News18 Odia Digital
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟର ଚାରି ଜଣ ଅଲିମ୍ପିକ୍-ଫେରନ୍ତା ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲିମ୍ପିକରେ ସଫଳତା ସହ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଥିବା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପୋଙ୍କୁ ଆର୍ଥକ ପୁରସ୍କାର ବି ଦେଇଛନ୍ତି ରାଜ୍ୟ ସରକାର ।
ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି । ଏହି ଚେକ୍ ନିଜେ ନବୀନ ପଟ୍ଟନାୟକ ସେମାନଙ୍କୁ ଦେଇଛନ୍ତି । ଏଥି ସହ ବୀରେନ୍ଦ୍ର ଓ ଅମିତଙ୍କୁ ରାଜ୍ୟ ପୋଲିସ ସେବାରେ ଡି.ଏସ୍.ପି. ପଦରେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଦୁଇ ମହିଳା ହକି ଖେଳାଳି ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ । ଦୁହିଁଙ୍କୁ ହକି ଖେଳ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ସରକାରୀ ବ୍ୟାଙ୍କ୍ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର; ଅଗଷ୍ଟ ମାସରୁ ବଢ଼ିଲା ଦରମା
ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ଆଣିବା ପଛରେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ଅବଦାନ ବହୁତ ରହିଛି । ମହିଳା ହକି ଟିମରେ ସାମିଲ ଥିବା ଦୀପ୍ ଗ୍ରେସ୍ ଏକ୍କା ଓ ସୁନିତା ଟପ୍ପୋ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏ ଥର ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ହାସଲ କରିଥିଲା । ଓଡ଼ିଶା ଦେଶରେ ହକିର ହବ୍ ପାଲଟିଥିବା ବେଳେ ରାଜ୍ୟର ଖେଳାଳିମାନଙ୍କ ସଫଳତା ଓଡ଼ିଶାକୁ ଗୌରବାନ୍ବିତ କରିଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ । ହକି ପାଇଁ କଳିଙ୍ଗ ଷ୍ଟାଡିଅମ ଗ୍ଲୋବାଲ ହବ୍ ହେବ ବୋଲି କହିଛନ୍ତି ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗର୍ଲଫ୍ରେଣ୍ଡଙ୍କ ବିଷୟରେ ପ୍ରଶ୍ନକୁ ନେଇ ଲାଜେଇ ଯାଉଛନ୍ତି ନୀରଜ ଚୋପ୍ରା; କ’ଣ ଅଛି ତାଙ୍କ ମନ ଭିତରେ?
ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଅଲିମ୍ପିକ୍ସରେ ଖେଳର ଅନୁଭୂତି କଥା କହିଥିଲେ ମହିଳା ହକି ଦଳର ଉପ-ଅଧିନାୟିକା ଦୀପ୍ ଗ୍ରେସ୍ ଏକ୍କା । ‘‘ଗ୍ରେଟ୍ ବ୍ରିଟେନ ସହ ଶେଷ ପର୍ଯ୍ୟନ୍ତ ଟକ୍କର ହୋଇଥିଲା ଓ ଶେଷ ଗୋଲ୍ ଦେବା ପାଇଁ ହାତରେ ଆଉ ମାତ୍ର ୧୦ ମିନିଟ ସମୟ ଥିଲା । ତାହା ଆମେ କରିପାରିଲୁ ନାହିଁ । ତାହା ହିଁ ବଡ଼ ଅବଶୋଷ ରହିଲା । ହେଲେ ଅଲମ୍ପିକ୍ସରେ ଖେଳିବା ଓ ରାଜ୍ୟ ସରକାରଙ୍କ ସହଯୋଗ ଆମ ପାଇଁ ବଡ଼ କଥା ଥିଲା । ଏହା ଆହୁରି ଅଧିକ ମହିଳା ଖେଳାଳିଙ୍କୁ ଆଗକୁ ନେବାରେ ସାହାଯ୍ୟ କରିବ,’’ କହିଥିଲେ ଏକ୍କା ।
ପୁରୁଷ ହକି ଖେଳାଳି ଅମିତ ରୋହିଦାସ ନିଜ ମେଡାଲକୁ ଧରି ବାପାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ । ‘‘ଯଦି ବାପା ଥା’ନ୍ତେ ତେବେ ଆହୁରି ଅଧିକ ଖୁସି ହୋଇଥାନ୍ତେ । ତାଙ୍କ ଅନୁପସ୍ଥିତି ବହୁତ୍ ଦୁଃଖ ଦେଉଛି,’’ ସେ କହିଥିଲେ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।