News18 Odia Digital
Odisha Cricketer Missing: ଖୁଣ୍ଟୁଣି ଜଙ୍ଗଲରୁ କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତଦେହ ଠାବ। ରାଜଶ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରାଜଶ୍ରୀଙ୍କ ସ୍କୁଟି ମିଳିଥିବା ସ୍ଥାନ ନିକଟରୁ ଠାବ ହେଲା ତାଙ୍କ ମୃତଦେହ।
୨୦୦ ମିଟର ଦୂରରୁ ମୃତଦେହ ଉଦ୍ଧାର। ଆଠଗଡ଼ ବ୍ରାହ୍ମଣବସ୍ତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟା ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା। ଶରୀରର ଅନେକ ସ୍ଥାନରେ ରହିଛି କ୍ଷତ ଦାଗ। ବର୍ତ୍ତମାନ ସମସ୍ତଙ୍କ ମନରେ ଆତ୍ମହତ୍ୟା ନା ହତ୍ୟା ବୋଲି ପ୍ରଶ୍ନ ଉଙ୍କିମାରୁଛି।
ସେଠାର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସକାଳୁ ଆମେ ରାଜଶ୍ରୀଙ୍କୁ ଖୋଜୁଥିଲୁ। ହେଲେ ତାଙ୍କ ମୃତଦେହ ବର୍ତ୍ତମାନ ଦେଖିବାକୁ ପାଇଲୁ। ମୁଣ୍ଡ ଫାଟିଯାଇଥିବା କଥା କହୁଛନ୍ତି ଅନେକ ଲୋକ। ଆତ୍ମହତ୍ୟା ନୁହେଁ ବରଂ ତାଙ୍କର ହତ୍ୟା କରାଯାଇଛି କହିଛନ୍ତି ବାସିନ୍ଦା।
ସେହିପରି ଘଟଣାସ୍ଥଳରେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ ମଧ୍ୟ ମିଳିଛି। ମୁଖ୍ୟ କଥା ହେଲା ଯେ ଟ୍ରାକ ସୁଟ ପିନ୍ଧିଥିବାବେଳେ ଶାଢ଼ୀରେ ମିଳିଛି ମୃତଦେହ। ନିକଟରେ ପରିବାର ଲୋକ ତାଙ୍କ ନିଖୋଜ ନେଇ ଅଭିଯୋଗ କରିଥଲେ।
ମୁଖ୍ୟ କଥା ହେଲା ଯେ ଝୁଲନ୍ତା ଅବସ୍ଥାରେ ତାଙ୍କ ଗୋଡ ତଳେ ଲାଗିଥିବାର ନଜର ଆସିଛି। ସେହିପରି ଗୋଟିଏ ଗୋଡ଼ରେ ଚପଲ ଥିବାବେଳେ ଅନ୍ୟ ଏକ ଚପଲ ଗଛର କୋରଡରେ ରଖାଯାଇଥିଲା। ଯାହାକୁ ନେଇ ହତ୍ୟାର ସନ୍ଦେହ ବଢ଼ିଚାଲିଛି।
ସୂଚନା ଅନୁଯାୟୀ, ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଗତ ୧୦ ତାରିଖ ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା ।ଏହି ତାଲିକାରେ ବାଦ୍ ପଡ଼ିଥିଲେ ରାଜଶ୍ରୀ।
ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। ହେଲେ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। କୋଚ୍ ପୁଷ୍ପାଞ୍ଚଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।