News18 Odia Digital
RCB vs DC: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ୍ ୨୦୨୩ର ୫୦ତମ ମ୍ୟାଚ୍ରେ ଆରସିବିକୁ ପାଣି ପିଆଇଲା ଦିଲ୍ଲୀ କ୍ୟାପିଟାଲ୍ସ। ଫିଲିପ୍ ସଲ୍ଟଙ୍କ ଧୁଆଁଧାର ପ୍ରଦର୍ଶନରେ ଧରାଶାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୧୮୨ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ ପାଇଁ ଅତି ସହଜସାଧ୍ୟ ସାବ୍ୟସ୍ଥ ହୋଇଚି। ନିର୍ଦ୍ଧାରିତ ଓଭର ପୂର୍ବରୁ ମାତ୍ର ୩ ଓ୍ବିକେଟ ହରାଇ ଆର୍ସିବି ଠାରୁ ମ୍ୟାଚ୍ ଛଡ଼ାଇ ଦେଇଛି ଦିଲ୍ଲୀ ଟିମ୍।
ଶନିବାର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୫୦ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଲିପ ସଲ୍ଟଙ୍କ ଧୂଆଁଧାର ୮୭ ରନ ବଳରେ ବାଙ୍ଗାଲୋରକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି। ବିରାଟ କୋହଲିଙ୍କ ୫୫ ରନ, ଫାଫ ଡୁପ୍ଲେସିସ୍ଙ୍କ ୪୫ ଏବଂ ମହିପାଲ୍ ଲୋମରୋରଙ୍କ ଅପରାଜିତ ୫୪ ରନ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବିଜୟ ଫଳରେ ଦିଲ୍ଲୀ କ୍ୟାପିଟାଲ୍ସର ଚଳିତ ଆଇପିଏଲରେ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ପାରିଛି। ଦଳ ୧୦ମ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ସେହି ସମାନ ସଂଖ୍ୟକ ମ୍ୟାଚ୍ରୁ ଆରସିବି ପଞ୍ଚମ ପରାଜୟ ଭୋଗିଛି।
୧୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଦିଲ୍ଲୀର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ଫିଲିପ ସଲ୍ଟ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୫.୧ ଓଭରରେ ୬୦ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଓ୍ଵାର୍ଣ୍ଣର ବ୍ୟକ୍ତିଗତ ୨୨ ରନ ସ୍କୋରରେ ଆଉଟ୍ ହୋଇଥିଲେ। ଏହା ପରେ ଫିଲିପ୍ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରି ବାଙ୍ଗାଲୋର ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ।
ଆରସିବିର କୌଣସି ରଣନୀତି ତାଙ୍କ ଆଗରେ ଫେଲ୍ ମାରିଥିଲା। ସଲ୍ଟ ଏବଂ ମିଚେଲ୍ ମାର୍ଶ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡି ଦଳର ସ୍କୋରକୁ ୧୧୯ ରନରେ ପହଞ୍ଚାଇଥିଲେ। ମାର୍ଶ ୨୬ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ଅର୍ଦ୍ଧଶତକ ପୂରଣ କରିଥିଲେ ସଲ୍ଟ। ସେ ରିଲି ରୁସୋଙ୍କ ସହ ଦ୍ରୁତ ବ୍ୟାଟିଂ ଜାରି ରଖି ତୃତୀୟ ଓ୍ଵିକେଟ୍ରେ ଆଉ ଏକ ଅର୍ଦ୍ଧଶତକୀୟ ୫୨ ରନ ଯୋଡ଼ି ଦିଲ୍ଲୀ ବିଜୟ ସୁନିଶ୍ଚତ କରିଥିଲା ।
ପଢନ୍ତଉ ଏହି ଖବର :
Odisha News: ରାଜ୍ୟରେ ନିଯୁକ୍ତି ପାଇବେ ୬୪୨ ନୂଆ ଶିକ୍ଷକ; ୧୦୬ ହାଇସ୍କୁଲ୍ରେ ଖୋଲିବ ଦ୍ୱାଦଶ ଶ୍ରେଣୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।