ପାରା ପାୱାରଲିଫ୍ଟିଂରେ ସ୍ବର୍ଣ୍ଣ ପଦକ ହାସଲ କଲେ ସୁଧୀର
News18 Odia Digital
Para Powerlifting: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ରେ ଭାରତର ସୁଧୀର ଶାନଦାର ପ୍ରଦର୍ଶନ କରିଛନ୍ତି। ପାରା ପାୱାରଲିଫ୍ଟରେ ସେ ପ୍ରଥମ ଥର ପାଇଁ ଇଣ୍ଡିଆ ଗୋଲ୍ଡ ଦେଇଛନ୍ତି। ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ସୁଧୀର ୧୩୪.୫ ପଏଣ୍ଟ ସହ ଏକ ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ। ପାରା ପାୱାରଲିଫ୍ଟରେ ସ୍ୱର୍ଣ୍ଣ ଜିତିଥିବା ଭାରତ ପାଇଁ ସୁଧୀର ପ୍ରଥମ ଆଥଲେଟ୍ ସାଜିଛନ୍ତି।
ଭାରତର ପାରା ପାୱାରଲିଫ୍ଟର ସୁଧୀର ୨୧୨ କିଲୋଗ୍ରାମ ଉଠାଇ ପୁରୁଷ ହେଭିୱେଟ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୮୭.୩୦ କିଲୋଗ୍ରାମର ସୁଧୀର, ୧୪ ର୍ୟାକ୍ ଉଚ୍ଚତା ସହିତ ପ୍ରଥମ ପ୍ରୟାସରେ ୨୦୮ କିଲୋଗ୍ରାମ ଉଠାଇଥିଲେ। ଏହା ପରେ ସୁଧୀର ଦ୍ୱିତୀୟ ପ୍ରୟାସରେ ୧୨୧ କିଲୋଗ୍ରାମ ଉଠାଇଲେ। ଏଥିସହିତ ସୁଧୀର ୧୩୪.୫ ପଏଣ୍ଟ ସହ ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଦେଶ ମିଳିଛି ଷଷ୍ଠ ସ୍ୱର୍ଣ୍ଣ ସହ ୨୦ତମ ପଦକ
୨୦୨୨ କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ଷଷ୍ଠ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ମୀରବାଇ ଚାନୁ, ଜେରେମି ଲାଲରିନୁଙ୍ଗା, ଅଙ୍କିତା ଶୌଉଲି, ମହିଳା ଲନ୍ ବଲ୍ ଟିମ ଓ ଟେବୁଲ୍ ଟେନିସ୍ ପୁରୁଷ ଦଳ ସ୍ୱର୍ଣ୍ଣ ଜିତିଥିଲେ। ଏଥି ସହିତ, ଏହା ହେଉଛି ମୋଟ ୨୦ତମ ପଦକ।
ଲଙ୍ଗ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି ମୁରଲୀ ଶ୍ରୀଶଙ୍କର
ପୁରୁଷ ଲଙ୍ଗ ଜମ୍ପରେ ଭାରତର ମୁରଲୀ ଶ୍ରୀଶଙ୍କର ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଟ୍ରାକ ଓ ଫିଲ୍ଡରେ ରୌପ୍ୟ ପଦକ ଜିତିଥିଲେ। କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ୧୯ତମ ପଦକ। ପୁରୁଷ ଲଙ୍ଗ ଜମ୍ପ ଫାଇନାଲରେ ଶ୍ରୀଶଙ୍କର ୮.୦୮ ମିଟର ଶ୍ରେଷ୍ଠ ଜମ୍ପ ସହିତ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି।
ଏହା ସହ ଶ୍ରୀଶଙ୍କର ଭାରତର ପ୍ରଥମ ପୁରୁଷ ଆଥଲେଟ୍ ହୋଇ କମନୱେଲଥ ଗେମ୍ସ ଇତିହାସରେ ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।