News 18 Odia Digital
ପୁରୀ; ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ। ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।୧୬ ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ। ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ବିଶ୍ୱକପ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବ। ପୁରୀ ଜିଲ୍ଲାକୁ ଚଳିତ ମାସ ୨୫ ତାରିଖ ସଂଧ୍ୟାରେ ଏହା ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି।
"ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। କୌଣସି ଦେଶରେ ହକି ବିଶ୍ୱକପ ଭଳି ଏକ ମର୍ଯ୍ୟାଦା ଜନକ ଖେଳକୁ ବାରମ୍ବାର ଆୟୋଜନର ସୁଯୋଗ ନଥାଏ। ତେଣୁ ଏହି ଟ୍ରଫିକୁ ଭବ୍ୟ ସ୍ୱାଗତ ସହ ଯେପରି ଏହା ସ୍ମରଣୀୟ ହୋଇ ରହିବ ସେଥିପାଇଁ ସମସ୍ତେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ"।
"ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ୨୬ ତାରିଖ ପ୍ରତ୍ୟୁଷରୁ ଦିଗବାରେଣୀ ବେଳାଭୂମିରେ ମନୋଜ୍ଞ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ଜୁମ୍ବୋ ଡ଼୍ୟାନ୍ସ, ମାଲଖମ୍ବ, ବେଳାଭୂମି ମିନି ମାରାଥନ, ସଂଗୀତ ପରିବେଷଣ, ଘୋଡାନାଚ ,ସିଗନେଚର କ୍ୟାମ୍ପେନ ଇତ୍ୟାଦି ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। " ପରେ ଟ୍ରଫିକୁ ବ୍ଲୁ ଫ୍ଲାଗ ବିଚକୁ ନିଆଯିବ ଓ ସେଠାରେ ଫଟୋ ସୁଟ କରାଯିବ। ପରେ ପରେ ସିଂହଦ୍ଵାରରେ ପ୍ରଭୁଙ୍କ ଆଶୀର୍ବାଦ ପରେ ଟ୍ରଫିକୁ ପ୍ରଦର୍ଶନ କରାଯିବ।
ଅପରାହ୍ନରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମରେ ଫଟୋ ସୁଟ ପରେ ବିଶ୍ୱକପ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିରରେ ସ୍ୱାଗତ, ପ୍ରଦର୍ଶନ ଓ ଫଟୋ ସୁଟ ପରେ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଯାତ୍ରା କରିବ ବୋଲି କ୍ରୀଡା ଅଧିକାରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ"। "ଏହାକୁ ଆକର୍ଷଣୀୟ ଓ ଲୋକମାନଙ୍କୁ ଏଥିରେ ଯୋଡିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ତେବେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଆରଟିଓ ରବିନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।