IPL : ୧୬ ବର୍ଷରେ ଆଇପିଏଲ୍‌ର ଯାତ୍ରା; କାହାଣୀ ସାତ କ୍ରିକେଟରଙ୍କର

IPL : ୧୬ ବର୍ଷରେ ଆଇପିଏଲ୍‌ର ଯାତ୍ରା; କାହାଣୀ ସାତ କ୍ରିକେଟରଙ୍କର

IPL : ୧୬ ବର୍ଷରେ ଆଇପିଏଲ୍‌ର ଯାତ୍ରା; କାହାଣୀ ସାତ କ୍ରିକେଟରଙ୍କର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

 IPL : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଟାଟା ଆଇପିଏଲ ବୋଲି କ୍ରିକେଟର ଯେଉଁ ଫର୍ମାଟକୁ ଆମେ ଆଜି ଦେଖୁଛୁ,ଠିକ୍ 15 ବର୍ଷ ତଳେ ଏହାର ଜନ୍ମ ହୋଇଥିଲା, ଭାରତରେ । 2008 ମସିହା ଅପ୍ରେଲ 18 ତାରିଖରେ ଭାରତର ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିଲା ପ୍ରଥମ ଆଇପିଏଲ ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚକୁ 140 ରନରେ ଜିତିଥିଲା କୋଲକାତା ନାଇଟ୍ ରାଇଡର୍ସ । ସୌରଭ ଗାଙ୍ଗୁଲିଙ୍କ କପ୍ତାନୀରେ କୋଲକାତା ପ୍ରଥମେ ବ୍ୟାଟିଂ କରି 223 ରନର ବିଶାଳ ସ୍କୋର କରିଥିଲା । ବ୍ରେଣ୍ଡନ ମ୍ୟାକୁଲମ୍ 73 ବଲରୁ 13 ଛକା ଓ 10 ଚୌକା ବଳରେ 158ରନର ଅପରାଜିତ ଇନିଂସ ଖେଳି ଇତିହାସ ରଚିଥିଲେ । ରାହୁଲ ଦ୍ରାବିଡଙ୍କ କପ୍ତାନୀରେ ଖେଳୁଥିବା ବେଙ୍ଗାଲୁରୁ ସେତେବେଳେ ମାତ୍ର 82 ରନରେ ଅଲଆଉଟ୍ ହୋଇଯାଇଥିଲା । ଆସନ୍ତୁ ଏହି 15 ବର୍ଷର ଯାତ୍ରାର କିଛି ସ୍ମୃତି ସାଉଁଟିବା । ସେତେବେଳେ ଆଇପିଏଲରେ ପଦାର୍ପଣ କରିଥିବା କିଛି ଖେଳାଳି ଏବେ ବି ଖେଳୁଛନ୍ତି । 15 ବର୍ଷରେ ବୟସ ବଢିଛି, ହେଲେ ଖେଳ ଫିକା ପଡିନି । ଛକା, ଚୌକାରେ ଏବେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଏମାନେ ।

