News18 Odia Digital
ନୂଆ ଦିଲ୍ଲୀ: ଭାରତର ତାରକା ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା (Neeraj Chopra wins Gold) ଟୋକିଓ ଅଲିମ୍ପିକ୍ସରେ (Tokyo Olympics) ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏଥି ସହ ଆଥଲେଟିକ୍ସରେ ଅଲିମ୍ପିକ୍ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇଛନ୍ତି ନୀରଜ ଚୋପ୍ରା । ତାଙ୍କର ଏହି ସଫଳତା ସାରା ଦେଶରେ ଖୁସିର ଲହର ଖେଳାଇ ଦେଇଛି ।
ଫାଇନାଲ ମୁକାବିଲାରେ ନୀରଜ୍ ଜାଭେଲିନ୍ ୮୭.୫୮ ମିଟର୍ ଦୂରକୁ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ଚୋପ୍ରା ନିଜ ଦ୍ୱିତୀୟ ଥ୍ରୋରେ ଏହି ଦୂରତା ଅତିକ୍ରମ କରିବାରେ ସଫଳ ହୋଇଥିଲେ । ପ୍ରଥମ ଥ୍ରୋରେ ନୀରଜ ଚୋପ୍ରା ୮୭.୦୩ ମିଟର୍ ଦୂରତା ଅତିକ୍ରମ କରି ଏକ ନମ୍ବର ସ୍ଥାନରେ ରହିଥିଲେ, କିନ୍ତୁ ତା’ ପରେ ସେ ପରବର୍ତ୍ତୀ ଥ୍ରୋରେ ନିଜର ପ୍ରଦର୍ଶନକୁ ଆହୁରି ଉନ୍ନତ କରିଥିଲେ। ଟୋକିଓରେ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ କ’ଣ ପାରଳା ରାଜମହଲର ୫ଟି ‘ଆତ୍ମହତ୍ୟା’ ପରି ଅସମାହିତ ରହିଯିବ?
ନୀରଜଙ୍କ ଏହି ଐତିହାସିକ ସଫଳତା ପରେ ଭାରତର ପଦକ ସଂଖ୍ୟା ସାତ ହୋଇଛି – ସ୍ବର୍ଣ୍ଣ ୧, ରୌପ୍ୟ ୨ ଓ ବ୍ରୋଞ୍ଜ ୪ । ଅଲିମ୍ପିକ୍ସରେ ଆଥଲେଟିକ୍ସରେ ଭାରତ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଏହା ସାରା ଦେଶ ପାଇଁ ଏକ ନୂଆ ଗୌରବର ବିଷୟ ହୋଇଛି । ଏହା ପୂର୍ବରୁ ଭାରତ କେବେ ବି ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଆଣି ନ ଥିଲା ।

ନୀରଜ ଚୋପ୍ରା
ପୂର୍ବରୁ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ଛଅଟି ପଦକ ଜିତିଥିଲା । ତା’ ପରେ ରିଓ ଅଲିମ୍ପିକ୍ସରେ ମାତ୍ର ଦୁଇଟି ପଦକ ଜିତିଥିଲା ଭାରତ ।
ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଭାରତ ପାଇଁ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଖେଳାଳି (Neeraj Chopra Tokyo Olympics) । ବେଜିଂ ଅଲିମ୍ପିକ୍ସରେ ସୁଟର୍ ଅଭିନାବ ବିନ୍ଦ୍ରା (shooter Avinav Bindra) ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବେ ନୀରଜ ଚୋପ୍ରା ଦେଶର ସେହି ସ୍ୱପ୍ନକୁ ପୁଣି ଥରେ ସଫଳ କରିଛନ୍ତି। ଅଲିମ୍ପିକ୍ ଆଥଲେଟିକ୍ସରେ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ୨ ତାଲା ଘର ଥିବା ଲୋକଙ୍କୁ ମିଳୁଛି’
ଅଲିମ୍ପିକ୍ସରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ୨୩-ବର୍ଷୀୟ ନୀରଜ ଚୋପ୍ରା ଭାରତର ୧୦୦ ବର୍ଷରୁ ଅଧିକ ସମୟର ଅପେକ୍ଷାକୁ ସମାପ୍ତ କରାଇଛନ୍ତି । ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ତିରଙ୍ଗା ପତାକା ଧରି ଅଲିମ୍ପିକ ପଡ଼ିଆ ସାରା ବୁଲିଥିଲେ ଓ ଉତ୍ସବ ପାଳିଥିଲେ ।
ଅଲିମ୍ପିକ୍ସ ପୂର୍ବରୁ ନୀରଜଙ୍କୁ ପଦକ ଜିତିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ବିବେଚିତ କରାଯାଉଥିଲା । ସେ ଏହି ଆଶା ପୂରଣ କରିଛନ୍ତି । ସେ କ୍ୱାଲିଫିକେସନ୍ ରାଉଣ୍ଡରେ ପ୍ରଥମ ପ୍ରୟାସରେ ୮୬.୫୯ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଶୀର୍ଷରେ ରହିଥିଲେ ଓ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ସେ ନିଜ ପ୍ରଥମ ପ୍ରୟାସରେ ୮୭.୦୩ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ ଓ ଆରମ୍ଭରୁ ଅଗ୍ରଣୀ ରହିଥିଲେ ।
ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ
ତୃତୀୟ ପ୍ରୟାସରେ ସେ ମାତ୍ର ୭୬.୭୯ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିପାରିଥିଲେ, ଆଉ ଚତୁର୍ଥ ପ୍ରୟାସରେ ସେ ଫାଉଲ୍ ହୋଇଯାଇଥିଲେ । ନିଜ ଷଷ୍ଠ ପ୍ରୟାସରେ ସେ ୮୪.୨୪ ମିଟର୍ ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ, କିନ୍ତୁ ଏହା ପୂର୍ବରୁ ତାଙ୍କର ସ୍ୱର୍ଣ୍ଣ ପଦକ ନିଶ୍ଚିତ ହୋଇଯାଇଥିଲା ।
ଆଣ୍ଟୱର୍ପ ଅଲିମ୍ପିକ୍ସରେ ଭାରତ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଅଂଶ ଗ୍ରହଣ କରିଥିଲା, କିନ୍ତୁ ସେହି ଦିନ ଠାରୁ ରିଓ ୨୦୧୬ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଦେଶର କୌଣସି ଆଥଲେଟ୍ ପଦକ ଜିତି ପାରି ନ ଥିଲେ । ଭେଟେରାନ୍ ମିଲଖା ସିଂ ଓ ପି.ଟି. ଉଷା ଯଥା କ୍ରମେ ୧୯୬୦ ଓ ୧୯୮୪ରେ ଅଳ୍ପ ବ୍ୟବଧାନରେ ପଦକରୁ ବଞ୍ଚିତ ହୋଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।