News 18 Odia Digital
ନୂଆଦିଲ୍ଲୀ: ମୈଦାନରେ ମୁହାଁମୁହିଁ ହେଲେ ପଡ଼ିଆ ବାହାରେ ବଡ଼ ଭାଇ । ଏମିତି ଦେଖିଲେ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ (suryakumar yadav)ଙ୍କ ବ୍ୟାଟ ଚାଲୁନି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ୩ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିଲେ ଏହି ମିଡଲ ଅର୍ଡର ବ୍ୟାଟସମ୍ୟାନ । ଆଉ ଆଇପିଏଲ (ipl)ରେ ବି ସୂର୍ଯ୍ୟଙ୍କ ଚମକ ଦେଖିବାକୁ ମିଳିନାହିଁ ଏଯାଏ । ଏପରି ପରିସ୍ଥିତିରେ ସୂର୍ଯ୍ୟଙ୍କ ଫର୍ମକୁ ନେଇ କ୍ରିକେଟପ୍ରେମୀ ଚିନ୍ତିତ । ଆଗାମୀ ଦିନିକିଆ ବିଶ୍ବକପରେ ସେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶଙ୍କା ସୃଷ୍ଟି ହେଲାଣି । ଗତ ୮ ତାରିଖରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (mumbai indians)କୁ ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୮ ୱିକେଟରେ ୧୫୭ ରନ୍ କରିଥିଲା। ଆଉ ଚେନ୍ନାଇ ୧୮.୧ ଓଭରରେ ୩ ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା।
ସିଏସକେ (csk) ବିପକ୍ଷ ମ୍ୟାଚରେ ପୁଣି ଥରେ ସୂର୍ଯ୍ୟକୁମାର ଯାଦବ ବିଶେଷ କିଛି କରିପାରିନଥିଲେ। ମାତ୍ର ୧ ରନ୍ କରି ଧୋନିଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ (Australia) ବିପକ୍ଷ ଏକ ଦିନିକିଆ ସିରିଜରୁ ସୂର୍ଯ୍ୟଙ୍କର ଖରାପ ପର୍ଯ୍ୟାୟ ଚାଲିଛି। ଆଇପିଏଲ୍ରେ ବି ସେପରି କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ତାଙ୍କ ବ୍ୟାଟିଂରେ ଆତ୍ମବିଶ୍ୱାସର ଅଭାବ ସ୍ପଷ୍ଟ ଦେଖାଯାଉଛି। ଏଥିସହିତ, ସିଏସ୍କେ ନିକଟରୁ ପରାଜିତ ହେବା ପରେ ସୂର୍ଯ୍ୟକୁମାରଙ୍କୁ ଭେଟି କଥା ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି (ms dhoni)। ଏବେ ଧୋନି ଓ ଯାଦବଙ୍କର ସେହି ମୁହୂର୍ତ୍ତର ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସୋସିଆଲ୍ ମିଡିଆ (social media) ବ୍ୟବହାରକାରୀ ଅନୁମାନ କରୁଛନ୍ତି ଯେ ଧୋନି ଯାଦବଙ୍କୁ କିଛି ଟିପ୍ସ ଦେଉଛନ୍ତି, ଯାହାଫଳରେ ତାଙ୍କ ଆତ୍ମବିଶ୍ବାସ ଦୃଢ଼ ହେବ। ଫଟୋରେ ଧୋନି ସୂର୍ଯ୍ୟଙ୍କୁ କିଛି ବୁଝାଉଥିବା ସ୍ପଷ୍ଟ ନଜର ଆସିଥିଲେ। ଧୋନି ଏବଂ ସୂର୍ଯ୍ୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପ୍ରଶଂସକମାନେ ମତ ରଖୁଛନ୍ତି ଯେ ମାହି ତାଙ୍କୁ ତାଙ୍କ ଖରାପ ପର୍ଯ୍ୟାୟରୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ଅଧିନାୟକ ଅନେକ ଖେଳାଳିଙ୍କୁ ଟିପସ ଦେବା ନଜର ଆସିଛି । ଏପରିକି ସେ ଯୁବ ଖେଳାଳିଙ୍କୁ ବେଶ ଉତ୍ସାହିତ କରିଥାନ୍ତି । ୱିକେଟ ପଛରେ କିପିଂ କରିବା ବେଳେ ବିପକ୍ଷ ବ୍ୟାଟସମ୍ୟାନଙ୍କ ଦ୍ବାରା ପ୍ରହାର ଖାଉଥିବା ବୋଲର ହୁଅନ୍ତୁ କି ଖରାପ ଫିଲଡିଂ କରୁଥିବା ଫିଲଡରଙ୍କୁ ଧୋନି ସବୁବେଳେ ଉତ୍ସାହିତ କରିବାର ନଜର ରହିଛି । ଆଉ ସୂର୍ଯ୍ୟଙ୍କୁ ଧୋନି କି ପ୍ରକାର ଟିପ୍ସ ଦେଇଛନ୍ତି, ଆଗକୁ ସୂର୍ଯ୍ୟକୁମାର କେମିତି କାମରେ ଲଗାଉଛନ୍ତି, ତାହା କ୍ରିକେଟପ୍ରେମୀ ନଜର ରଖିଛନ୍ତି । ସୂର୍ଯ୍ୟ ଫର୍ମକୁ ଫେରନ୍ତୁ ଆଉ ନିଜର ୩୬୦ ଡିଗ୍ରୀ ସର୍ଟରେ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ହିଁ କ୍ରିକେଟପ୍ରେମୀଙ୍କ ଆଶା ।
ରିପୋର୍ଟ: ରାଧାକାନ୍ତ ଦାସ
ଏହି ଖବର ପଢ଼ନ୍ତୁ -
ପୁଣିଥରେ ବାପାହେଲେ ବିଧାୟକ ବ୍ୟୋମକେଶ: ଝିଅ ପାଇଁ କରିଥିଲେ ଦ୍ୱିତୀୟ ବିବାହ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।