କ୍ରିକେଟ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରଶଂସା ନୁହେଁ ପ୍ରତିଭା ଦରକାର: ମହମ୍ମଦ ଆଜାରୁଦ୍ଦିନ

ଓଡ଼ିଶାରେ କ୍ରିକେଟ ଭିତ୍ତିଭୂମି ସୁଦୃଢ଼ କରିବା ସହ ତୃଣମୂଳସ୍ତରରୁ ପ୍ରତିଭା ଚୟନ କରି ପ୍ରଶିକ୍ଷଣ ଦେବା ଲକ୍ଷ୍ୟ ବୋଲି ଓଡ଼ିଶା ଗସ୍ତରେ ଆସି କହିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନ।

କ୍ରିକେଟ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରଶଂସା ନୁହେଁ ପ୍ରତିଭା ଦରକାର

କ୍ରିକେଟ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରଶଂସା ନୁହେଁ ପ୍ରତିଭା ଦରକାର

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶାରେ କ୍ରିକେଟ ଭିତ୍ତିଭୂମି ସୁଦୃଢ଼ କରିବା ସହ ପ୍ରତିଭା ଖେଳାଳି ବାହାର କରିବା ହେଉଛି ଆଇଆଇଜି ସ୍ପୋର୍ଟ୍ସ ଏକାଡେମୀର ମୂଳ ଲକ୍ଷ୍ୟ। ଯାହାର ମେଣ୍ଟର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ। ଏକାଡେମୀ କାମ ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା ବେଳେ ଗଣମାଧ୍ୟମ ଆଗରେ ଏହା କହିଛନ୍ତି ଆଜାରୁଦ୍ଦିନ।

‘‘ଓଡ଼ିଶାରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି। ହେଲେ ନାନା ପ୍ରକାର ସମସ୍ୟା ପାଇଁ ସେମାନେ ଆଗକୁ ଆସି ପାରୁନାହାଁନ୍ତି। କେତେବେଳେ ଆର୍ଥିକ ଅନଟନ ତ ଆଉ କେତେବେଳେ ସୁଯୋଗର ଅଭାବ ରହୁଛି। ଫଳରେ ସେମାନେ ଆଗକୁ ବାହାରି ପାରୁନାହାଁନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମିଳୁନି। ପ୍ରଶିକ୍ଷଣ, ଭଲ ଡାଏଟ, ମ୍ୟାଚ ଖେଳିବାର ସୁଯୋଗ ପ୍ରମୁଖ ଅଭାବ ରହୁଛି। ଫଳରେ ଅନେକ ଖେଳାଳିଙ୍କ ପ୍ରତିଭା କେବଳ ଜିଲ୍ଲା ସ୍ତରରେ ସୀମିତ ରହିଯାଉଛି। ସେହିଭଳି ଖେଳାଳିଙ୍କୁ ଚୟନ କରି ତାଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି," କହିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନ।

ସେ ଆହୁରି କହିଛନ୍ତି, "ଯୁବ ଖେଳାଳିଙ୍କ ପ୍ରତିଭା ବିକାଶ ହେବା ଦରକାର। ମୋର ପ୍ରଶଂସା ଶୁଣିବା ଦରକାର ନାହିଁ। ମୁଁ ଏକା ଚାହିଁଲେ କିଛି ହେବନି। କ୍ରିକେଟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସହାୟତା ଦରକାର।’’

ବିଭିନ୍ନ କର୍ପୋରେଟ ସେକ୍ଟର ଏନେଇ ଆଗେଇ ଆସିବା କଥା। ତା ଛଡ଼ା ତୃଣମୂଳସ୍ତରରୁ ଖେଳାଳି ଚୟନ ପାଇଁ ଆମକୁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। କାରଣ କ୍ରୀଡ଼ା ବିଭାଗ ପାଖରେ ଉପଯୁକ୍ତ ଭିତ୍ତିଭୂମି ରହିଛି ତୃଣମୂଳସ୍ତରରୁ ପ୍ରତିଭା ଚୟନ କରିବା ନେଇ। ତେଣୁ ସରକାରଙ୍କ ସହଯୋଗ ଲୋଡ଼ା। ଏନେଇ କ୍ରୀଡା ବିଭାଗ ସହ ଆଲୋଚନା କରିଛୁ ବୋଲି କହିଛନ୍ତି ଆଜାରୁଦ୍ଦିନ।

ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରେ ଓଡ଼ିଶାରୁ ଅନ୍ୟ କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ଖେଳିପାରି ନାହାଁନ୍ତି। ଯଦିଓ ପ୍ରଜ୍ଞାନ ଓଝା ଓଡ଼ିଆ। କିନ୍ତୁ ସେ ହାଇଦ୍ରାବାଦରୁ ଖେଳିଛନ୍ତି। ତେଣୁ ଏହି ଦୁଇ ଓଡ଼ିଆ ଖେଳାଳିଙ୍କ ବ୍ୟତୀତ ଅନ୍ୟ କେହି ଏବେ ଯାଏ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇ ନାହାଁନ୍ତି। ତେବେ ଏନେଇ କେବଳ କହିଲେ ହେବନି। ଖେଳାଳିଙ୍କୁ ସେହିଭଳି ପ୍ରସ୍ତୁତ କରିବା ଦରକାର ବୋଲି ଆଜାରୁଦ୍ଦିନ କହିଛନ୍ତି।

ଉଭୟ ରାଜ୍ୟ ସରକାର ଓ ଓଡ଼ିଶା କ୍ରିକେଟ ଆସୋସିଏସନ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାରେ ଅନେକ ପ୍ରତିଭା ଅଛନ୍ତି। ସୁଯୋଗ ମିଳିଲେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ। ରାଜ୍ୟ ତଥା ଦେଶର ନାଁ ରଖିବେ।
Published by:Lipina Das
First published: