କଟକର ବାରବାଟୀ ଷ୍ଟାଡିୟମର ଏକ ଦୃଶ୍ୟ
News18 Odia Digital
କଟକ: ଆଜି ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ। ମ୍ୟାଚ ପାଇଁ କାଉଣ୍ଟରରେ ଆଗରେ ଲାଗିଛି ପ୍ରବଳ ଭିଡ଼। ୧୨ ହଜାର ୯୩ଟି ଟିକେଟକୁ କାଉଣ୍ଟରରେ ବିକ୍ରି ପାଇଁ ଧାର୍ଯ୍ୟ କରିଛି ଓସିଏ ।
୧୨ ହଜାର ୯୩ଟି ଟିକେଟ ମଧ୍ୟରେ ୧୩୬୨ଟି ଟିକେଟ ଉଚ୍ଚଦର ବିଶିଷ୍ଟ ହୋଇଥିବା ବେଳେ ଅବଶିଷ୍ଟ ୧୦ ହାଜର ୭୩୧ଟି ଗ୍ୟାଲେରୀ ଟିକେଟ ରହିଛି । ତେବେ ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମ ପରିସରରେ ମୋଟ ୯ଟି ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଥର ଦୁଇଟି କାଉଣ୍ଟରକୁ ମହିଳା ଦର୍ଶକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।
ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ ଦେଖି ପ୍ରଥମ ଦିନ ହିଁ ସମସ୍ତ ଟିକେଟ ବିକ୍ରି ହୋଇଯିବ ବୋଲି ଅନୁମାନ କରାଯାଉଛି ।
"ବହୁତ ଦିନ ପରେ ବାରବାଟୀରେ ଆନ୍ତଜାତିକ ମ୍ୟାଚ ହେଉଛି । ଏହି ମାଚକୁ ଦେଖିବା ପାଇଁ ମୋ ଭିତରେ ବ୍ୟାକୁଳତା କେତେ ରହିଛି ତାହାକୁ ମୁଁ ଭାଷାରେ ବର୍ଣ୍ଣନା କରି ପାରୁନାହିଁ । ସେଥିପାଇଁ ମୁଁ ଏବେ ଠାରୁ ଲାଇନରେ ଛିଡ଼ା ହେବାକୁ ପ୍ରସ୍ତୁତ ଅଛି । ଯାହାବି ହେଲେ ମୁଁ ଷ୍ଟାଡିୟମରେ ବସି ଏହି ମ୍ୟାଚଟିକୁ ଦେଖିବି," କହିଛନ୍ତି କଟକ ବାସିନ୍ଦା ସନ୍ତୋଷ ସାହୁ ।
ସେପଟେ ଟିକେଟ କାଉଣ୍ଟର ଆଗରେ ଲାଗିବାକୁ ଥିବା ଭିଡ଼କୁ ଦେଖି ପୋଲିସ ପକ୍ଷରୁ ଆଗୁଆ ବ୍ୟବସ୍ଥା କରାଯାଇଛି । ଟିକେଟ ବିକ୍ରି ସମୟରେ ଶୃଙ୍ଖଳା ରକ୍ଷା ଓ ସୁରକ୍ଷା ରକ୍ଷା କରିବା ପାଇଁ ଷ୍ଟାଡିୟମ ପରିସରରେ ମୋଟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ କିଛିଟା ଟ୍ରଫିକ କଟକଣା ମଧ୍ୟ ଲଗାଯାଇଛି ।
"ଲୋକମାନେ ଯେମିତି ଶୃଙ୍ଖଳିତ ଭାବରେ ଟିକେଟ କିଣନ୍ତୁ ସେଥିପାଇଁ ଆମେ ସ୍ବତନ୍ତ୍ର ଧ୍ୟାନ ଦେଇଛୁ । ବିଶେଷ କରି ଟିକେଟର କଳାବଜାରୀ ଓ ଜାଲିଆତି ରୋକିବା ପାଇଁ ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି । ଟିକେଟ ବିକ୍ରି ସମୟରେ ସେପରି କୌଣସି ଅନିୟମିତତା ନ ହୁଏ ସେଥି ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଯେଉଁମାନେ ଏହାର ଖିଲାପି କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।