News18 Odia Digital
କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଆସନ୍ତା ଆଇପିଏଲର ନିଲାମୀ ପ୍ରକ୍ରିୟାରେ ପୁଣି ସାମିଲ ହେଲେ ଓଡ଼ିଆ କ୍ରିକେଟ ଖୋଳାଳି। ଦୁଇ ଓଡ଼ିଆ କ୍ରିକେଟର ରାଜେଶ ମହାନ୍ତି ଓ ମୁସ୍ତାକ ବେଗଙ୍କୁ ଆଇପିଏଲ ୨୦୨୩ ନିଲାମୀ ସାମିଲ କରାଯାଇଛି ।
ଗତ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ଭଲ ପଦର୍ଶନ ପରେ ଓସିଏ ଉଭୟଙ୍କ ନାଁକୁ ଆଇପିଏଲ ନିଲାମୀ ପାଇଁ ସୁପାରିଶ କରିଥିଲା। ଏହି ଦୁଇ ଜଣଙ୍କୁ ବିଚାରକୁ ନେଇ ସେମାନଙ୍କୁ ଆଇପିଏଲ ନିଲାମରେ ସାମିଲ କରିଛି ବିସିସିଆଇ । ୨୨ ବର୍ଷ ରାଜେଶ ମହାନ୍ତି ହେଉଛନ୍ତି ଜଣେ ଡାହଣହାତି ଦୃତ ବୋଲର । ସେହିପରି ୨୪ ବର୍ଷ ବୟସ୍କ ମୁସ୍ତାକ ବେଗ ହେଉଛନ୍ତି ଜଣେ ଡାହଣହତି ଅଫସ୍ପିନ ବୋଲର । ଏହି ଦୁଇ ଖେଳାଳୀଙ୍କ ବେସ ପ୍ରାଇସ ୨୦ ଲକ୍ଷ ଲେଖାଏଁ ସ୍ଥିର କରାଯାଇଛି । ତେବେ ପୂର୍ବରୁ ଓଡିଶା ଟିମ ର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ରିଟେନିଙ୍ଗ ଖେଳାଳି ହିସାବରେ ଚେନାଇ ସୁପର କିଙ୍ଗ ନିଜ ଦଳରେ ରଖିଛି।
"ଆଇପିଏଲ ଖେଳିବା ମୋର ସପ୍ନ ରହି ଆସିଛି । ମୋର ନାଁ ଆଇପିଏଲ ନିଲାମୀ ପାଇଁ ତାଲିକା ଯାଇଥିବା ଜାଣିବା ପରେ ମୁଁ ବହୁତ ଖୁସି ଅନୁଭବ କରୁଛି । ଆଇପିଏଲ ଟ୍ରାଏଲ ପାଇଁ ପୂର୍ବରୁ ଟ୍ରାଲ୍ସରେ ଯାଇଥିଲି । ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟଲ୍ସ ଓ ସନରାଇଜର୍ସ ପାଇଁ ମୁଁ ଟ୍ରାଏଲ ଦେଇଛି । ଭାବୁଛି ଏହି ତିନିଟି ଦଳ ମଧ୍ୟରୁ କୌଣସି ଗୋଟିଏ ଦଳର ମୁଁ ଅଶଂ ବିଶେଷ ହୋଇ ପାରିବି,"ନ୍ୟୁଜ୧୮ ଡିଜିଟାଲକୁ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁସ୍ତାକ ବେଗ।
ଆଇପିଏଲ୍ ୨୦୨୩ ଖେଳାଳି ନିଲାମ ତାଲିକାରେ ମୋଟ ୪୦୫ ଜଣ କ୍ରିକେଟରଙ୍କ ନାଁ ସାମିଲ ହୋଇଛି । ଆସନ୍ତା ୨୩ ତାରିଖରେ କୋଚିରେ ଆଇପିଏଲ ପାଇଁ ଖେଳାଳି ନିଲାମୀ କରାଯିବ । ମୋଟ ୯୯୧ ଖେଳାଳିଙ୍କ ତାଲିକାରୁ ୧୦ ଟି ଦଳ ଦ୍ୱାରା ମୋଟ ୩୬୯ ଖେଳାଳି ସର୍ଟଲିଷ୍ଟ ହୋଇଥିଲେ । ଏହା ବ୍ୟତିତ ଟିମ ଗୁଡ଼ିକ ପକ୍ଷରୁ ୬୦ ଜଣ ଅତିରିକ୍ତ ଖେଳାଳିଙ୍କୁ ଆଇପିଏଲ ନିଲାମିରେ ସାମିଲ କରିବା ପାଇଁ ଅନୁରୋଧ କରାଯାଇଥିଲା । ସେମାନଙ୍କ ନାଁ ନିଲାମୀ ତାଲିକାରେ ଯୋଡି ହୋଇଛି । ଫଳସ୍ବରୂପ ଆଇପିଏଲ୍ ୨୦୨୩ ନିଲାମରେ ସମୁଦାୟ ୪୦୫ ଖେଳାଳି ସାମିଲ ହେବେ । ଏହି ୪୦୫ ଖେଳାଳିଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ହୋଇଥିବା ବେଳେ ୧୩୨ ଜଣ ହେଉଛନ୍ତି ବିଦେଶୀ ଖେଳାଳି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।