ବାରବାଟୀ ଟି ୨୦ ପାଇଁ କାଲିରୁ ହେବ ଟିକେଟ ବିକ୍ରି; ୯ରୁ ଟିକେଟ ପାଇବେ ସଧାରଣ ଲୋକ

ବାରବାଟୀ ଟି 20 ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟିକେଟ ବିକ୍ରି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଏହି ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ ।

କାମରେ ଲାଗିଛନ୍ତି ଗ୍ରାଉଣ୍ଡ ଷ୍ଟାଫ

କାମରେ ଲାଗିଛନ୍ତି ଗ୍ରାଉଣ୍ଡ ଷ୍ଟାଫ

  • Share this:
News18 Odia Digital

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ମଧ୍ୟରେ ହେବାକୁ ଥିବା ଟି-20 ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାରି ଭିତରେ ବାରବାଟୀ ଟି 20 ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟିକେଟ ବିକ୍ରି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଏହି ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରିର କାର୍ଯ୍ୟ କ୍ରମ ରହିଥିବା ବେଳେ  8 ହଜାର ଟିକେଟ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ଆସନ୍ତା ୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ ପରିସରରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି କରିବା ପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ କରିଛି ଓସିଏ ।

ବାରବାଟୀ ଷ୍ଟାଡିୟମରେ ମୋଟ ୪୪୨୩୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ସେଥିମଧ୍ୟରୁ ୨୯ ହଜାର ୧୫୪ଟି ଟିକେଟ ବିକ୍ରି କରାଯିବ। ବିକ୍ରି ପାଇଁ ଥିବା ୨୯ ହଜାର ୧୫୪ ଟି ଟିକେଟ ମଧ୍ୟରୁ ଓ ଅନଲାଇନ ପାଇଁ ୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ବେଳେ ଓସିଏ ସହିତ ଅନୁବନ୍ଧିତ ସଂଗଠନଗୁଡ଼ିକୁ ୮ ହଜାର ଟିକେଟ ବିକ୍ରି କରାଯିବ । ତେଣୁ ସର୍ବଧାରଣଙ୍କ ପାଇଁ ୧୬୫୪୫ଟି ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ଆସିବ ।

ସେପଟେ ମ୍ୟାଚକୁ ଆଉ ୫ ଦିନ ସମୟ ବାକିଥିବା ବେଳେ ପିଚ ସହ ଗ୍ରାଉଣ୍ଡ ପ୍ରସ୍ତୁତି କାର୍ଯ୍ୟକୁ ଚୂଡ଼ାନ୍ତ କରିଛି ଓସିଏ । ବିଶେଷ କରି ୧୨ ତାରିଖ ସୁଦ୍ଧା ମୌସୁମି ଓଡ଼ିଶାରେ ପ୍ରବେଶ କରିବାର ପୂର୍ବାନୁମାନ ଥିବାରୁ ବର୍ଷାକୁ ଦେଖି ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଓସିଏ ।

ତେବେ ଏହି ଚାଲେଞ୍ଚକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମରେ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମକୁ ଖେଳାଯାଇ ଏହାକୁ ସ୍ୟାଣ୍ଡ ବେଷ୍ଟ କରାଯିବା, ପଡ଼ିଆରୁ ପାଣି ସୁଖାଇବା ପାଇଁ ଅଷ୍ଟ୍ରେଲିୟାନ ସୁପର ସକର ଓ ପୁରା ପଡ଼ିଆକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଇଲଣ୍ଡ ନିର୍ମିତ ହୋଲ ଗ୍ରାଉଣ୍ଡ କଭର କ୍ରୟ କରି ପଡ଼ିଆର ସୁରକ୍ଷାକୁ ନିଶ୍ଚିତ କରିଛି ଓସିଏ ।

"ପିଚରୁ ଗ୍ରାସ କଟିଂ କାର୍ଯ୍ୟ ଶେଷ ହୋଇଛି । ଏବେ ନେଟ୍ସ ପିଚରୁ ଶୁଖିଲା ଘାସ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି । ବାକି ରହିଲା ବର୍ଷା କଥା । ପ୍ରକୃତି ଉପରେ ତ କାହାର ନିୟନ୍ତ୍ରଣ ନାହିଁ । କିନ୍ତୁ ବର୍ଷା ଛାଡ଼ିବାର ଅଧଘଣ୍ଟା ମଧ୍ୟରେ କେମିତି ମ୍ୟାଚ ଆରମ୍ଭ ହୋଇ ପାରିବ, ସେଥିପାଇଁ ଆମେ ସମସ୍ତ ବ୍ୟବସ୍ଥା କରିଛୁ," କହିଛନ୍ତି ବାରବାଟୀ ଷ୍ଟାଡିୟମର ମୁଖ୍ୟ ପିଚ କ୍ୟୁରେଟର ପଙ୍କଜ ପଟ୍ଟନାୟକ ।
Published by:Soumya Das
First published: