News18 Odia Digital
ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ହକିରେ ଦମଦାର୍ ପ୍ରଦର୍ଶନ କରିବା ପରେ ଓଡି଼ଶା ଫେରିଛନ୍ତି ଖେଳର ସେହି ମହାକୁମ୍ଭରେ ଭାଗ ନେଇଥିବା ଓଡ଼ିଶାର ଚାରି ଜଣ ତାରକା ଖେଳାଳି – ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ । ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି ।
ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍. ଭିନିଲ୍ କ୍ରିଷ୍ଣା, ଓଡି଼ଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଦିଲୀପ ତିର୍କୀ ଓ ଓଡିଶା ଅଲିମ୍ପିକ ଆସୋସିଏସନ ସମ୍ପାଦକ ଅଭିଜିତ୍ ପାଲ ପ୍ରମୁଖ ମଙ୍ଗଳବାର ଦିନ ବିମାନ ବନ୍ଦରରେ ଖେଳାଳିମାନଙ୍କୁ ସ୍ୱାଗତ କରିଛନ୍ତି।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଦିନକରେ ୧,୦୦୦ ଟଙ୍କା କମିଲା; ରୂପା ଦର ବି ଖସିଲା; ଆଗକୁ କ’ଣ ହେବ?
ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ଯେତେବେଳେ ଏହି ଚାରି ଓଡ଼ିଆ ଖେଳାଳିଙ୍କ ନାମ ଘୋଷଣା ହୋଇଥିଲା ତାହା ରାଜ୍ୟ ପାଇଁ ଏକ ଗୌରବର ବିଷୟ ଥିଲା । ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଖେଳି ଅଲିମ୍ପିକ୍ସରେ ଆଗକୁ ବଢ଼ିବା ଓ ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟ ହାସଲ କରିବାରେ ଏହି ଖେଳାଳିମାନେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଉଭୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସରେ ସେମିଫାଇନାଲକୁ ଯିବା ସାରା ଦେଶ ପାଇଁ ଓ ବିଶେଷତଃ ଓଡ଼ିଶା ପାଇଁ ଗର୍ବର ବିଷୟ ଥିଲା କାରଣ ୨୦୧୮ରୁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରଯୋଜକ ରହିଛନ୍ତି ଓଡି଼ଶା ସରକାର । ଏହା ଖେଳାଳିମାନଙ୍କୁ ଆଗକୁ ବଢି଼ବାକୁ ପ୍ରୋତ୍ସାହିତ କରିଆସିଛି।

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଦିଲୀପ ତିର୍କୀଙ୍କ ସହ ଚାରି ହକି ଖେଳାଳି
‘‘ଆମର ପ୍ରତ୍ୟେକ ଅଲିମ୍ପିଆନ୍ ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ। ସେମାନଙ୍କ ପ୍ରଦର୍ଶନ ଯୁବ ଖେଳାଳିମାନଙ୍କୁ ନିଶ୍ଚିତ ଭାବେ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ,’’ କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଓଡି଼ଶା ହକି କାଉନସିଲ୍ ଅଧ୍ୟକ୍ଷ ଦିଲୀପ ତିର୍କୀ କହିଛନ୍ତି, ‘‘ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ପଦକ ହାସଲ କରିଛି । ମହିଳା ଦଳ ମଧ୍ୟ ଅନେକ ଶକ୍ତିଶାଳୀ ଦଳ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଓଡି଼ଶା ହକି ପାଇଁ ଏଇଟା ଗୋଟେ ଗୌରବର କଥା ଯେ ଚାରି ଜଣ ଓଡ଼ିଆ ଖେଳାଳିଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO
ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବୁଧବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାରି ଜଣ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି । ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ହାସଲ କରି ଭାରତୀୟ ପୁରୁଷ ହକି ଦଳ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ନବମ ସ୍ଥାନରେ ଥିବା ମହିଳା ଦଳ ଏବେ ଆଉ ଏକ ପାହାଚ ଚଢି଼ ଅଷ୍ଟମ ସ୍ଥାନରେ ରହିଛି।
ଏହା ବି ପଢ଼ନ୍ତୁ | ଦେଶର ୬.୫ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଏ ଥର PF ଖାତାରେ ଆସିବ ଅଧିକ ଟଙ୍କା
ଅଭିଜ୍ଞ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ପୁରୁଷ ଦଳର ଉପଅଧିନାୟକ ମନୋନୀତ ହୋଇଥିଲେ । ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ ପରେ ୨୦୧୬ରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ବି ସେହି ସୁଯୋଗ ଏକ ଶାରିରୀକ ଆଘାତ କାରଣରୁ ହାତଛଡ଼ା କରିଥିଲେ ସେ । ବର୍ତ୍ତମାନ ସୁଦ୍ଧା ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ବୀରେନ୍ଦ୍ର ।
ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’
୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଯୁବ ତାରକା ଅମିତ ରୋହିଦାସ । ଗୋଲକିପର୍ ଶ୍ରୀଜେଶଙ୍କ ପରେ ଏକାଧିକ ପେନାଲଟି କର୍ଣ୍ଣରକୁ ଅଟକାଇଛନ୍ତି ଅମିତ, ଯାହା ନିହାତି ଭାବେ ଏକ ଗର୍ବର ବିଷୟ । ଦୀପ ଗ୍ରେସ ଏକ୍କା ମହିଳା ଦଳର ଉପଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ପ୍ରତି ମ୍ୟାଚରେ ତାଙ୍କର ପ୍ରଭବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
ନମିତା ଟପ୍ପୋ ଭାରତୀୟ ଦଳର ଜଣେ ଅଭିଜ୍ଞ ଖେଳାଳି ରହିଆସିଛନ୍ତି । ୧୬୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ସେ । ରିଓ ଅଲିମ୍ପିକ୍ସ ପରେ ଟୋକିଓ ତାଙ୍କର ଦ୍ଵିତୀୟ ଅଲିମ୍ପିକ୍ସ ପଦାର୍ପଣ ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।