News 18 Odia Digital
ନୂଆଦିଲ୍ଲୀ: ଟେଲି କମ୍ୟୁନିକେସନ (telecommunication)ରେ ହେବାକୁ ଯାଉଛି ବୈପ୍ଳବିକ ପରିବର୍ତ୍ତନ । ହାଇସ୍ପିଡ୍ ୬ଜି (6g) କମ୍ୟୁନିକେସନ ସେବା ଆଡକୁ ଦ୍ରୁତ ଗତିରେ ଆଗୋଉଛି ଭାରତ । ଟାର୍ଗେଟ୍ ରହିଛି ୨୦୩୦ ସୁଦ୍ଧା ଦେଶରେ ଆରମ୍ଭ ହୋଇଯାଇଥିବ ୬ଜି ସେବା । ୫ ଜି ତୁଳନାରେ ଶହେ ଗୁଣ ଅଧିକ ସ୍ପିଡରେ ଇଣ୍ଟରନେଟ୍ (internet) ସେବା ମିଳିବା ହିଁ ୬ଜିର ବଡ଼ ବୈଶିଷ୍ଟ୍ୟ ହେବ ।
ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବାର ମାତ୍ର ଛଅ ମାସ ହୋଇଥିବା ବେଳେ ଏହାର ପରବର୍ତ୍ତୀ ପିଢ଼ି ଅର୍ଥାତ ୬ଜି ଲାଗି କାମ ଆରମ୍ଭ ହୋଇଛି । ୨୦୩୦ ସୁଦ୍ଧା ଦେଶରେ ୬ଜି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modiji) । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଜି ସେବାର ଭିଜନ ଡକ୍ୟୁମେଣ୍ଟ୍ରେ ଏହା ଉଲ୍ଲେଖ ରହିଛି । ୬ଜି ଟେଷ୍ଟ ବେଡ୍ର ଉପଯୋଗ ଏହି ପରବର୍ତ୍ତି ପିଢି ଟେଲିକମ୍ ସେବା ପାଇଁ ନୂଆ ପ୍ରଯୁକ୍ତି ପରୀକ୍ଷଣ ଏବଂ ଗବେଷଣା ଲାଗି ବ୍ୟବହାର ହେବ । ପ୍ରକଳ୍ପ ଚିହ୍ନଟ କରିବା, ପାଣ୍ଠି, ଗବେଷଣା ଓ ପ୍ରଯୁକ୍ତି ମୂତୟନ ଲାଗି ଭାରତ ୬ଜି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ଲାଗି ସରକାର ଏକ ଶୀର୍ଷ ପରିଷଦ ଗଠନ କରିଛନ୍ତି । ଏହି ପରିଷଦ ୬ଜି ଟେକ୍ନଲଜି ଗବେଷଣା, ଡିଜାଇନ ଏବଂ ବିକାଶ ନେଇ ଭାରତୀୟ ଷ୍ଟାର୍ଟଅପ, କମ୍ପାନୀ, ରିସର୍ଚ୍ଚ ସଂସ୍ଥା ଏବଂ ବିଶ୍ବବିଦ୍ୟାଳୟ ଜରିଆରେ ସମସ୍ତ ଆର୍ଥିକ ସୁବିଧା ସୁଯୋଗ ପ୍ରଦାନ କରିବ ।
୬ଜି ସମାଧାନ ଲାଗି ପ୍ରଯୁକ୍ତିଠାରୁ ଆରମ୍ଭ କରି ସମାଧାନ ପର୍ଯ୍ୟନ୍ତ ସବୁକିଛିରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହେବାକୁ ଭାରତ ଚାହୁଛି । ସେଥିପାଇଁ ଏହି ପ୍ରଯୁକ୍ତିରେ ଗବେଷଣାକୁ ବ୍ୟାପକ କରାଯାଇଛି। ଟେଲିକମ୍ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୫ଜି ସେବା ଆରମ୍ଭ କରିବାର ଛଅ ମାସ ପରେ ଆମେ ୬ଜି କଥା କହୁଛୁ । ଏଥିରୁ ଭାରତର ବିଶ୍ବାସ ସ୍ତର କ’ଣ ତାହା ଜଣାପଡ଼ୁଛି । ୪ଜି ପୂର୍ବରୁ ଭାରତ ଟେଲିକମ୍ ପ୍ରଯୁକ୍ତିକୁ କେବଳ ବ୍ୟବହାର କରୁଥିଲା । ସେଗୁଡ଼ିକୁ ବାହାରୁ ମଗାଉଥିଲା। ଏବେ କିନ୍ତୁ ଟେଲିକମ୍ ପ୍ରଯୁକ୍ତିର ଏକ ବଡ଼ ରପ୍ତାନିକାରୀ ଭାବେ ଭାରତ ଉଭା ହୋଇଛି ବୋଲି ସେ କହିଛନ୍ତି । ୬ଜିକୁ ନେଇ ଭାରତ ପାଖରେ ୧୨୬ ପାଖାପାଖି ପେଟେଣ୍ଟ୍ ଥିବା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
ବର୍ତ୍ତମାନ ଦେଶର ୧୨୫ ସହରରେ ୫ଜି ସେବା ପହଞ୍ଚି ସାରିଛି । ଦେଶର ପ୍ରାୟ ୩୫୦ ଜିଲ୍ଲାରେ ଏହି ସେବା ଉପଲବ୍ଧ ହୋଇଛି । ଦେଶରେ ୧୦୦ଟି ୫ଜି ଲ୍ୟାବ୍ ପ୍ରସ୍ତୁତ କରାଯିବ । ୨୦୧୪ ପୂର୍ବରୁ ଦେଶରେ ମାତ୍ର ୬ କୋଟି ବ୍ରଡବ୍ୟାଣ୍ଡ ୟୁଜର ଥିଲେ । ବର୍ତ୍ତମାନ ଏହା ୮୦ କୋଟିରେ ପହଁଚିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
୨୦୨୨ ଅକ୍ଟୋବରରେ ୫ଜି ସେବା ଉଦଘାଟନ କରିଥିଲେ ପିଏମ । ସେତେବେଳେ ପିଏମ୍ ସ୍ପଷ୍ଟ କରିଥିଲେ
ଆଗାମୀ ୧୦ ବର୍ଷରେ ଦେଶ ପାଇବ ୬ଜି ସେବା । ୫ଜିରେ ଇଣ୍ଟରନେଟ ସ୍ପିଡ୍ ୧୦ ଜିବିପିଏସ ରହିଥାଏ । ହେଲେ ୬ଜିରେ ଇଣ୍ଟରନେଟ୍ ସ୍ପିଡ୍ ୧ ଟିବିପିଏସ ଛୁଇଁବ । ରିମୋଟ୍ କଣ୍ଟ୍ରୋଲ କାର, ଚାଳକ ବିହୀନ ଯାନ ନିୟନ୍ତ୍ରଣ କରିବା ସହଜ ହେବ । ଦୂର ସ୍ଥାନରେ ଥିବା କମ୍ପାନୀର ପରିଚାଳନା ସହଜ ହେବ । ୬ଜି ଯୋଗାଯୋଗ ଯନ୍ତ୍ରାଂଶ ବ୍ୟାଟେରୀରେ ଚାଲିବ । ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ରୋକିବାରେ ହେବ ସହାୟକ । ଶିଳ୍ପ, ଶିକ୍ଷା ଓ ସେବା ଯୋଗାଣକାରୀ କ୍ଷେତ୍ରକୁ ଟାର୍ଗେଟ କରାଯାଇ ଏହି ବୈପ୍ଳବିକ ପରିବର୍ତ୍ତନ ଅଣାଯାଉଛି । ୨ଟି ପର୍ଯ୍ୟାୟରେ ପ୍ରୟୋଗ ହେବ ୬ଜି ସେବା । ୨୦୨୩ରୁ ୨୦୨୫ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସେବା ୨୦୨୫ରୁ ୨୦୩୦ ଦ୍ବିତୀୟ ପର୍ଯ୍ୟାୟ ସେବା ରହିବ । ଏହା କାର୍ଯ୍ୟକାରୀ ହେବା ବେଳକୁ ପୁରା ଦକ୍ଷିଣ ଏସିଆରେ ଟେଲି ଯୋଗଯୋଗରେ ଭାରତ ପାଲଟିବ ବିଶ୍ବ ଶକ୍ତି ।
ଏହି ଖବର ପଢ଼ନ୍ତୁ -
ମହିଳାଙ୍କୁ ସ୍ୱାବଲମ୍ବୀ କଲା ମିଶନ ଶକ୍ତି: ବଡ଼ି ତିଆରି କରି ମାସକୁ ୪୦ରୁ ୫୦ ହଜାର ରୋଜଗାରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।