News18 Odia Digital
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ‘‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଅନ୍ତୁ। ସେ ଜଣେ ଲୋକପ୍ରିୟ ବ୍ୟକ୍ତି, ତଥାପି ତାଙ୍କୁ ବାରଣ କରାଯାଉଛି।’’
ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ଭାରତ ସରକାରଙ୍କୁ ରାଜନୈତିକ ନିଷ୍ପତ୍ତି ନ ନେବାକୁ, କ୍ରିକେଟ୍, କ୍ରୀଡା ପାଇଁ ନିଷ୍ପତ୍ତି ନେବାକୁ ଅନୁରୋଧ କରାଯାଇଛି। ସେ ଏକ ରାଜନୈତିକ ଦଳର ସଦସ୍ୟ ନୁହଁନ୍ତି। ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କୁ ସ୍ଥାନ ଦିଆଯାଇଛି। ତାଙ୍କୁ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ପଠାଇବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି।
ମମତା ବାନାର୍ଜୀ କ’ଣ କହିଥିଲେ?ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି, ‘‘ସୌରଭ ଗାଙ୍ଗୁଲିଙ୍କୁ ଭୁଲ ଭାବେ ସଭାପତି ପଦରୁ ହଟାଇ ଦିଆଯାଇଛି। ମୁଁ ବହୁତ ଦୁଃଖିତ। ସୌରଭ ଜଣେ ଅତି ଲୋକପ୍ରିୟ ବ୍ୟକ୍ତିତ୍ୱ। ସେ ଭାରତୀୟ ଦଳର ଅଧିନାୟକ ଥିଲେ। ସେ ଦେଶକୁ ବହୁତ କିଛି ଦେଇଛନ୍ତି। ସେ କେବଳ ବଙ୍ଗଳାର ଗର୍ବ ନୁହେଁ ବରଂ ଭାରତର ଗର୍ବ। ତାଙ୍କୁ ଏହି ଉପାୟରେ ବାଦ ଦେବା ଭୁଲ।’’
ରୋଜର ବିନ୍ନି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୋର୍ଡର ମୁଖ୍ୟ ଭାବରେ ଜାରି ରଖିବାକୁ ଚାହୁଁଥିଲେ ମଧ୍ୟ ଅନ୍ୟ ସଦସ୍ୟଙ୍କ ସମର୍ଥନ ପାଇ ନ ଥିବା ଜଣାପଡ଼ିଛି। ଭାରତ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ରେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବାକୁ ଯାଉଛନ୍ତି ରୋଜର ବିନ୍ନି। ୨୦୧୯ରେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହୋଇଥିଲେ। ସେ ଆସନ୍ତା ୧୮ ତାରିଖରେ ନିଜ ପଦ ଛାଡ଼ିବାକୁ ଯାଉଛନ୍ତି।
ଗାଙ୍ଗୁଲି ସିଏବି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେବିସିସିଆଇ ସଭାପତି ପଦ ଛାଡ଼ିବା ପରେ ସେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB)ର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି। ଏହି ସମୟରେ ଆଇସିସି ଚେୟାରମ୍ୟାନଙ୍କ ପାଇଁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଆଇସିସି ଚେୟାରମ୍ୟାନଙ୍କ ନାମାଙ୍କନ ଅକ୍ଟୋବର ୨୦ରେ ଦାଖଲ ହେବ। ବିସିସିଆଇ ସଭାପତି ପଦ ଛାଡ଼ିବା ପରେ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।