- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ଶନିବାର ବଡ ନିଷ୍ପତ୍ତି କ୍ରମେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ବଡ଼ ଦାୟିତ୍ଵ ଦେଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଶାହିଦ ଆଫ୍ରିଦିଙ୍କୁ ପାକିସ୍ତାନ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। ଚୟନକର୍ତ୍ତାଙ୍କ କମିଟିରେ ପାକିସ୍ତାନର ପୂର୍ବତନ କ୍ରିକେଟ୍ର ଅବଦୁଲ ରଜାକ ଏବଂ ରାଓ ଇଫତିକାର ଅଞ୍ଜୁମ ରହିଛନ୍ତି। ହାରୁନ ରଶିଦ ସଂଯୋଜକ ଦାୟିତ୍ଵ ତୁଲାଇବେ। ନଜମ ସେଠୀ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ହେବାର କିଛି ଦିନ ପରେ ଚୟନକର୍ତ୍ତାଙ୍କ କମିଟି ଘୋଷଣା କରାଯାଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଶନିବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ ସଂପ୍ରତି ପରିବର୍ତ୍ତନ ସମୟ ଦେଇ ଗତି କରୁଛି। କିଛି ଦିନ ପୂର୍ବେ ରମିଜ ରାଜାଙ୍କ ସ୍ଥାନରେ ନଜମ ସେଠୀଙ୍କୁ ପିସିବି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଦଳର ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ଓ୍ଵାସିମ ଅବ୍ବାସୀଙ୍କୁ ମଧ୍ୟ ବାହାରର ରାସ୍ତା ଦେଖା ଦେଇଛି। ଏହି ସବୁ କର୍ମକର୍ତ୍ତାଙ୍କ ସମୟରେ ପାକିସ୍ତାନ କ୍ରିକେଟ୍ ଦଳ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦଳ ୩-୦ରେ ସିରିଜ୍ ହାରିବା ପରେ ପିସିବି କଡା ଆଭିମୁଖ୍ୟ ଦେଖାଇଛି।
ପିସିବି ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି, ମୁଁ ଅନ୍ତରୀଣ ଜାତୀୟ ଚୟନକର୍ତ୍ତା କମିଟିକୁ ସ୍ଵାଗତ କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସୀମିତ ସମୟରେ ମଧ୍ୟ କମିଟି ସାହସିକ ନିର୍ଣ୍ଣୟ ନେଇ ପାରିବେ। ଯିଏ ଆମକୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଏକ ମଜବୁତ ଏବଂ ପ୍ରତିଯୋଗିତାମୂଳକ ଟିମ୍ ଗଠନରେ ସାହାଯ୍ୟ କରିବେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।