ଦ୍ଵିତୀୟ ଟି-୨୦ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳୀ

ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ । କଡ଼ା ସୁରକ୍ଷା ଭିତରେ ଉଭୟ ଟିମଙ୍କୁ ହୋଟେଲକୁ ଆଣିଛି କମିଶନରେଟ ପୋଲିସ।

ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳୀ (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ । ଉଭୟ ଟିମ ବିମାନବନ୍ଦରରେ ପହଁଚିବା ପରେ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଆଣିଛି କମିଶନରେଟ ପୋଲିସ।  ବିମାନବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ କାରକେଟ ଜରିଆରେ ଟିମ ହୋଟେଲରେ ପହଞ୍ଚି ଥିଲେ। ଉଭୟ ଟିମକୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ ରାସ୍ତା କଡରେ ଦର୍ଶକ ମାନେ ଛିଡ଼ା ହୋଇ ହାତ ହଲାଇଥିଲେ ।

କଟକ ବାରବାଟୀରେ ସୁପରସଣ୍ଡେରେ ହେବ ମହା ମୁକାବିଲା । ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ଯୋଜନା କରିଥିବା ବେଳେ ଭ୍ରମଣକାରୀ ଟିମ ବିଜୟ ଜାରି ରଖିବାକୁ ଚେଷ୍ଟା କରିବ। ଦିନ ପ୍ରାୟ ୧.୫୦ ମିନିଟ ସମୟରେ ବିମାନବନ୍ଦରରେ ପହଞ୍ଚିଥିଲା ଖେଳାଳୀଙ୍କ ବିମାନ। ଖେଳାଳୀଙ୍କୁ ହୋଟେଲ ପର୍ଯ୍ୟନ୍ତ ନେବାକୁ ପୂର୍ବରୁ  ଦୁଇଟି ବସ ବ୍ୟବସ୍ଥା କରାଯାଇଥିଲା। ତା ସାଙ୍ଗକୁ ଏମରଜେନ୍ସି ପାଇଁ ଆଉ ଦୁଇଟି ବସର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଠିକ ଦିନ ୨ଟା ସମୟରେ ଵିମାନବନ୍ଦର ଗେଟ ଦେଇ ବାହାରକୁ ଆସିଲେ ଭାରତର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପରେ ରବି ବିଷ୍ଣଇ, ଅଧିନାୟକ ଋଷବ ପନ୍ଥ, ଭୁବନେଶ୍ୱର କୁମାରଙ୍କ ସମେତ ସବୁ ଖେଳାଳୀ। ସେହିଭଳି ଡିକକ, କିଲର ମିଲର ସାଙ୍ଗକୁ ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ ବିମାନବନ୍ଦରରୁ ବାହାରି ବସରେ ବସିଥିଲେ । କଡ଼ା ସୁରକ୍ଷା ଭିତରେ ଖେଳାଳୀ ଓ ସପୋର୍ଟ ଷ୍ଟାଫ ହୋଟେଲ ପହଞ୍ଚିଥିଲେ ।

"ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ୨୧ ପ୍ଲାଟୁନ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା। ୧୫୦ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜନ ଗହଳି ଛକମାନଙ୍କରେ ବାରିକେଟର ବ୍ୟବସ୍ଥା କରଯାଇଥିଲା । ଖେଳାଳୀଙ୍କ କାରକେଟରେ ସାମିଲ ଥିଲା ୨୫ଟି କାର । ସୁରୁଖୁରୁରେ ଖେଳାଳୀଙ୍କ ବସ ହୋଟେଲରେ ପହଞ୍ଚି ଥିଲା," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଖେଳାଳୀଙ୍କୁ ଦେଖିବାକୁ ବିମାନବନ୍ଦରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପୋଲିସ ବାରିକେଟ କରିବା ସତ୍ତ୍ୱେ ଦର୍ଶକ ମାନେ ଦୂରରୁ ନିଜ ନିଜ ପ୍ରିୟ ଖେଳାଳୀଙ୍କୁ ଦେଖିବାକୁ ଅନେକ ବସିଥିଲେ । କେବଳ ବିମାନବନ୍ଦର ନୁହେଁ, ହୋଟେଲ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଖେଳପ୍ରେମୀ ନିଜର ପ୍ରିୟ ଖେଳାଳୀଙ୍କୁ ଦେଖିବା ପାଇଁ ଅନେଇ ବସିଥିଲେ ।

ଆସନ୍ତାକାଲି ଉଭୟ ଟିମ ବାରବାଟିରେ ଅଭ୍ୟାସ କରିବେ। ଦିନ ୨ଟା ସମୟରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଟିମ ଅଭ୍ୟାସ ପାଇଁ  ଯିବେ। ପରେ ସନ୍ଧ୍ୟା ୫ଟା ସମୟରେ ଭାରତୀୟ ଟିମ ଅଭ୍ୟାସ ପାଇଁ ବାରବାଟି ଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସେସବୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ଫୋର୍ସ ସୂଚନା ମିଳିଛି ।
Published by:Soumya Das
First published: