ଇଂଲଣ୍ଡ ଠାରୁ ୫୦ ରନରେ ଜିତିଲା ଭାରତ ।
News 18 Odia Digital
ନୂଆଦିଲ୍ଲୀ; ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୫୦ ରନରେ ହରାଇଲା ଭାରତ । ୧୯୮ ରନର ପିଛା କରି ୧୪୮ ରନରେ ସୀମିତ ରହିଲା ଇଂଲଣ୍ଡ । ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ (୫୧, ୪/୩୩) ପ୍ରଦର୍ଶନ ବଳରେ ଜିତି ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି ଭାରତ । ଗୁରୁବାରର ଏହି ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ ନିୟନ୍ତ୍ରଣରେ ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା , ସୂର୍ଯ୍ୟ କୁମାର ଯାଦବ ଓ ଦୀପକ ହୁଡାଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟରେ ୧୯୮ ରନ୍ କରିଥିଲା । ପରେ ହାର୍ଦ୍ଦିକ ୪ ୱିକେଟ୍ ନେବାରୁ ୩ ଟି ବଲ ବାକି ଥାଇ ୧୪୮ ରନ୍ କରି ଇଂଲଣ୍ଡ ଦଳ ଅଲ୍ ଆଉଟ୍ ହୋଇଥିଲା । ଶନିବାର ଖେଳାଯିବ ଦ୍ଵିତୀୟ ଟ୍ୱେଣ୍ଟି୨୦ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୀପକ ହୁଡା (୩୩), ସୂର୍ଯ୍ୟକୁମାର ଯାଦବ (୩୯) ଏବଂ ହାର୍ଦିକ ପାଣ୍ଡ୍ୟା (୫୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୮ ୱିକେଟ୍ ହରାଇ ୧୯୮ ରନ୍ କରିଥିଲା । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଣ୍ଡ୍ୟା ୩୦ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏହା ମଧ୍ୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ବ୍ୟକ୍ତିଗତ ଭାବେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା । ପାଣ୍ଡ୍ୟାଙ୍କୁ ରେସେ ଟପ୍ଲି ଠିକଣା ସମୟରେ ଆଉଟ୍ କରିବାରୁ ଭାରତ ୨୦୦ ରନ୍ ଛୁଇଁ ପାରି ନଥିଲା ।
ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଡାଭିଡ ମଲାନ ୨୧, ହାରି ବ୍ରୁକ ୨୮ ଓ କ୍ରିସ୍ ଜୋର୍ଡାନ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ୪ଟି ୱିକେଟ ହାସଲ କରିଥିବା ବେଳେ ଅର୍ଶଦିପ୍ ସିଂ ଓ ୟଜୁବେନ୍ଦ୍ର ଚହଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।