News18 Odia Digital
IPL 2023, RCB vs LSG: ଜେଣ୍ଟେଲମ୍ୟାନ ଗେମ୍ କୁହାଯାଉଥିବା କ୍ରିକେଟରେ ଅଶୋଭନୀୟ ଆଚରଣ । ମୈଦାନରେ ଦୁଇ କିମ୍ବାଦନ୍ତୀ ଭାରତୀୟ କ୍ରିକେଟର୍ଙ୍କ ମଧ୍ୟରେ ମୁହାଁମୁହିଁ । ସୋମବାର ବାଙ୍ଗାଲୋର ଓ ଲକ୍ଷ୍ନୌ ମ୍ୟାଚ ପରେ ବିରାଟ କୋହଲି(Virat Kohli) ଓ ଲକ୍ଷ୍ନୌ କୋଚ୍ ଗୌତମ ଗମ୍ଭୀର(Goutam Gambhir)ଙ୍କ ମଧ୍ୟରେ ବାକ୍ଯୁଦ୍ଧ । କେବଳ ଏତିକି ନୁହଁ ଲକ୍ଷ୍ନୌ (lucknow super giants)ର ଆଉ କିଛି ଖେଳାଳି ମଧ୍ୟ ମ୍ୟାଚ୍ ପରେ ବିରାଟଙ୍କ ପାଖକୁ ଆସି ଯୁକ୍ତତର୍କ କରୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଶତପ୍ରତିଶତ ମ୍ୟାଚ ଫି କଟିଲା ।

କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି
ଲୋ ସ୍କୋରିଂ ମ୍ୟାଚ୍ର ଦ୍ବିତୀୟ ଇନିଂସର ଆରମ୍ଭରୁ ହିଁ ଦୁଇ ଦଳ ମଧ୍ୟରେ ପରସ୍ପର ପ୍ରତି ଥିବା ଭାବର ଝଲକ୍ ଦେଖିବାକୁ ମିଳିଥିଲା । ୧୨୭ ରନ୍ର ଟାର୍ଗେଟର ପିଛା କରୁଥିବା ଲକ୍ଷ୍ନୌ ଆରମ୍ଭରୁ କିଛି ୱିକେଟ ହରାଇବା ପରେ ବିରାଟ କୋହଲିଙ୍କ ସେଲିବ୍ରେସନ ଓ ଭାବଭଙ୍ଗୀ ବୟାନ କରୁଥିଲା ଯେ ଏହା କେବଳ କ୍ରିକେଟ ପର୍ଯ୍ୟନ୍ତ ସୀମିତ ହୋଇ ରହିନି । ଏହା ଛଡ଼ା ଫିଲ୍ଡିଂ ବେଳେ ବିଭିନ୍ନ ସମୟରେ କୋହଲିଙ୍କ ଆକ୍ରମଣାତ୍ମକ ଅନ୍ଦାଜ, ଇସାରା ଓ ଲକ୍ଷ୍ନୌ ବ୍ୟାଟର୍ ନବୀନଙ୍କୁ ସ୍ଲେଜିଂ (sledging) କିଛି ଅଲଗା ସଙ୍କେତ ଦେଉଥିଲା । ଏତେ ଛୋଟ ସ୍କୋର ସତ୍ତ୍ବେ ବାଙ୍ଗାଲୋର ୧୮ ରନ୍ରେ ମ୍ୟାଚ୍ ଜିତିବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା ।
ମ୍ୟାଚ୍ ପରେ ଉଭୟ ଦଳ ପରସ୍ପର ସହ ହ୍ୟାଣ୍ଡସେକ କରିବା ବେଳେ ଗମ୍ଭୀର, କୋହଲିଙ୍କ ହାତକୁ କିଛି ସମୟ ଧରିଥିଲେ, ଯାହାକି ସ୍ବାଭାବିକ ଲାଗୁନଥିଲେ । ଏହାପରେ ନବୀନଙ୍କ ସହ କରମର୍ଦ୍ଦନ ବେଳେ କିଛି କଥା କଟାକଟି ଓ ନବୀନ କୋହଲିଙ୍କ ହାତକୁ ଠେଲି ଦେଇ ତାଙ୍କ ଆଡ଼କୁ ମାଡ଼ି ଆସିବା ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଥିଲା । ହେଲେ ଏତିକିରେ ଏହା ସରିନଥିଲା । ପରେ କୋହଲି କିଛି ବୁଝାଇବାକୁ ଗମ୍ଭୀରଙ୍କ ପାଖକୁ ଯାଇ କଥା ହେବା ବେଳେ ମଧ୍ୟ ଉଭୟ ଦଳର ଖେଲାଳି ଆସି ଦୁଇ ଜଣଙ୍କୁ ଅଲଗା କରିଥିଲେ ।

କୋହଲିଙ୍କର ଶତପ୍ରତିଶତ ମ୍ୟାଚ ଫି କଟିଛି
ଏହି ଘଟଣାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଶତ ପ୍ରତିଶତ ମ୍ୟାଚ୍ ଫି କଟିଥିବା ବେଳେ ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନାହିଁ । ୨୦୧୩ରୁ KKR ଓ RCB ମ୍ୟାଚରୁ ମୈଦାନରେ ଏହି ଦୁଇ ଖେଳାଳିଙ୍କ ଶତ୍ରୁତା (Rivalry) ଆରମ୍ଭ ହୋଇଥିଲା । IPL 2023ରେ ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ରେ ବାଙ୍ଗାଲୋରକୁ ହରାଇବା ପରେ ଚିଡ଼ାଇବା ପରି ଲକ୍ଷ୍ନୌ ଟିମ୍ର ସେଲିବ୍ରେସନ ଓ ଡଗ୍ ଆଉଟରେ ଗମ୍ଭୀର ଓ ସପୋର୍ଟ ଷ୍ଟାଫ୍ଙ୍କ ଅଙ୍ଗଭଙ୍ଗୀକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଆଉ ସୋମବାର ମ୍ୟାଚ୍ରେ ଏହାର ପ୍ରତିଫଲନ ଦେଖିବାକୁ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।