣ ତୁଳନାରେ ଦର୍ଶକମାନେ ଅଧିକ ଦେଖୁଛନ୍ତି । “ସ୍କୋର’ ରିପୋର୍ଟ (score report) ଅନୁସାରେ ଡିଜିଟାଲ୍ ଷ୍ଟ୍ରିମିଂ ୭୩ ପ୍ରତିଶତ ଆଇପିଏଲ୍ ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିଛି । ସେହି ସମୟରେ କେବୁଲ ଓ ଡିଟିଏଚ୍ ପାଖରେ ମାତ୍ର ୨୩ ପ୍ରତିଶତ ଗ୍ରାହକ ରହିଛନ୍ତି । ଆଇପିଏଲ୍ରେ ବିଜ୍ଞାପନ ପ୍ରଭାବକୁ ଜାଣିବା ଲାଗି ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ପକ୍ଷରୁ ଜାରି କରାଯାଇଥିବା “ସ୍କୋର’ ରିପୋର୍ଟରୁ ଏହା ଜଣାପଡ଼ିଛି ।
ସ୍କୋର ରିପୋର୍ଟ ଅନୁସାରେ କେବୁଲ କିମ୍ବା ଡିଟିଏଚ୍ ତୁଳନାରେ ସ୍ମାର୍ଟ ଟିଭିରେ ଆଇପିଏଲ୍ ମ୍ୟାଚ୍କୁ ଷ୍ଟ୍ରିମିଂ କରି ଦେଖୁଥିବା ଦର୍ଶକମାନଙ୍କ ସଂଖ୍ୟା ବହୁତ ଅଧିକ । କନେକ୍ଟେଡ୍ ଟିଭିରେ ୬୨ ପ୍ରତିଶତ ଏବଂ କେବୁଲ/ ଡିଟିଏଚ୍ ଟିଭିରେ ମାତ୍ର ୩୮ ପ୍ରତିଶତ ଦର୍ଶକ ଆଇପିଏଲ୍ ମ୍ୟାଚ୍ (ipl match) ଦେଖୁଛନ୍ତି । ରିପୋର୍ଟ ଅନୁସାରେ ଟିଭିର ଦର୍ଶକ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଉଛି ।
ଦର୍ଶକମାନଙ୍କ ଆଇପିଏଲ୍ ଦେଖିବା ଢାଞ୍ଚାରେ ମଧ୍ୟ ରୋଚକ ପରିବର୍ତ୍ତନ ହୋଇଛି । ରିପୋର୍ଟ ଅନୁସାରେ ୫୨% ଲୋକ ଉଭୟ ଟିଭି ଓ ମୋବାଇଲ୍ରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ପସନ୍ଦ କରୁଛନ୍ତି । ୩୦ ପ୍ରତିଶତ ଦର୍ଶକ କେବଳ ମୋବାଇଲ୍ରେ ଆଇପିଏଲ୍ ଦେଖୁଛନ୍ତି ଏବଂ ୧୮ ପ୍ରତିଶତ ଦର୍ଶକ ଏବେ କେବଳ ଟିଭି ସହ ଯୋଡ଼ି ହୋଇ ରହିଛନ୍ତି । ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଏକ ତୃତୀୟାଂଶ ଦର୍ଶକ ସିଧାସଳଖ ଜିଓ ସିନେମା ସହ ଯୋଡ଼ି ହୋଇଛନ୍ତି । ୫୦ ପ୍ରତିଶତରୁ ଅଧିକ ଦର୍ଶକ ଉଭୟ ମୋବାଇଲ୍ ଓ ଟିଭିରେ ଆଇପିଏଲ୍ର ମଜା ନେଉଛନ୍ତି ।
ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ସ୍କୋର ରିପୋର୍ଟ ପ୍ରସ୍ତୁତ କରିବା ଲାଗି ୟୁନୋମୋର ମାର୍କେଟ ରିସର୍ଚ୍ଚ ପ୍ଲାଟଫର୍ମରେ ଦୈନିକ ଡାଟା ସଂଗ୍ରହ କରାଯାଉଛି । ଆଇପିଏଲ୍ର ପ୍ରଥମ ଦୁଇ ସପ୍ତାହରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଲୁଧିଆନା ଓ ଜୟପୁରରୁ ତଥ୍ୟକୁ ସଂଗ୍ରହ କରାଯାଇଛି ।
ଏହି ଖବର ପଢ଼ନ୍ତୁ -
କର୍ଣ୍ଣାଟକରେ ଜମୁଛି ନିର୍ବାଚନୀ ପ୍ରଚାର: ହିନ୍ଦୁ କାର୍ଡ ଖେଳିଲେ ଯୋଗୀ ଆଦିତ୍ୟନାଥPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।