ବିରାଟ୍‌ କୋହଲି : ଆରସିବି
ସେତେବେଳେ 19 ବର୍ଷରୁ କମ୍ କ୍ରିକେଟ ବିଶ୍ବକପରେ ଭାରତକୁ ଚାମ୍ପିଅନ କରାଇଥିବା ବିରାଟ କୋହଲି, ଭାରତୀୟ କ୍ରିକେଟରେ ସ୍ଥାନ ଖୋଜୁଥିଲେ । ରାହୁଲ ଦ୍ରାବିଡଙ୍କ ଅଧିନରେ ବିରାଟ ସାମିଲ ହୋଇଥିଲେ ଆରସିବିରେ । ସେତେବେଳେ ଜର୍ସି ଥିଲା ଗାଢ୍ କମଳା । ନବାଗତ ଯୁବ କ୍ରିକେଟରଙ୍କ ଯାତ୍ରା କେତେ ଲମ୍ବା ଯିବ କେହି ବି ଜାଣିନଥିଲେ । 15 ବର୍ଷ ଭିତରେ ବହୁତ କିଛି ବଦଳିଛି । ହେଲେ ଅପରିବର୍ତ୍ତିତ ରହିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ବିରାଟଙ୍କ ଭୂମିକା । ବାଙ୍ଗାଲୋରର କ୍ୟାପଟେନ ପଦରୁ ଆରମ୍ଭ କରି ଦଳର ପ୍ରମୁଖ ଖେଳାଳି ବନିଛନ୍ତି ବିରାଟ । ଖୁସିର କଥା 15 ବର୍ଷ ଧରି ବିରାଟଙ୍କ ବ୍ୟାଟ୍ ଚାଲିଛି, ଦର୍ଶକ ତାଙ୍କୁ ଦେଇଛନ୍ତି ରନ୍ ମେସିନର ନାଁ । ତାଙ୍କର ବ୍ୟାଟ୍ ଚାଲିଲେ ପଡିଆରେ କୌଣସି ଟାର୍ଗେଟ୍ ଛୋଟ ପଡିଯାଏ । ଦୁଃଖ କେବଳ ଏତିକି ଏ ଦୁର୍ଦ୍ଦଶ ଖେଳାଳି ନିଜ ଫ୍ରାଞ୍ଚାଇଜିକୁ କିନ୍ତୁ ଟାଇଟଲ୍ ଜିତାଇବାରେ ସଫଳ ହୋଇନାହାନ୍ତି ।

ଏମ୍ଏ‌ସ୍‌ ଧୋନି : ଚେନ୍ନାଇ ସୁପରକିଙ୍ଗସ୍‌
2008 ମସିହାରୁ ଧୋନୀଙ୍କ ଆଇପିଏଲ ଯାତ୍ରା ଆରମ୍ଭ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସରୁ । 2007 ଟି 20 ବିଶ୍ବକପରେ ଭାରତକୁ ଟାଇଟଲ୍ ଜିତାଇଥିବା ଧୋନୀ ହଳଦିଆ ଜର୍ସିରେ ପଡିଆକୁ ଓହ୍ଲାଇଥିଲେ । ସେହି ଲମ୍ବା ଲମ୍ବା ଛକା, ଦର୍ଶନୀୟ ଚୌକାରେ ମନ ଜିଣିଥିଲେ । 15 ବର୍ଷ ମଧ୍ୟରେ ଧୋନୀ ଆଇପିଏଲରେ ଦୁଇଟି ଦଳରୁ ଖେଳିଛନ୍ତି । ଚେନ୍ନାଇ ସୁପରକିଙ୍ଗସ୍‌, ରାଇଜିଂ ପୁଣେ ସୁପରଜିଆଣ୍ଟସ । ଏହି ସମୟ ମଧ୍ୟରେ ଚେନ୍ନାଇକୁ ଚାରି ଥର ଚାମ୍ପିଅନ କରାଇଛନ୍ତି । 2010, 2011, 2018 ଏବଂ 2021ରେ ଟାଇଟଲ ଜିତାଇଥିବା ଧୋନୀ ଏଥର ପୁଣି ଓହ୍ଲାଇଛନ୍ତି ପଡିଆକୁ । 40 ପାର ହୋଇଥିବା ଧୋନୀ କିନ୍ତୁ ପଡିଆରେ ସେହି ଫିଟ୍ କ୍ରିକେଟର ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି ।



ରୋହିତ ଶର୍ମା : ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲରେ ରୋହିତ ଶର୍ମାଙ୍କ କ୍ରେଜ 15 ବର୍ଷ ପରେ ବି ଥମିନି । ଡାହାଣ ହାତୀ ବ୍ୟାଟର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଜଣେ ସଫଳ କ୍ରିକେଟର । କେବଳ ମୁମ୍ବାଇକୁ 5 ଥର ଟାଇଟଲ ଦେଇଛନ୍ତି ରୋହିତ । 2009 ମସିହାରେ ଡେକାନ ଚାର୍ଜସକୁ ବି ଟାଇଟଲ ଦେଇଥିଲେ ରୋହିତ । ରୋହିତ ଶର୍ମା କହିଲେ ମୁମ୍ବାଇର ନୀଳ ଜର୍ସି ହିଁ ଅନେକ ମନେ ପକାନ୍ତି । 15 ବର୍ଷ ପରେ ବି ମିଡି ଓ୍ବିକେଟ ଉପରେ ଲମ୍ବା ଲମ୍ବା ଛକା, ପୁଲ୍ ହୁକ୍ ମାରୁଥିବା ଏ ଖେଳାଳି ସେହି ଫୁର୍ତ୍ତି ଓ ସ୍ପିଡ୍ ଦେଖାଇ ଆସୁଛନ୍ତି ବ୍ୟାଟିଂରେ । ସମୟ ବଦଳିଛି ହେଲେ ଏ ଖେଳାଳିଙ୍କ ଖେଳରେ ଫରକ ଆସିନି ।



ଦୀନେଶ କାର୍ତ୍ତିକ : ଆରସିବି
ଭାରତୀୟ କ୍ରିକେଟରେ ବୋଧହୁଏ ସର୍ଟ ଫର୍ମାଟରେ ସବୁଠାରୁ ଅଧିକ ଦିନ ଖେଳ ଜାରି ରଖିଥିବା ଖେଳାଳି ହେଉଛନ୍ତି ଦୀନେଶ କାର୍ତ୍ତିକ । କାରଣ ଭାରତ 2007 ମସିହାରେ ଯେଉଁ ଟି 20 ବିଶ୍ବକପ୍ ଜିତିଥିଲା ସେହି ଦଳର ସଦସ୍ୟ ଥିଲେ କାର୍ତ୍ତିକ । ଏବେ 2023ରେ ଆରସିବିରୁ ବି ଖେଳ ଜାରି ରଖିଛନ୍ତି । 2008 ମସିହାରୁ ଦିନେଶ କାର୍ତ୍ତିକଙ୍କ ଯାତ୍ରା ଆରମ୍ଭ ହୋଇଥିଲା ଦିଲ୍ଲୀ କ୍ୟାପିଟାଲସରୁ । ଏହି 15 ବର୍ଷ ମଧ୍ୟରେ କାର୍ତ୍ତିକ 6ଟି ଫ୍ରାଞ୍ଚାଇଜିରୁ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲସ୍‌, ପଞ୍ଜାବ କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, ଆରସିବି, ଗୁଜରାଟ ଲାୟନ୍ସ, କୋଲକାତା । ଚଳିତ ସିଜିନରେ କାର୍ତ୍ତିକ ଆପଣଙ୍କୁ ଆରସିବି ଜର୍ସିରେ ନଜର ଆସିବେ । ତାଙ୍କ ସମସାମୟିକ ଖେଳାଳି କ୍ରିକେଟରୁ ରିଟାୟାର ହୋଇ ଅନ୍ୟ ବୃତ୍ତିକୁ ଧରିଲେଣି । ହେଲେ ଦୀନେଶ ସେମିତି ଯୁବ ସୁଲଭରେ ଜାରି ରଖିଛନ୍ତି ଖେଳ ।



ଶିଖର ଧାଓ୍ବନ : ପଞ୍ଜାବ କିଙ୍ଗସ୍‌
ଭାରତୀୟ କ୍ରିକେଟରେ ଗବର ବୋଲି ପରିଚିତ ଏ ଖେଳାଳି ଆଇପିଏଲରେ 15 ବର୍ଷର ଲମ୍ବ ଯାତ୍ରାର ଯାତ୍ରୀ । ଏବେ ପଞ୍ଜାବ କିଙ୍ଗସରୁ ଛକା, ଚୌକାର ବର୍ଷା କରି ରନର ପାହାଡ ଠିଆ କରୁଛନ୍ତି । ଭାରତୀୟ କ୍ରିକେଟର ଦୁର୍ଦ୍ଦଶ ଓପନର 15 ବର୍ଷ ମଧ୍ୟରେ ମୋଟ୍ 5ଟି ଆଇପିଏଲ ଦଳରୁ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲସ୍‌,ମୁମ୍ବାଇ ଇଣ୍ଡିଆନ୍ସ, ଡେକାନ ଚାର୍ଜସ ହାଇଦ୍ରାବାଦ, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ । ଆଇପିଏଲ ଇତିହାସରେ ଏ ଖେଳାଳିଙ୍କୁ ସର୍ଟ ଫର୍ମାଟର ସଫଳ କ୍ରିକେଟର ଭାବେ ସବୁଦିନ ସ୍ଥାନ ଦିଆଯିବ, ଏଥିରେ ସନ୍ଦେହ ନାହିଁ ।



ମନୀଷ ପାଣ୍ଡେ : ଦିଲ୍ଲୀ କ୍ୟାପିଟାଲସ୍‌
ଆଇପିଏଲର ଲମ୍ବା 15 ବର୍ଷ ମଧ୍ୟରେ ଏବେ ବି ଖେଳ ଜାରି ରଖିଥିବା କ୍ରିକେଟରଙ୍କ ମଧ୍ୟରେ ମନୀଷ ପାଣ୍ଡେ ଅନ୍ୟତମ । 2023 ସିଜିନରେ ମନୀଷ ପାଣ୍ଡେ ଦିଲ୍ଲୀ କ୍ୟାପିଟାଲସ ସହ ଅନୁବନ୍ଧିତ ହୋଇଛନ୍ତି । ଏବେ ବି ଏ କ୍ରିକେଟରଙ୍କ ଠାରେ ଅନେକ ଖେଳ ବାକି ରହିବା ପରି ଲାଗୁଛି । ଏ ଯାତ୍ରାରେ ମନିଷ ପାଣ୍ଡେ ମୁମ୍ବାଇ ଇଣ୍ଡିଆନ୍ସ, ବାଙ୍ଗାଲୋର, ପୁଣେ ଓ୍ବାରିୟର୍ସ, କେକେଆର, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପର ଜିଆଣ୍ଟସ, ଦିଲ୍ଲୀ କ୍ୟାପିଟାଲସ ଫ୍ୟାନସଙ୍କ ମନ ଜିଣିଛନ୍ତି ।



ରିଦ୍ଧିମାନ ଶାହ : ଗୁଜରାଟ୍‌ ଜିଆଣ୍ଟସ୍‌
ପଶ୍ଚିମବଙ୍ଗର ଏ କ୍ରିକେଟର ହେଉଛନ୍ତି ରିଦ୍ଧିମାନ ଶାହା । ଓ୍ବିକଟ କିପର ବ୍ୟାଟର ରିଦ୍ଧିମାନ 2008 ମସିହାରୁ କେକେଆରରୁ ଆରମ୍ଭ କରିଥିଲେ ଆଇପିଏଲ କ୍ୟାରିୟର । 15 ବର୍ଷ ମଧ୍ୟରେ କେକେଆର, ଚେନ୍ନାଇ, ପଞ୍ଜାବ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଦେଇ 2023ରେ ଗୁଜରାଟ ଜିଆଣ୍ଟସରେ ପହଞ୍ଚିଛନ୍ତି । ପୁରୁଖା ଭାରତୀୟ କ୍ରିକେଟର ସର୍ଟ ଫର୍ମାଟର ଭୟଙ୍କର ଦୁର୍ଦ୍ଦଶ ଓପନର । ଏବେ ବି ତାଙ୍କ କ୍ରିଜରେ ଉପସ୍ଥିତି ଦର୍ଶକଙ୍କୁ ଅନେକ ମନୋରଞ୍ଜନ ଯୋଗାଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟାନସର ମୁଖ୍ୟ ଅଙ୍ଗ ପାଲଟିଛନ୍ତି ରିଦ୍ଧିମାନ ଶାହା ।



( ଅଶ୍ବିନୀ କୁମାର ସାହୁ, ନ୍ୟୁଜ 18 ଓଡ଼ିଆ )
Published by:Sujit Swain
First published: