News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଚାଲିଥିଲା ହକି ବିଶ୍ୱକପ ମ୍ୟାଚ୍ (Hockey World Cup)। ଜର୍ମାନୀ (Germany) ଓ ବେଲଜିୟମ (Belgium) ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଡ୍ର ରହିଛି। ସମ୍ପୂର୍ଣ୍ଣ ମ୍ୟାଚ ଉଭୟ ଟିମ ମଧ୍ୟରେ ଘମାଘୋଟ ଲଢ଼େଇ ବେଳେ ମ୍ୟାଚ ୨-୨ଗୋଲରେ ଡ୍ର ରହିଥିଲା। ଫଳରେ ଉଭୟ ଟିମ ପଏଣ୍ଟ ଭାଗ କରିଥିଲେ।
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁଲ ବିର ଏହି ମ୍ୟାଚର ୫ ମିନିଟରେ ବେଲଜିୟମ ଟିମକୁ ଏକ ପେନାଲଟିକର୍ଣ୍ଣର ମିଳିଥିଲା। ଯାହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ବେଳଜିୟମ।
ହେଲେ ମ୍ୟାଚର ୧୦ ମିନିଟରେ ବେଲଜିୟମ ଖେଳାଳି ଚାର୍ଲିୟର କେଡ୍ରିକ ଏକ ଚମତ୍କାର ଗୋଲ କରି ନିଜ ଦଳକୁ ଆଗୁଆ ରଖିଥିଲେ। ଫଳରେ ପ୍ରଥମ କ୍ୱାଟର ଶେଷସୁଦ୍ଧା ବେଲଜିୟମ ୧-୦ଗୋଲରେ ଆଗୁଆ ରହିଥିଲା।
ପ୍ରଥମ କ୍ୱାଟରରେ ଗୋଲ ପାଇଁ ସଂଘର୍ଷ କରୁଥିବା ଜର୍ମାନୀ ଦିତୀୟ କ୍ୱାଟର ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। କ୍ଵାଟରର ୭ ମିନିଟ ତଥା ମ୍ୟାଚର ୨୨ମିନିଟରେ ଜର୍ମାନୀର ୱେଲେନ ନିକଲାସ ପ୍ରତିପକ୍ଷ ଖେଳାଳିଙ୍କୁ ଚକମା ଦେଇ ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ଫଳରେ ଦିତୀୟ କ୍ୱାଟର ଶେଷସୁଦ୍ଧା ଉଭୟ ଦଳର ଗୋଲ ୧-୧ରେ ରହିଥିଲା।
ଦିତୀୟ କ୍ୱାଟର ସୁଦ୍ଧା ଉଭୟ ଟିମ ବରାବର ଥିବାବେଳେ ତୃତୀୟ କ୍ୱାଟରରେ ଉଭୟ ଟିମ ଗୋଲ ପାଇଁ ସଂଘର୍ଷ କରିଥିଲେ। ବେଲଜିୟମ ଟିମକୁ ଏକ ପେନାଲଟି କର୍ଣ୍ଣର ମିଳିଥିବା ବେଳେ ଗୋଲରେ ପରିଣତ କରିବାରେ ଟିମ ବିଫଳ ହୋଇଥିଲା।
ସେହିଭଳି ଜର୍ମାନୀ ଟିମ ମଧ୍ୟ ଏକାଧିକ ସୁଯୋଗ ହାତଛଡ଼ା କରିଥିଲା। ପରେ ମ୍ୟାଚର ୫୪ ମିନିଟରେ ଜର୍ମାନୀର ଟମ ଗ୍ରାମ୍ଭୁସ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଜର୍ମାନୀ ଦଶର୍କଙ୍କ ମୁହଁରେ ହସ ଫୁଟାଇବା ସହ ୨-୧ ଗୋଲରେ ଆଗୁଆ ରହିଥିଲା। ହେଲା ମ୍ୟାଚର ୫୬ ମିନିଟରେ ବେଲଜିୟମର ଭିକ୍ଟୋର ଏକ ସୁନ୍ଦର ଗୋଲଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ଫଳରେ ମ୍ୟାଚ ଶେଷ ବେଳକୁ ଉଭୟ ଦଳ ୨-୨ଗୋଲରେ ଡ୍ର ରହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।