ଜେରେମି ଲାଲ୍ରିନ୍ନୁଙ୍ଗା (ପ୍ରତୀକାତ୍ମକ ଛବି)
News 18 Odia Digital
CWG 2022: ବର୍ମିଂହାମରେ କମନୱେଲଥ ଗେମ୍ସ ୨୦୨୨ ଆୟୋଜିତ ହୋଇଛି । ଏହାର ତୃତୀୟ ଦିନରେ ଭାରତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ପାଇଛି । ଭାରୋତ୍ତୋଳନରେ ଚମତ୍କାର ପ୍ରଦର୍ଶନ କରି ଜେରେମି ଲାଲ୍ରିନ୍ନୁଙ୍ଗା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କ୍ଲିନ୍ ଏବଂ ଜର୍କରେ ୧୬୦ କିଲୋଗ୍ରାମର ଭାର ଉଠାଇଥିବା ବେଳେ ସ୍ନୈଚରେ ୧୪୦ କିଲୋଗ୍ରାମ ଭାର ଉଠାଇଥିଲେ। ଜେରେମି ସ୍ନୈଚରେ ୧୪୦ କିଲୋଗ୍ରାମ ଭାର ଉଠାଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ପୁରୁଷ ୬୭ କିଲୋ ବର୍ଗର ଫାଇନାଲରେ ୱାଇପାୱା ନେଭୋ ଇଆନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
ପୁରୁଷ ୬୭ କିଲୋଗ୍ରାମ ବର୍ଗର ଫାଇନାଲରେ ଜେରେମିଙ୍କୁ ସାମୋଆର ଭାରୋତ୍ତୋଳନକାରୀ ୱାଇପାୱା ନେଭୋ ଇଆନ କଡ଼ା ଟକ୍କର ଦେଉଥିଲେ । କିନ୍ତୁ ଶେଷରେ ଜେରେମି ବାଜି ମାରି ଥିଲେ । ପ୍ରଥମ ପ୍ରୟାସରେ ଜେରେମି ୧୩୬ ଏବଂ ଦ୍ୱିତୀୟରେ ୧୪୦ କିଲୋଗ୍ରାମ ଭାର ଉଠାଇଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ସେ ୧୪୩ କିଲୋଗ୍ରାମ ଭାର ଉଠାଇ ପାରିଲେ ନାହିଁ । ଏହା ପରେ ସେ କ୍ଲିନ୍ ଏବଂ ଜର୍କ ଆଡକୁ ଗଲେ । ଏଥିରେ ସେ ପ୍ରଥମ ପ୍ରୟାସରେ ୧୫୪ ଏବଂ ଦ୍ୱିତୀୟରେ ୧୬୦ କିଲୋଗ୍ରାମ ଭାର ଉଠାଇ ମ୍ୟାଚ ଜିତିଥିଲେ। କମନୱେଲଥ ଗେମ୍ସ ପାଇଁ ଏହା ଏକ ରେକର୍ଡ ସୃଷ୍ଟି କରିଛି ।
ଇଂଲଣ୍ଡର ଭାରୋତ୍ତୋଳକ ଜସୱନ୍ତ ସିଂ ଶେର୍ଗିଲ ଚତୁର୍ଥ ସ୍ଥାନରେ ରହିଥିଲେ । ସେ ସ୍ନୈଚର ପ୍ରଥମ ପ୍ରୟାସରେ ୧୧୦ କିଲୋଗ୍ରାମ ଏବଂ ଦ୍ୱିତୀୟରେ ୧୧୪ କିଲୋଗ୍ରାମ ଭାର ଉଠାଇଥିଲେ । କ୍ଲିନ୍ ଏବଂ ଜର୍କରେ ୧୪୦ ଓ ୧୪୬ କିଲୋଗ୍ରାମ ଭାର ଉଠାଇଥିଲେ । ଶ୍ରୀଲଙ୍କାର ଭାରୋତ୍ତୋଳକ ଚାଟୁରଙ୍ଗା ଜୟସୁରିଆ ପଞ୍ଚମ ସ୍ଥାନରେ ରହିଛନ୍ତି । ସମ୍ବାଦ ଲେଖିବା ପର୍ଯ୍ୟନ୍ତ କମନୱେଲଥ ଗେମ୍ସ ୨୦୨୨ ରେ ଭାରତ ୫ଟି ପଦକ ପାଇଛି ଏବଂ ଭାରୋତ୍ତୋଳନରେ ହିଁ ୫ଟି ଯାକ ପଦକ ମିଳିଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।