News18 Odia Digital
ଭୁବନେଶ୍ୱର: ହକି ବିଶ୍ୱ କପ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ଉତ୍ସାହ ବଢିବାରେ ଲାଗିଛି। କାନ୍ଥ ବାଡ଼, ଶାଢୀରେ ସ୍ଥାନିତ ପାଉଛି ହକି ବିଶ୍ୱ କପ ଚିତ୍ର। ସେହି କ୍ରମରେ ହକି ବିଶ୍ୱ କପକୁ ନେଇ କଟକର ଜଣେ ଯୁବକଙ୍କ ଶୈଳୀ ବେଶ ଭାଇରାଲ ହେବାରେ ଲାଗିଛି।
ଚମତ୍କାର ଉଦଘାଟନୀ ସମାରୋହକୁ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ହକି ବିଶ୍ୱ କପକୁ ନେଇ ବଢ଼ିବାରେ ଲାଗିଛି ଉତ୍ସାହ ଓ ଉତ୍କଣ୍ଠା। ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ହକି ବିଶ୍ୱକପକୁ ସ୍ୱାଗତ କରୁଛନ୍ତି। କେହି କେହି ଏହି ବିଶ୍ୱକପକୁ ନେୟ ରଙ୍ଗୋଲି ପ୍ରସ୍ତୁତ କରୁଛନ୍ତି ତ କେହି ଏହି କପର ଚିତ୍ର ସମ୍ବଲପୁରୀ ଶାଢ଼ୀରେ ଆଙ୍କି ପ୍ରଶଂସା ସାଉଁଟୁଛନ୍ତି। କଟକର ରେଲୱେ ସେଟଲେମେଣ୍ଟ ଏମ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ନଅ ବର୍ଷ ବୟସ୍କା ସତ୍ୟଜିତ ବାରିକ ହକି ଖେଳ ପ୍ରତି ତାଙ୍କର ପ୍ରେମ ଦେଖାଇବା ପାଇଁ ଏକ ନିଆରା ଶୈଳୀରେ ନିଜ କେଶ କାଟିଛନ୍ତି। ସତ୍ୟଜିତ ନିଜ ମୁଣ୍ଡରେ FIH ହକି ପୁରୁଷ ବିଶ୍ୱକପର ଲୋଗୋ ସହିତ ଏକ 'ଶୁଭ ନୂଆ ବର୍ଷ' ବାର୍ତ୍ତା ଡିଜାଇନ୍ କରିଛନ୍ତି।
କଟକରେ ହକି ବିଶ୍ୱକପକୁ ସ୍ୱାଗତ ପରେ ଏଭଳି ଉପାୟ ସତ୍ୟଜିତଙ୍କ ମୁଣ୍ଡକୁ ଜୁଟିଥିଲା। ସେଥିପାଇଁ ସେ ହକି ବିଶ୍ୱକପର ଲୋଗୋ ନିଜ କେଶରେ ଷ୍ଟାଇଲ କରିବା ନେଇ ବାପା ଲକ୍ଷ୍ମୀକାନ୍ତ ବାରିକଙ୍କୁ ଜଣାଇଥିଲେ। ଲକ୍ଷ୍ମୀକାନ୍ତ ନିଜର ସେଳୁନ ଥିବାରୁ ତାଙ୍କୁ ଏସବୁ କରିବାରେ ସୁବିଧା ହୋଇଥିଲା। କଇଁଚି ଓ ଟ୍ରିମର ସାହାଯ୍ୟ ଏହି କେଶ ଷ୍ଟାଇଲ କରିବାକୁ ପ୍ରାୟ ସାଢ଼େ ୩ଘଣ୍ଟା ଲାଗିଥିଲା ବୋଲି କହିଛନ୍ତି କଲେଜ ଛକ ପାଖ ସିଡିଏ ମାର୍କେଟରେ ସେଳୁନ ଚଲାଉଥିବା ଲକ୍ଷ୍ମୀକାନ୍ତ ବାରିକ।
କେବଳ ସେତିକି ନୁହେଁ ସତ୍ୟଜିତଙ୍କ ଏହି ଷ୍ଟାଇଲ ଦେଖି ତାଙ୍କର ୨ ଜଣ ସାଙ୍ଗ ମଧ୍ୟ ଏଭଳି କେଶ କାଟିବା ନେଇ ଯୋଜନା କରୁଛନ୍ତି। ଏହା ବାରିକ ସମ୍ପ୍ରଦାୟ ପାଇଁ ଗର୍ବର କଥା ଯେ ଲକ୍ଷ୍ମୀକାନ୍ତ ତାଙ୍କ ପୁଅ ମୁଣ୍ଡରେ ହକି ଲୋଗୋ ସ୍ଥାନିତ କରିପାରିଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ।
ସେହିଭଳି ନେତାଜି ମେମୋରିଆଲ୍ ସିଟି କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ବାଣିଜ୍ୟ ଛାତ୍ର ସ୍ମୃତି ରଞ୍ଜନ ମହାନ୍ତି ଦିଆସିଲି କାଠିରେ ନିର୍ମିତ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ତିଆରି କରି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛନ୍ତି। ଗୋଟିଏ ଦିନରେ ମ୍ୟାଚ୍ ଷ୍ଟିକ୍, କର୍କ ଓ କାର୍ଡବୋର୍ଡ ବ୍ୟବହାର କରି ୨.୮ ଇଞ୍ଚ ଉଚ୍ଚତା ପ୍ରତିକୃତି ନିର୍ମାଣ କରିଛନ୍ତି। ଯେପରି, ସିଡିଏ-ସେକ୍ଟର -୭ ର ୨୬ ବର୍ଷିୟ ମନୋଜ କୁମାର ସାହୁ ସାବୁନରେ ହକି ବିଶ୍ୱକପ ଟ୍ରଫିର ୨.୫ ଇଞ୍ଚ ଉଚ୍ଚତାର ପ୍ରତିକୃତି ନିର୍ମାଣ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।