News18 Odia Digital
ଭୁବନେଶ୍ୱର: ସ୍ପୋର୍ଟି ଲୁକ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳା ଧଳା ଟ୍ରାକ୍ ପ୍ୟାଣ୍ଟ ସାଙ୍ଗକୁ ଟି ସାର୍ଟ । କଳିଙ୍ଗ ଷ୍ଟାଡିଅମରେ ସ୍ପୋର୍ଟସ ଲୁକ୍ରେ ଦେଖାଦେଲେ ମୁଖ୍ୟମନ୍ତ୍ରୀ । ଅବସର ଥଲା ଓଡ଼ିଶା ମହିଳା ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡ଼ିୟମରେ ପ୍ରବେଶ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ 5T ସଚିବ ଭିକେ ପଣ୍ଡିଆନ ଉପସ୍ଥିତ ଥିଲେ।
ମ୍ୟାଚ୍ ଦେଖିବା ସହ 5T କାର୍ଯ୍ୟକ୍ରମ ଅଧୀନରେ କଳିଙ୍ଗ ଷ୍ଟାଡିଅମ୍ କମ୍ପେପ୍ଲେକ୍ସରେ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ଓ ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ ମୁଖ୍ୟ ମନ୍ତ୍ରୀ। ଏହା ସହ ୧୨୦ କୋଟି ଟଙ୍କା ବ୍ୟୟରେ ହେଉଥିବା ଦେଶର ଏହି ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ କାମ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଖେଳାଳୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ଯମନ୍ତ୍ରୀ
ଷ୍ଟାଡିଅମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି।
ଷ୍ଟାଡିୟମର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ," କ୍ରୀଡ଼ାବିତମାନଙ୍କ ପାଇଁ ଏହି ଇନ୍ଡୋର ସୁବିଧା ଦେଶରେ କ୍ରୀଡ଼ାର ବିକାଶକୁ ତ୍ବରାନ୍ବିତ କରିବ । ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚାମ୍ପିଅନ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ"।

ପ୍ରକଳ୍ପର ସମୀକ୍ଷା କରୁଛନ୍ତି ମୁଖ୍ଯମନ୍ତ୍ରୀ
କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜ୍ୟରେ ଗୁଜବ ଉଠିଥିଲା । ଏହି ଗୁଜବକୁ ମୁଖ୍ୟମନ୍ତ୍ରୀ ହସି ହସି ଉଡ଼ାଇ ଦେଇଥିଲେ । ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସହ କଥା ହୋଇ ନିଜ ସ୍ବାସ୍ଥ୍ୟକୁ ନେଇ ଉଠିଥିବା ଗୁଜବର ଜବାବ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଏଭଳି ଗୁଜବ ପ୍ରଥମ ଥର ନଥିଲା । ଗତ ଜାନୁଆରି ମାସରେ ମଧ୍ୟ ଏଭଳି ଗୁଜବ କିଛି ପ୍ରଚାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବା ପରେ ଗୁଜବ ଉଭାନ ହୋଇଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।