News18 Odia Digital
କଟକ: ଆଉ ଦିନ ପରେ କଟକରେ ଆୟୋଜିତ ହେବ ହକି ବିଶ୍ବକପର ଉଦଘାଟନୀ ଉତ୍ସବ। ତେବେ ଏହି ଉତ୍ସବ ସିନା ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ, କିନ୍ତୁ ବିଶ୍ବକପର ଉଦଘାଟନୀ ଉତ୍ସବକୁ ଏକ ମହୋତ୍ସବ ଭାବେ ଗ୍ରହଣ କରିଛି କଟକ ସହରର। ଖାସ ସେଥିପାଇଁ ଉଦଘାଟନୀ ଉତ୍ସବ ପୂର୍ବରୁ କଟକ ସହର ବିଭିନ୍ନ ସ୍ଥାନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।
ହକି ବିଶ୍ବକପର ଉଦଘାଟନୀ ଉତ୍ସବ କଟକରେ ଆୟୋଜିତ ହେଉଥିବାରୁ ଏହାକୁ ଏକ ଲୋକ ଉତ୍ସବରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରଖିଛି ପ୍ରଶାସନ। ଏହି କ୍ରମରେ କଟକ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ କଟକ ପାର୍କରେ ଝୋଟି ଓ ନୃତ୍ୟଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ସହର ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ବଂୟସହୟକ ଗୋଷ୍ଠି ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି।

ବିଶ୍ବକପର ଉଦଘାଟନୀ ଉତ୍ସବକୁ ଏକ ମହୋତ୍ସବ ଭାବେ ଗ୍ରହଣ କରିଛି କଟକ ସହରର
ଜଣେ କି ଦୁଇ ଜଣ ନୁହଁନ୍ତି ବରଂ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇଛନ୍ତି। ମୁରୁଜ ବା ଝୋଟି ଜରିଆରେ ହକି ବିଶ୍ବକପକୁ ଏକ ଭିନ୍ନ ଶୈଳିରେ ସ୍ବାଗତ କରୁଛନ୍ତି ଏମାନେ। କିଏ କେଉଁଠି ବିଶ୍ବକପର ଟ୍ରଫିର କଳାକୃତି ଦେଖିବାକୁ ମିଳୁଛି ତ ଆଉ କେଉଁଠି ବିଶ୍ବକପର ମସ୍କଟ ଓଲିକୁ ଚିତ୍ରିତ କରାଯାଇଛି। ଆଉ କିଛି କିଛି ସ୍ଥାନରେ ଓଡ଼ିଶାର ସଂସ୍କୃତି ଓ କଳା ସହିତ ହକିକୁ ଯୋଡ଼ି ଏକ ନିଆରା ଚିତ୍ର ଅଙ୍କା ଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବେଶ ଖୁସିଥିବା କହିଛନ୍ତି ଅଶଂଗ୍ରହଣକାରୀ ମହିଳା।
"ନିହାତି ଭାବେ କଟକରେ ବିଶ୍ବକପ ହକିର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଆମେ କଟକ ସହରବାସୀ ହିସାବରେ ବହୁତ ଖୁସି। ଏହି ଉଦଘାଟନି ଉତ୍ସବ ସହ ପ୍ରତିଯୋଗିତା ଜରିଆରେ ସମଗ୍ର ବିଶ୍ବ କଟକ ସହିତ ପୂରା ଓଡ଼ିଶାକୁ ଦେଖିବ। ସେହି ଖୁସିରେ ଆମେ ଆୟୋଜିତ ହୋଇଥିବା ଏହି ଝୋଟି ପ୍ରତିଯୋଗିତାରେ ଭାଗ ନେଇଛୁ," କହିଛନ୍ତି କଟକ ବାସିନ୍ଦା ଦିପ୍ତିମୟୀ ମୁଳୀଆ।

କଟକ ସହର ବିଭିନ୍ନ ସ୍ଥାନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି
ତେବେ ୧୧ ତାରିଖର ଉଦଘାଟନୀ ଉତ୍ସବ ପରେ ମଧ୍ୟ ଅର୍ଥାତ ହକି ବିଶ୍ବକପ ଶେଷ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ସେପଟେ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତାକାଲି କଟକରେ ପହଁଚିବ ହକି ବିଶ୍ବକପର ଟ୍ରଫି। ଉଦଘାଟନୀ ଉତ୍ସବ ଦିନ ସକାଳୁ ଏହି ଟ୍ରଫିକୁ କଟକ ସହର ପରିକ୍ରମା କରାଇବା କାର୍ଯ୍ୟକ୍ରମ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।