News 18 Odia Digital
ଭୁବନେଶ୍ୱର: IPLରେ ବିଦେଶୀ ଖେଳାଳିଙ୍କ ସହ ଘରୋଇ କ୍ରିକେଟର ସେମାନଙ୍କର ଛାପ ଛାଡ଼ିବାରେ ବେଶ୍ ସଫଳ ହେଉଛନ୍ତି । ବହୁ ନୂଆ କ୍ରିକେଟର (Cricketer) ଏହାରି ଭିତରେ ଦେଶ ପାଇଁ ପ୍ରତିନିଧିତ୍ବ କରିସାରିଲେଣି । ହେଲେ ଓଡ଼ିଶାର ମାତ୍ର ୪ ଖେଳାଳି ଏହି ବିଗ୍ ଇଭେଣ୍ଟରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଖେଳାଳି ଆଇପିଏଲ୍ ଖେଳିସାରିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଉପରେ। ସିଏସ୍କେ (csk)ରେ ଶୁଭ୍ରାଂଶୁଙ୍କୁ ଏଥର ଖେଳିବାକୁ ସୁଯୋଗ ମିଳିବା ନେଇ ଅନେକ ଆଶାବାଦୀ ଅଛନ୍ତି।
ଗତବର୍ଷ ପ୍ରଥମ ଥର ମୂଳଦରରେ ସିଏସ୍କେ ପାଇଁ କିଣା ହୋଇଥିବା ଶୁଭ୍ରାଂଶୁ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ। ଏଥର ଶୁଭ୍ରାଂଶୁଙ୍କୁ ସିଏସ୍କେ ନିଜ ଦଳରେ କାଏମ୍ ରଖିଥିବାରୁ ତାଙ୍କ ଉପରେ ଦଳ ଅଧିକ ଭରସା ରଖୁଥିବା ସ୍ପଷ୍ଟ ହେଉଛି। ଏପରିକି ଜଣେ ଆକ୍ରମଣାତ୍ମକ ଖେଳାଳି ହୋଇଥିବାରୁ ଚଳିତ ସଂସ୍କରଣରେ ତାଙ୍କୁ ଏକାଧିକ ମ୍ୟାଚ୍ରେ ଖେଳୁଥିବା ଦେଖିବାକୁ ମିଳିପାରେ। ହେଲେ ମହେନ୍ଦ୍ର ସିଂହ ଧୋନି (ms dhoni) ଚୂଡ଼ାନ୍ତ ଏକାଦଶରେ କମ୍ ପରିବର୍ତ୍ତନ କରୁଥିବା ଜଣେ ଅଧିନାୟକ । ଆଉ ଆଗକୁ ଆଇପିଏଲ ଅଧିକ ରୋଚକ ହେଲେ, ଶୁଭ୍ରାଂଶୁ ଏଥର ବି ଯେ ଚେନ୍ନାଇ ପାଇଁ ଖେଳିବେ, ତାକୁ ନେଇ ସନ୍ଦେହ କରାଯାଇପାରେ । ତଥାପି ଆଇପିଏଲ୍ରେ ଓଡ଼ିଶା ଖେଳାଳି ଖେଳିବା ନୂଆ ନୁହେଁ। ପୂର୍ବରୁ ୱିକେଟରକ୍ଷକ ବ୍ୟାଟର ହଳଧର ଦାସ ଡେକାନ ଚାର୍ଜର୍ସ ପାଇଁ ଖେଳିସାରିଛନ୍ତି ।
ସେହିପରି ବିପ୍ଳବ ସାମନ୍ତରାୟ ଡେକାନ ଚାର୍ଜର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏବଂ ନଟରାଜ ବେହେରା କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ପକ୍ଷରୁ ଖେଳିବାକୁ ଚୁକ୍ତିଭୁକ୍ତ ହୋଇଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ହଳଧର ଓ ବିପ୍ଳବ ଖେଳିବାକୁ ସୁଯୋଗ ପାଇଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ଅଲରାଉଣ୍ଡର ଅଭିଷେକ ରାଉତ ପୂର୍ବରୁ ଗୋଆ ଓ ମହାରାଷ୍ଟ୍ର ପାଇଁ ଖେଳୁଥିବା ବେଳେ ରାଜସ୍ଥାନ ରୟାଲ୍ସ (rajasthan royals) ପକ୍ଷରୁ ଆଇପିଏଲ୍ରେ ଖେଳିସାରିଛନ୍ତି। ଆଇପିଏଲ୍ର ପ୍ରଥମ ସଂସ୍କରଣରେ ହଳଧର ଦାସଙ୍କୁ ଡେକାନ ଚାର୍ଜର୍ସ ତିନି ବର୍ଷ ପାଇଁ ୬୦ ଲକ୍ଷ ଟଙ୍କାରେ କିଣିଥିଲା। ଆଦାମ ଗିଲଖ୍ରୀଷ୍ଟ ଦଳର ମୁଖ୍ୟ ୱିକେଟରକ୍ଷକ ଥିବାରୁ ହଳଧରଙ୍କୁ ସୁଯୋଗ ମିଳୁନଥିଲା। ତଥାପି ଗୋଟିଏ ମ୍ୟାଚ୍ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲେ ବି ସେଥିରେ ୫ ବଲ୍ରୁ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରଠୁ ସେ ଆଉ ଦ୍ବିତୀୟ ଥର ଆଇପିଏଲ୍ରେ ସୁଯୋଗ ପାଇନାହାନ୍ତି। ସେହିପରି ୨୦୧୨ରେ ଡେକାନ୍ ଚାର୍ଜର୍ସ ବାରବାଟୀ ଷ୍ଟାଡିୟମ୍ (barabati stadium)କୁ ଘରୋଇ ପଡ଼ିଆ କରିବା ପରେ ସ୍ଥାନୀୟ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ବିପ୍ଳବ ସାମନ୍ତରାୟଙ୍କୁ ଦଳରେ ସାମିଲ କରିଥିଲା। ବିପ୍ଳବ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲା ବେଳେ ୨ ରନ୍ କରିଥିଲେ। ଏହାପରଠୁ ଡେକାନ୍ ଆଇପିଏଲ୍ରୁ ବାଦ୍ ପଡ଼ିବା ପରେ ସନରାଇଜର୍ସ ହାଇଦ୍ରାବାଦ (sunrisers hyderabad) ନୂଆ ଦଳ ଭାବେ ୨୦୧୩ରେ ଆସିଥିଲା। ଏହି ଦଳ ବିପ୍ଳବଙ୍କୁ ସୁଯୋଗ ଦେଇଥିଲା ବେଳେ ସନରାଇଜର୍ସ ପାଇଁ ସେ ୭ ମ୍ୟାଚ୍ ଖେଳିଥିଲେ। ଯେଉଁଥିରୁ ୨୪.୬୦ ହାରରେ ୧ ଅର୍ଦ୍ଧଶତକ ସହ ୧୨୩ ରନ୍ ସଂଗ୍ରହ କରିଛନ୍ତି । ତେବେ ସନରାଇଜର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ କମ୍ ସ୍କୋର ବିଶିଷ୍ଟ ମ୍ୟାଚ୍ରେ ବିପ୍ଳବ ନିଜ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ୫୫ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସଂସ୍କରଣ ପରଠୁ ତାଙ୍କୁ ଆଉ ଆଇପିଏଲ୍ରେ ସୁଯୋଗ ମିଳିନି ।
ଅଲ୍ରାଉଣ୍ଡର ଅଭିଷେକ ରାଉତ ୨୦୦୯ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ରେ ଖେଳିଥିଲେ। ଜଣେ ଓଡ଼ିଆ ଖେଳାଳି ଭାବେ ସବୁଠୁ ଅଧିକ ସଂସ୍କରଣରେ ଅଭିଷେକ ଖେଳିଛନ୍ତି। ରାଜସ୍ଥାନ ରୟାଲ୍ସ ପାଇଁ ସେ ୨୦୧୧ ପର୍ଯ୍ୟନ୍ତ ମୋଟ୍ ୨୨ ମ୍ୟାଚ୍ ଖେଳିଛନ୍ତି। ତେବେ ୧୬ ପାଳିରେ ସେ ବ୍ୟାଟିଂ କରିଥିଲା ବେଳେ ମୋଟ ୧୯୪ ରନ୍ ସଂଗ୍ରହ କରିଥିଲେ। ୨୦୦୯ରେ ୯ ମ୍ୟାଚ୍ ଖେଳିଥିଲା ବେଳେ ସେଥିରୁ ୭୮ ରନ୍, ୨୦୧୦ରେ ୬ ମ୍ୟାଚ୍ରୁ ୫୬ ରନ୍ ଓ ୨୦୧୧ରେ ୭ ମ୍ୟାଚ୍ରୁ ୬୦ ରନ୍ କରିଥିଲେ। ଜଣେ ଭଲ ଲେଗ୍ ସ୍ପିନର ହୋଇଥିଲେ ବି ତାଙ୍କୁ ଗୋଟିଏ ବି ୱିକେଟ୍ ମିଳିନଥିଲା। ଆଉ ଏଥର ଶୁଭ୍ରାଂଶୁ ପଦାର୍ପଣ ଆଇପିଏଲ୍ ମ୍ୟାଚ ଖେଳନ୍ତୁ, ସେ ନେଇ ସବୁ ଓଡ଼ିଆ କ୍ରିକେଟପ୍ରେମୀ ଅନାଇ ବସିଛନ୍ତି ।
ଏହି ଖବର ପଢ଼ନ୍ତୁ-
ସମ୍ପର୍କ ସ୍ଥାପନ ପରେ ଦୁଃଖ ଅନୁଭବ କରେ ମହିଳା ଅକ୍ଟୋପସ୍: ନିଜକୁ ନିର୍ଯାତନା ଦେଇ କରେ ଆତ୍ମହତ୍ୟା!ରିପୋର୍ଟ- ରାଧାକାନ୍ତ ଦାସ
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।