ଓ୍ବାସିମ ଜାଫରଙ୍କ ଇସ୍ତଫା ପରେ ଓସିଏର ବିଦେଶୀ କୋଚ ଚୟନ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ଦେଶ ବାହାର କୋଚଙ୍କୁ ଓଡ଼ିଆ କ୍ରିକେଟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିୟୋଜିତ କରାଯାଇଛି କିନ୍ତୁ ପ୍ରତିଥର ନିରାଶା ହିଁ ହାତରେ ଲାଗିଛି । ବିଦେଶୀ କୋଚ ପ୍ରୀତି ଛାଡିବା ପାଇଁ ଓସିଏକୁ ପରାମର୍ଶ ଦେଇଛନ୍ତି କ୍ରିକେଟ ସମୀକ୍ଷକ ।

ଇସ୍ତଫା ଦେଲେ ଓ୍ବାସିମ ଜାଫର (ପ୍ରତୀକାତ୍ମକ ଛବି)

ଇସ୍ତଫା ଦେଲେ ଓ୍ବାସିମ ଜାଫର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଲକ୍ଷ୍ୟ ଥିଲା ଓଡ଼ିଶାର କ୍ରିକେଟକୁ ଏକ ଉନ୍ନତ ସୋପାନରେ ପହଁଚାଇବା ଓ ଆଇପିଏଲରେ ସ୍ଥାନ ପାଇବା ପାଇଁ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ପ୍ରତିଭାର ବିକାଶ କରିବା । କିନ୍ତୁ ଉଭୟ କ୍ଷେତ୍ରରେ ଫେଲ ମାରିଲେ ଓ ଏବେ ଓଡ଼ିଶା ଛାଡ଼ିଲେ ଓସିଏର ପୂର୍ବତନ କୋଚ ଓ୍ବାସିମ ଜାଫର।

ନିଯୁକ୍ତି ସମୟରେ ଓଡ଼ିଶାର କ୍ରିକେଟ ଖେଳାଳିଙ୍କୁ ଏହି ଭଳି ବଡ଼ ବଡ଼ ସ୍ବପ୍ନ ଦେଖାଇଥିବା ଓ୍ବାସିମ ନିଜ କାର୍ଯ୍ୟକାଳର ଅଧା ସମୟ ବାକି ଥାଇ ଓଡ଼ିଶା କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ ଓ୍ବାସିମ ଜାଫରଙ୍କ ଇସ୍ତଫା ପରେ କୋଚ ଭାବରେ ତାଙ୍କର ଗୋଟିଏ ବର୍ଷର ଉପଲବ୍ଧିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଓଡିଶା କ୍ରିକେଟକୁ ଛାଡ଼ିବା ଯେତିକି ଚିନ୍ତାଜନକ ନୁହେଁ ତାହା ଠାରୁ ଅଧିକ ଦୁର୍ଭାଗ୍ୟ ଜନକ ହେଉଛି ତାଙ୍କର ପ୍ରଶିକ୍ଷଣରେ ଓଡ଼ିଶା ଟିମର ନୈରାଶ୍ୟଜନକ ପ୍ରଦର୍ଶନ ।

ଗତବର୍ଷ ସେପ୍ଟେମ୍ବର ମାସରେ ଓ୍ବାସିମ ଜାଫରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଥିଲା ଓସିଏ । ସେ ୨୦୨୩ ପର୍ଯ୍ୟନ୍ତ କୋଚ ଭାବେ ରହିବେ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ ସହିତ ଚୁକ୍ତି କରିଥିଲେ । କିନ୍ତୁ ତାଙ୍କ ପ୍ରଶିକ୍ଷଣରେ ଗତ ରଣଜୀ ସିଜନରେ ଓଡ଼ିଶା ଦଳ ସେମି ଫାଇନାଲ ପର୍ଯ୍ୟନ୍ତ ପହଁଚି ପାରିନଥିଲା। ଆଇପିଏଲରେ ଚେନାଇ ସୁପର କିଙ୍ଗ ଟିମରେ ଓଡ଼ିଶା କ୍ରିକେଟର ଶୁଭ୍ରାଶୁଂ ସେନାପତି ସ୍ଥାନ ପାଇଥିଲେ ମଧ୍ୟ ୧୧ ଜଣିଆ ଦଳରେ ସାମିଲ ହୋଇ ପାରିନଥିଲେ ।

କେବଳ ଓ୍ବାସିମ ଜାଫର ନୁହଁନ୍ତି । ଯେବେ ଯେବେ ରାଜ୍ୟ ତଥା ଦେଶ ବାହାର କୋଚଙ୍କୁ ଓଡ଼ିଆ କ୍ରିକେଟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିୟୋଜିତ କରାଯାଇଛି କିନ୍ତୁ ପ୍ରତିଥର ନିରାଶା ହିଁ ହାତରେ ଲାଗିଛି । କାରଣ ଓ୍ବସିମ ଜାଫରଙ୍କ ପୂର୍ବରୁ  କ୍ରିକେଟର ମାଇକେଲ ବେଭାନ, ଭୋଙ୍ଗପତି ରାଜୁ, ସାବା କରିମ୍ ଭଳି କ୍ଷାତ ନାମା କ୍ରିକେଟ ଖେଳାଳିଙ୍କୁ ମୁଖ୍ୟ କୋଚ ଭାବେ ଓସିଏ ନିୟୋଜିତ କରିଥିଲା । କିନ୍ତୁ ସେମାନଙ୍କ ପ୍ରଶିକ୍ଷଣରେ ସଫଳତା ପାଇବା ତ ଦୂରର କଥା ଓଡିଶାର ଟିମ ପ୍ରଦର୍ଶନ ଅତି ନୈରାଶ୍ୟଜନକ ସ୍ତରକୁ ଚାଲିଯାଇଥିଲା । ଓଡ଼ିଆ କ୍ରିକେଟ ଖେଳାଳିଙ୍କ ଉତ୍ଥାନରେ ଏହି ବିଦେଶୀ କୋଚ ଏକ ବଡ ପ୍ରତିବନ୍ଧକ ସାଜୁଥିଲେ ମଧ୍ୟ ଓସିଏର ବିଦେଶୀ କୋଚ ପ୍ରୀତିକୁ ସମାଲୋଚନା କରାଯାଉଛି ।

"ଏଥିରେ କାହାରି ଦ୍ବିମତ ନାହିଁ ଯେ ଓ୍ବାସିମ ଜାଫର ଜଣେ ସଫଳ ବ୍ୟାଟ୍ସ ମ୍ୟାନ। କିନ୍ତୁ କୋଚ ହିସାବରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ । ଗତବର୍ଷ ତାଙ୍କ କୋଚିଂରେ ଓଡ଼ିଶା ଟିମର ପ୍ରଦର୍ଶନ ଅତି ଦୟନୀୟ ଥିଲା । ଓ୍ବାସିମ ଜାଫର ଟିମ ପାଇଁ ବିଲକୁଲ ସମୟ ଦେଇ ନାହାଁନ୍ତି । ତେଣୁ ମୋ ମତରେ ଏବେ ବିଦେଶୀ ଖେଳାଳିଙ୍କୁ କୋଚ ଭାବେ ନେବା ଅପେକ୍ଷା ବରିଷ୍ଠ ଓଡ଼ିଆ କ୍ରିକେଟ ଖେଳାଳିଙ୍କୁ କୋଚ ଭାବେ ନିୟୋଜିତ କରିବା କଥା । ପୂର୍ବରୁ ଲଳିତେନ୍ଦୁ ମହାପାତ୍ର, ଦେବାଶିଷ ମହାନ୍ତି, ମାନସ ରାୟ, ଶ୍ରୀତମ ଦାସ ଅବକାଶ ଖଟୁଆ, ରଶ୍ମିରଞ୍ଜନ ପରିଡ଼ା ଭଳି ଓଡ଼ିଆ କୋଚଙ୍କ ପ୍ରଶିକ୍ଷଣରେ ଟିମ ଭଲ ପ୍ରଦର୍ଶନ କରିଥିଲା ।  କାରଣ ଓଡ଼ିଆ ଖେଳାଳିମାନଙ୍କୁ ଓଡ଼ିଆ କୋଚ ହିଁ ଭଲ ଭାବେ ବୁଝିପାରିନ୍ତି," କହିଛନ୍ତି କ୍ରିକେଟ ସମିକ୍ଷକ ପଓ୍ବନ ଅଗ୍ରଓ୍ବାଲ ।

ଓ୍ବାସିମଙ୍କ ସ୍ଥାନରେ ପୂର୍ବତନ ରଣଜୀ ଖେଳାଳି ଆର.ଶ୍ରୀକାନ୍ତ ଓଡ଼ିଶା ରଣଜୀ ଦଳର କୋଚ ଭାବେ ମନୋନୀତ କରିଛି କ୍ରିକେଟ ଆଡଭାଇଜରୀ କମିଟି । ଆର.ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀ ପାଇଁ ବୈଷୟିକ ନିର୍ଦ୍ଦେଶକ ଭାବେରେ କାର୍ଯ୍ୟ କରୁଛନ୍ତି ।
Published by:Soumya Das
First published: