News18 Odia Digital
Hockey World Cup: ବର୍ତ୍ତମାନ ହକି କ୍ରେଜ ସବୁ ମହଲରେ ବେଶ୍ ଦେଖିବାକୁ ମିଳୁଛି। ଆଜିଠୁ ଆରମ୍ଭ ହେଉଛି କ୍ରସ ଓଭର ମ୍ୟାଚ। ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ରହିଛି। କାରଣ ଏହି ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ଟକ୍କର ଦେବ ଭାରତୀୟ ଦଳ। ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି ଭାରତ।
ପୁଲ-ଡିରେ ଦ୍ୱିତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଯାଉଛି ଭାରତ। ସନ୍ଧ୍ୟା ୭ଟାରେ ଭାରତ ପୁଲ-ସିର ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜଲ୍ୟାଣ୍ଡକୁ ସାମ୍ନା କରିବ। ଉଭୟ ଟିମ ମଧ୍ୟରେ ରେକର୍ଡ ଦେଖିଲେ, ଭାରତର ପକ୍ଷ ଅଧିକ ଭାରୀ ରହିଛି।
ଯଦି ସେହିପରି ରେକର୍ଡକୁ ହିସାବ କରାଯାଏ ତେବେ ୨୦୧୩ ପରଠାରୁ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ମଧ୍ୟରୁ ଭାରତ ୨୪ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜଲ୍ୟାଣ୍ଡ ୧୫ଟିରେ ଜିତିଛି। ୫ଟି ମ୍ୟାଚ୍ ଡ୍ର ରହିଛି।
ଯଦି ଭାରତ ଏହି ମ୍ୟାଚ ଜିତୁଛି, ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ସହ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ।
ସେପଟେ ମ୍ୟାଚକୁ ନେଇ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ମ୍ୟାଚରେ ସର୍ବୋତ୍ତମ ଦେବୁ ବୋଲି ଉଭୟ ଅଧିନାୟକ ଏବଂ କୋଚ୍ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କ୍ୱାର୍ଟର ଫାଇନାଲ ଟିକେଟ ନେବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି।
ପ୍ରକାଶ ଥାଉକି ଆଜି ଅପରାହ୍ନ ୪.୩୦ଟାରେ କ୍ରସ ଓଭର ମ୍ୟାଚରେ ମାଲେସିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ। କାଲି ଜର୍ମାନୀ-ଫ୍ରାନ୍ସ ଓ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ କ୍ରସ ଓଭର ମ୍ୟାଚ ଖେଳାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।