ବୃଦ୍ଧି ପାଇଲା ଟି-20 ମ୍ୟାଚର ବୃଦ୍ଧି ଟିକେଟ ଦର (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ଖସଡ଼ାକୁ ଚୁଡ଼ାନ୍ତ କରି ସାରିଛି ଓସିଏ । ଏହାରି ଭିତରେ ମ୍ୟାଚ ପାଇଁ ଟିକେଟ ବିକ୍ରି ଓ ଏହାର ଦର ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ତେବେ ପୂର୍ବ ମ୍ୟାଚ ଗୁଡ଼ିକ ଅପେକ୍ଷା ଏହି ମ୍ୟାଚରେ ଟିକେଟ ଦର ବୃଦ୍ଧି ଘଟିଛି ।
ଚଳିତ ଥର ସମ୍ପୂର୍ଣ୍ଣ କ୍ଷମତା ସହ ପାଖାପାଖି ୨୨ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ। ହେଲେ ଏଥରେ ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି । ଗ୍ୟାଲେରୀ ନମ୍ବର ୧,୩ ଓ ୩ ପାଇଁ ଟିକେଟ ଦର ୯୦୦ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ଟିକେଟ ଦର ୭୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ଗ୍ୟାଲେରୀ ନମ୍ବର ୭ ର ଟିକେଟ ଦର ୬୦୦ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦିଷ୍ଟ ଥିବା ଗ୍ୟାଲେରୀ ନମ୍ବର ୬ ର ଟିକେଟ ଦର ୩୦୦ ଟଙ୍କା , ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, AC ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି।
ଜଣେ ବ୍ୟକ୍ତିଙ୍କୁ ଅତି ବେଶୀରେ ଦୁଇଟି ଟିକେଟ ବିକ୍ରିର ବ୍ୟବସ୍ଥା ହୋଇଛି । ତେବେ ବାରବାଟୀ ଷ୍ଟାଡ଼ିୟମରେ ପାଖାପାଖି ଅଢେଇ ବର୍ଷ ପରେ ଆନ୍ତଯାତିୟ କ୍ରିକେଟ ମ୍ୟାଚ ହେଉଥିବାରୁ ଏହାକୁ ଦେଖିବା ପାଇଁ ଟିକେଟ ଦରରେ ହୋଇଥିବା ବୃଦ୍ଧି ପ୍ରତିବନ୍ଧକ ସାଜିବ ନାହିଁ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ ।
"ଅଢେଇ ବର୍ଷ ପରେ ବାରବାଟୀକୁ କ୍ରିକେଟ ଫେରିଛି । ସେଇଟା ଆମ ପାଇଁ ବଡ଼ କଥା । ବାକି ରହିଲା ଟିକେଟ ଦର ବଢିବା କଥା । ଟିକେଟ ଦର ଯେତିକି ବୃଦ୍ଧି ପାଇଛି ତାହା ମୋ ଭଳି କ୍ରିକେଟ ଫ୍ୟାନମାନଙ୍କ ଉପରେ କୌଣସି ଫରକ ପକାଇବ ନାହିଁ । କେଇଶହ ଟଙ୍କା ବଦଳରେ ଷ୍ଟାଡିୟମରେ ବସି ମ୍ୟାଚ ଉପଭୋଗ ସହିତ ତୁଳନା କରାଯାଇପାରିବ ନାହିଁ,"କହିଛନ୍ତି କଟକ ବାସିନ୍ଦା ରାହୁଲ ବାଜୋଡିଆ
ବାରବାଟୀ ଷ୍ଟାଡିୟମର ୪୪୩୨୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ସେଥିମଧ୍ୟରୁ ୨୯୧୫୪ ଟି ବିକ୍ରି କରାଯିବ । ସେଥିମଧ୍ୟରୁ ୨୧୧୫୪ ଟିକେଟ ସାଧାରଣ ଦର୍ଶକମାନଙ୍କୁ ବିକ୍ରି କରାଯିବାକୁ ଥିବା ବେଳେ ବାକି ଟିକେଟ ଗୁଡ଼ିକୁ ଟିକେଟ ଓସିଏ ଓ ବିସିଆସିଇର ସଦସ୍ୟ ତଥା ଏହି ଦୁଇ ସଙ୍ଗଠନ ସହିତ ଅନୁବନ୍ଧିତ ସଂଘଗୁଡ଼ିକୁ ବିକ୍ରି କରାଯିବ । ଆସନ୍ତା ଜୁନ ୧ ରୁ ଅନଲାଇନରେ ଟିକେଟ ଉପଲବ୍ଧ ହେବା ସହ ୯ ଓ ୧୦ ତାରିଖରେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଁଟରରୁ ଅଫଲାଇନରେ ଟିକେଟ ବିକ୍ରି କରାଯିବ । ଅନଲାଇନରେ ୫ ହାଜର ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ଏହା କେବଳ ପେ-ଟିଏମ ଜରିଆରେ ହିଁ କିଣି ହେବ । ଅନ ଲାଇନରେ ଟିକେଟ ବୁକିଂ କରିଥିବା ଦର୍ଶକମାନଙ୍କୁ ଟିକେଟ ପ୍ରଦାନ ପାଇଁ କଟକ ଓ ଭୁବନେଶ୍ବରରେ ଦୁଇଟି ଲେଖାଁଏ ଟିକେଟ କାଉଣ୍ଟର କରାଯିବ ବୋଲି ସୂଚନା ଦେଇଛି ଓସିଏ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।