News18 Odia Digital
ICC test ranking: ଭାରତୀୟ କ୍ରିକେଟ ଟିମ୍ର କମାଲ। ଦିନିକିଆ (ODI), ଟି-୨୦ (T-20) ପରେ କ୍ରିକେଟର ବେଷ୍ଟ ଫର୍ମାଟ ଟେଷ୍ଟରେ ବି ଟପ୍ ଟିମ୍ ହୋଇଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସ ବିଜୟ ସହ ୧୧୫ ରେଟିଂ ପଏଣ୍ଟ ହାସଲ କରି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ତିନି ଫର୍ମାଟ୍ରେ ଆଧିପତ୍ୟ ଜାହିର କରିଛି।
୨୦୨୩ରେ ଭାରତ ଏଯାଏ ଗୋଟିଏ ବି ସିରିଜ ହାରିନି। ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ପରେ ପରେ ନ୍ୟୁଜିଲ୍ୟାଣ୍ଡକୁ ବି ଉଭୟ ସିରିଜରେ ମାତ ଦେଇଥିଲା। ଏବେ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଟେଷ୍ଟରେ ବିପଳୁ ବିଜୟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।
ଏବେ ରୋହିତ ଶର୍ମା ଟେଷ୍ଟ ଓ ଦିନିକିଆରେ କ୍ୟାପଟେନ୍ ଥିବା ବେଳେ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ର ଅଧିନାୟକ କରାଯାଇଥିଲା।
ବୁଧବାର ଜାରି ହୋଇଥିବା ICCର ରାଙ୍କିଙ୍ଗ ତାଲିକାରେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସିଥିବା ବେଳେ ୧୦୬ ପଏଣ୍ଟ ସହ ଇଂଲଣ୍ଡ ତୃତୀୟ, ଶହେ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ଓ ୮୫ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନରେ ରହିଛି।
ୱେଷ୍ଟିଇଣ୍ଡିଜ ଟିମ୍ ୭୯ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ପାକିସ୍ତାନ ୭୭ ପଏଣ୍ଟ ସହ ସପ୍ତହମ ସ୍ଥାନରେ ରହିଛି।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ଆସନ୍ତା ୧୯ ତାରିଖରୁ ଦିଲ୍ଲୀରେ ଖେଳାଯିବ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଟପ୍ରେ ଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।
ଭାରତ ତିନି ଫର୍ମାଟରେ ଏକ ସମୟରେ ନମ୍ବର ୱାନ ହେବାରେ ଏସିଆର ପ୍ରଥମ ଦଳ ସାଜିଛି ଭାରତ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଏହି ସଫଳତା ହାସଲ କରିସାରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ୪ଟି ମ୍ୟାଚରୁ ୩ଟି ଜିତିଲେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।