ଜୁନ ୧୨ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ; ବଢ଼ିବ ଟିକେଟ ଦର

ଜୁନ ୧୨ ତାରିଖରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ମ୍ୟାଚ ଲାଗି ଧାର୍ଯ୍ୟ ହେବାକୁ ଥିବା ଟିକେଟ ଦର ବୃଦ୍ଧି ହେବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

ଜୁନ ୧୨ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ଅନୁଷ୍ଠିତ ହେବ (ପ୍ରତୀକାତ୍ମକ ଛବି)

ଜୁନ ୧୨ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ଅନୁଷ୍ଠିତ ହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଆସନ୍ତା ଜୁନ ୧୨ ତାରିଖରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ଏହି ମ୍ୟାଚକୁ ଆଉ ମାତ୍ର ଗୋଟିଏ ମାସ ସମୟ ହାତରେ ଥିବା ବେଳେ ମ୍ୟାଚର ଯଥେଷ୍ଟ ପୂର୍ବରୁ ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଆୟୋଜନକୁ ଚୂଡ଼ାନ୍ତ ରୂପ ଦେବା ଆରମ୍ଭ କରିଛି ଓସିଏ। ଏନେଇ ରବିବାର ଦିନ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡ଼ାକିଥିଲା ଓସିଏ।

ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି । ବିଶେଷ କୋଭିଡ଼ ସ୍ଥିତିରେ ସୁଧାର ଆସିଥିବାରୁ ଜୁନ ୧୧ ତାରିଖ ଟି-20 ମ୍ୟାଚକୁ ଦର୍ଶକ ଯୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଛି ଓସିଏ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଟିକେଟ ଛପା ଓ ବିକ୍ରି ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ । ପୂର୍ବରୁ ମରାମତି ଯୋଗୁଁ ବନ୍ଦ ରହିଥିବା ୭ ନଂମ୍ବର ଗ୍ୟାଲେରୀର ମରାମତି କାର୍ଯ୍ୟକୁ ଖୁବ କମ ଦିନ ମଧ୍ୟରେ ଶେଷ କରାଯିବ । ଫଳରେ ଷ୍ଟାଡ଼ିୟମର ଦର୍ଶକଙ୍କ ସଂଖ୍ୟା ୪୪ ହଜାର ୪୦୦ରେ ପହଞ୍ଚିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ଏହି ବୈଠକ ଅବସରରେ ମ୍ୟାଚ ଲାଗି ଧାର୍ଯ୍ୟ ହେବାକୁ ଥିବା ଟିକେଟ ଦର ବୃଦ୍ଧି ହେବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

"ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ଦେବା ଲାଗି ଆମେ ରାଜ୍ୟ ସରକାରଙ୍କୁ ନିବେଦନ କରିଛୁ। ଆଶା କରୁଛୁ କି ରାଜ୍ୟ ସରକାରଙ୍କ ଅନୁମତି ମିଳିବ। ସରକାରଙ୍କ ଅନୁମତି ମିଳିବା ପରେ ଆମେ ଟିକେଟ ବିକ୍ରି ବାବଦରେ କିଛି ନିଷ୍ପତି ନେବୁ। ଟିକେଟ ଦର ତ ବୃଦ୍ଧି ହେବ କିନ୍ତୁ କେତେ ପ୍ରତିଶତ ବୃଦ୍ଧି ହେବ ସେହି ନିଷ୍ପତ୍ତି ପରବର୍ତ୍ତି ସମୟରେ ଗ୍ରହଣ କରାଯିବ," କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସେପଟେ ମ୍ୟାଚ ଲାଗି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମର ଓଡ଼ିଶା ଆସିବା ଓ ରହଣୀ ନେଇ ମଧ୍ୟ ସୂଚନା ଦେଇଛି ଓସିଏ । ଉଭୟ ଦେଶ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜ ଆୟୋଜିତ ହେଉଥିବା ବେଳେ ଜୁନ ୧୨ ସଂନ୍ଧ୍ୟା ୭ଟା ୩୦ ମିନିଟରେ ଉଭୟ ଦଳ ବାରବାଟୀରେ ସିରିଜର ଦ୍ବିତୀୟ ମ୍ୟାଚ ଖେଳିବେ ।
Published by:Soumya Das
First published: