News18 Odia Digital
India Vs Pakistan: ଆଇସିସି ଓଡ଼ିଆଇ (ODI ) ବିଶ୍ୱକପ୍ ୨୦୨୩ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ । ଏହି ବଡ ଟୁର୍ନାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମ ହେଉଛି ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଯାହାର କ୍ଷମତା ୧ ଲକ୍ଷରୁ ଅଧିକ । ବର୍ତ୍ତମାନ ଏକ ରିପୋର୍ଟରେ କୁହାଯାଇଛି ଯେ ଚେନ୍ନାଇରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳା ଯାଇପାରେ । ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ଥାନ ମ୍ୟାଚ୍ ଅକ୍ଟୋବର ୧୫ ରବିବାର ଦିନ ଖେଳାଯିବ ।
କ୍ରିକବଜ୍ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତ ସଂସ୍କରଣର ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ । ଫାଇନାଲ୍ ମଧ୍ୟ ନଭେମ୍ବର ୧୯ରେ ସମାନ ସ୍ଥାନରେ ଅନୁଷ୍ଠିତ ହେବ । ଏଥିସହ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ସାତୋଟି ସ୍ଥାନରେ ଭାରତର ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଯଦି ଆୟୋଜକ ଦଳ ଫାଇନାଲରେ ପ୍ରବେଶ କରନ୍ତି, ତେବେ ଭାରତ-ପାକିସ୍ତାନ ମ୍ୟାଚ୍ ବ୍ୟତୀତ ଅହମ୍ମଦାବାଦରେ ଆଉ ଗୋଟିଏ ମ୍ୟାଚ୍ ମଧ୍ୟ ଦେଖିବାକୁ ମିଳିବ ।
ପାଞ୍ଚ ଥର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଚେନ୍ନାଇର ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ୧୯୯୨ ବିଶ୍ୱକପ ବିଜେତା ପାକିସ୍ତାନ ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ।
ଅହମ୍ମଦାବାଦ ବ୍ୟତୀତ ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ, କୋଲକାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୁଆହାଟି, ରାଜକୋଟ, ରାୟପୁର ଓ ମୁମ୍ବାଇ ଏହି ସ୍ଥାନରେ ହେବ । ବିଶ୍ୱକପ୍ ମ୍ୟାଚ୍ ଖେଳାଯିବାକୁ ଥିବା ଷ୍ଟାଡିୟମ ତାଲିକାରୁ ମୋହାଲି ଓ ନାଗପୁର ବାଦ୍ ପଡ଼ିଛନ୍ତି ।
୨୦୧୯ ବିଶ୍ବକପ୍ ସଂସ୍କରଣ ପରି, ମ୍ୟାଚ୍ ଗୁଡିକ ଏକ ରାଉଣ୍ଡ-ରୋବିନ୍ ଫର୍ମାଟରେ ଖେଳାଯିବ, ଯେଉଁଠାରେ ପ୍ରତ୍ୟେକ ଦଳ ଅନ୍ତତଃ ପକ୍ଷେ ଥରେ ଅନ୍ୟ ବିପକ୍ଷରେ ଖେଳିବେ । ତା’ପରେ ପ୍ରତ୍ୟେକ ଦଳ ୯ଟି ମ୍ୟାଚ୍ ଖେଳିବା ପରେ ଶେଷରେ ଶ୍ରେଷ୍ଠରେ ଯେଉଁ ଚାରିଟି ଦଳ ରହିବେ, ସେହିମାନେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ବିଶ୍ୱକପ୍ରେ ମୋଟ ୧୦ ଟି ଦଳ ଓ ୪୮ଟି ମ୍ୟାଚ୍ ଖେଳାଯିବ ।
ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ରେ ଆଠଟି ଦଳ ଯୋଗ୍ୟତା ହାସଲ କରିଛନ୍ତି । ଚେଲମସଫୋର୍ଡରେ ବାଂଲାଦେଶ-ଆୟର୍ଲାଣ୍ଡ ସୁପର ଲିଗ୍ ମ୍ୟାଚ୍ ବର୍ଷା ଧୋଇବା ପରେ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଦିନ ନିଜର ସ୍ଥାନ ନିଶ୍ଚିତ କରିଛି । ବାସ୍ତବରେ, ଆଇସିସି ODI ସୁପର ଲିଗ୍ ମାଧ୍ୟମରେ ବିଶ୍ୱକପ୍ରେ ପ୍ରବେଶ କରିବାକୁ ହେଲେ ଆୟର୍ଲାଣ୍ଡକୁ ସିରିଜର ତିନୋଟି ମ୍ୟାଚ୍ ଜିତିବାର ଆବଶ୍ୟକ ଥିଲା । ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ନିଜେ ନିଜେ ଯୋଗ୍ୟତା ଅର୍ଜନ କରିବାକୁ ସକ୍ଷମ ନଥିଲା । କିନ୍ତୁ ବର୍ତ୍ତମାନ ଆୟର୍ଲାଣ୍ଡକୁ ଜୁନ୍ ଓ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତିମ ଯୋଗ୍ୟତା ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିବ । ଏଥି ସହିତ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ବାଂଲାଦେଶ ନିଜର ସ୍ଥାନ ସୁରକ୍ଷିତ କରିସାରିଛି ।
୮ଟି ଦଳ ଯେଉଁମାନେ ଓଡ଼ିଆଇ (ODI) ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି : ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ।
ପଢନ୍ତୁ ଏହି ଖବର :
Oil Prices: ୩୦ ଟଙ୍କା ହ୍ରାସ ପାଇଲା ଖାଇବା ତେଲ... ଜାଣନ୍ତୁ କେଉଁ କମ୍ପାନୀ କେତେ ହ୍ରାସ କଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।