୧୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍ ଜିତିବା ଆଡ଼କୁ ଭାରତ ଅଗ୍ରସର
News18 Odia Digital
ବର୍ମିଂହାମ୍: ଚଳିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟମ୍ୟାଚରେ କ୍ରମାଗତ ତୃତୀୟ ଦିନରେ ମଧ୍ୟ ଭାରତର ପ୍ରାଧାନ୍ୟ ଜାରି ରହିଛି। ୧୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍ ଜିତିବା ଆଡ଼କୁ ଭାରତ ଅଗ୍ରସର ହେଉଛି। ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ କାରଣରୁ ବର୍ମିଂହାମ୍ ଟେଷ୍ଟ୍ରେ ଭାରତକୁ ପ୍ରଥମ ପାଳିରେ ୧୩୨ ରନର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି।
ଜନି ବେୟାରଷ୍ଟୋଙ୍କ ଆଉ ଏକ ଶତକ ସତ୍ତ୍ବେ ଇଂଲଣ୍ଡ ନିଜର ପ୍ରଥମ ପାଳିରେ ୨୮୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଜବାବରେ ଭାରତ ଦ୍ବିତୀୟ ପାଳିରେ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୩ ୱିକେଟ୍ ବିନିମୟରେ ୧୨୫ ରନ୍ କରି ମୋଟ ଉପରେ ୨୫୭ ରନ୍ରେ ଆଗୁଆ ରହିଥିଲା।
ରବିବାର ତୃତୀୟ ଦିନ ଖେଳ ଆରମ୍ଭ ବେଳକୁ ଇଂଲଣ୍ଡ ୩୨୨ ରନ୍ ପଛରେ ଥିଲା। ଅତ୍ୟନ୍ତ ଦୟନୀୟ ସ୍ଥିତି ୮୪/୫ରୁ ଖେଳିଥିବା ଘରୋଇ ଦଳ ପାଇଁ ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ସକାରାତ୍ମକ ଆରମ୍ଭ କରିଥିଲେ।
ବେୟାରଷ୍ଟୋ ତାଙ୍କ ଚମତ୍କାର ଫର୍ମ ଜାରି ରଖି ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୧୯ ବଲ୍ରୁ ୧୦୦ ରନ୍ ପୂରଣ କରି ନିଜର ଏକାଦଶ ଶତକ ଅର୍ଜନ କରିଥିଲେ। ଭାରତ ବିପକ୍ଷରେ କିନ୍ତୁ ଏହା ଥିଲା ତାଙ୍କ ପ୍ରଥମ ଶତକ। ଏହା ପୂର୍ବରୁ କିନ୍ତୁ ଦୁଇ ଥର ଜୀବନଦାନ ପାଇଥିବା ଷ୍ଟୋକ୍ସଙ୍କୁ ଶାର୍ଦୁଳ ଠାକୁର, ବୁମ୍ରାଙ୍କ ହାତରେ କ୍ୟାଚ୍ କରାଇ ୬୬ ରନ୍ର ଭାଗୀଦାରିକୁ ଅଲଗା କରିଦେଇଥିଲେ।
କ୍ରମାଗତ ତୃତୀୟ ଦିବସରେ ବର୍ଷା କାରଣରୁ ଆଗୁଆ ମଧ୍ୟାହ୍ନ ଭୋଜନ ହୋଇଥିଲା। ସେତେବେଳକୁ ଇଂଲଣ୍ଡ ୨୦୦/୬ରେ ରହିଥିଲା। ସବୁ ବୋଲରଙ୍କୁ ପ୍ରହାର କରିଥିବା ବେୟାରଷ୍ଟୋଙ୍କୁ ଚା’ପାନ ବିରତି ପରେ ମହମ୍ମଦ ସାମି ଆଉଟ୍ କରି ଭାରତ ପାଇଁ ଆଶ୍ବସ୍ତି ଆଣିଥିଲେ।
ଏଥି ସହ ଇଂଲଣ୍ଡ ମଧ୍ୟ ନିଜର ଶେଷ ୪ ୱିକେଟ୍ ୪୩ ରନ୍ ଭିତରେ ହରାଇ ୨୮୪ ରନ୍ରେ ଅଟକିଯାଇଥିଲା। ଏଥି ସହ ଇଂଲଣ୍ଡ ଧରାସାହୀ ହୋଇପଡ଼ିଥିଲା। ଶେଷ ୩ ୱିକେଟ୍କୁ ମହମ୍ମଦ ସିରାଜ ପୋଛି ନେଇ ୪/୬୬ ବୋଲିଂ ପାଇଥିଲେ। ବୁମ୍ରାଙ୍କୁ ୩ ଓ ସାମିଙ୍କୁ ୨ ୱିକେଟ୍ ମିଳିଥିବା ବେଳେ ଠାକୁର ଗୋଟିଏ ୱିରେଟ୍ ନେଇଥିଲେ।
ପ୍ରଥମ ପାଳିରେ ୧୩୨ ରନ୍ ଆଗୁଆ ଥିବା ଭାରତର ଶୀର୍ଷକ୍ରମ ଠାରୁ ଭଲ ଆରମ୍ଭର ଆବଶ୍ୟକତା ଥିଲେ ମଧ୍ୟ ତାହା ମିଳିନଥିଲା। ପ୍ରଥମ ଓଭରରେ ଶୁବମନ ଗିଲ୍ଙ୍କୁ ଜେମ୍ସ ଆଣ୍ଡରସନ୍ ସ୍ଲିପ୍ରେ କ୍ୟାଚ୍ କରାଇ ନେଇଥିଲେ।
ହନୁମା ବିହାରୀ ଓ ବିରାଟ କୋହଲି ଯଥାକ୍ରମେ ବ୍ରଡ୍ ଓ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ବ୍ୟାଟିଂ ଆରମ୍ଭରୁ ତିନିଟି ଦର୍ଶନୀୟ ଚୌକା ମାରିଥିଲେ ମଧ୍ୟ କ୍ରମେ ସଞ୍ଜମତାର ସହ ଖେଳିଥିଲେ କୋହଲି। ଷ୍ଟୋକ୍ସଙ୍କ ସୁଇଙ୍ଗ୍ ଆଗରେ କିନ୍ତୁ କୋହଲି କିଂ କର୍ତବ୍ୟ ବିମୁଢ଼ ହୋଇ ୱିକେଟ୍ ପଛ ପଟକୁ କ୍ୟାଚ୍ ଦେଇ ଫେରିଥିଲେ। ୱିକେଟରକ୍ଷକ ସାମ ବିଲିଙ୍ଗ୍ସଙ୍କ ଗ୍ଲୋଭ୍ସରୁ ବଲ୍ ବାହାରିଯାଉଥିବା ବେଳେ ପ୍ରଥମ ସ୍ଲିପ୍ରେ ଥିବା ରୁଟ୍ ଏହାକୁ କାବୁ କରି ଉଲ୍ଲାସରେ ଅଧା ପଡ଼ିଆ ଦୌଡ଼ିଥିଲେ। ଚେତେଶ୍ବର ପୂଜାରା କିନ୍ତୁ ଅସୀମ ଧୈର୍ଯ୍ୟର ସହ ଖେଳି ଚାଲିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।