News18 Odia Digital
Biswajit MishraPuri: ମାଡ଼କୁ ତ ମହାଦେବଙ୍କ ଡର । ଭୂତ ବା କିଏ ? ଖାଲି ଭୂତ ନୁହେଁ; ରୋଗ, ବିବାଦ, ଦୁଶ୍ଚିନ୍ତା ସବୁ କିଛି ମାଡ଼ରେ ଛାଡ଼ିଯାଉଛି । ମାଆ ବନଦୁର୍ଗାଙ୍କ ବେତ ମାଡ଼ରେ ତ୍ରାହି ତ୍ରାହି ଡାକ ଛାଡୁଛି ସମସ୍ୟା । ଏଥିପାଇଁ ପୁରୀ ଜିଲ୍ଲା ନିମାପଡ଼ାର ନାଗବସ୍ତରେ କାହିଁ କେତେ ଭିଡ଼ । ଶନିବାର, ରବିବାର ଓ ମଙ୍ଗଳବାରରେ ମାଆ ବନଦୁର୍ଗାଙ୍କ ବେତମାଡ଼ ଖାଇବାକୁ ବହୁ ଲୋକଙ୍କ ଭିଡ଼ ଜମୁଛି । ଜିଲ୍ଲା ବାହାରୁ ମଧ୍ୟ ଶହଶହ ଲୋକ ମାଆଙ୍କ ଆସ୍ଥାନ ନିକଟରେ ଗତ ରାତିରୁ ଆସି ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।
ଦିନ ୧୦ଟାରୁ ୧୨ଟା ମଧ୍ୟରେ ମାଆ ବନଦୁର୍ଗା ଜଣେ ନାରୀବେଶଧାରୀ ପୁରୁଷଙ୍କ ଦେହରେ ସବାର ହେଉଛନ୍ତି । କାହାକୁ ବେତମାଡ଼ ତ କାହାକୁ ତେଲ । କାହାକୁ ପାଦୁକ ତ କାହାକୁ ଫୁଲ ଦେଇ ମାଆ ବନଦୁର୍ଗା ଲୋକଙ୍କ ରୋଗ, ଶୋକ, ତାପ, ସନ୍ତାପ, ପରିତାପ- ସବୁ କିଛି ଦୂର କରୁଛନ୍ତି । ମାତ୍ର ୩୭ କିଲୋମିଟର ଦୂର ରାଜଧାନୀରେ ଅନେକ ପ୍ରତିଷ୍ଠିତ ଡାକ୍ତରଖାନା ଥିଲେ ବି ଲୋକେ ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା ଦୂର ପାଇଁ ନାଗବସ୍ତକୁ ଧାଇଁ ଆସୁଛନ୍ତି । ବିଜ୍ଞାନ ଓ ବିଶ୍ବାସର ଦ୍ବନ୍ଦ୍ବରେ ବିଶ୍ବାସର ପଲା ଭାରୀ ପଡୁଛି ସେମାନଙ୍କ ପାଇଁ । ବିଶ୍ବାସରେ ଭଗବାନ ମିଳିବା ପରି ମାଆ ବନଦୁର୍ଗା ମାନବ ଶରୀରରେ ସବାର ହୋଇ ଦୁଃଖ ଓ ରୋଗ ଲାଘବ କରୁଥିବା କିଛି ଲୋକ କହନ୍ତି ।
ରୋଗ ଭଲ ହେଉଛି- ଏହି ବାର୍ତ୍ତା ଲୋକମୁଖରେ ପ୍ରଚାରିତ ହେବା ପରେ ନାଗବସ୍ତ ଧୀରେଧୀରେ ରୋଗୀଙ୍କ ପାଇଁ ଏକ ତୀର୍ଥସ୍ଥାନ ପାଲଟିବାରେ ଲାଗିଛି । ଆଉ କିଛି ଲୋକ ବିନା ରୋଗରେ ବି ନାଗବସ୍ତର ବିଶେଷତ୍ବ ପରଖିବାକୁ ଆସୁଥିବା ଦେଖାଯାଉଛି । ଲୋକଙ୍କ ଭିଡ଼କୁ ଦେଖି ସ୍ଥାନୀୟ ବ୍ୟବସାୟୀମାନେ ନିଜର ପସରା ମେଲାଇ ବସୁଛନ୍ତି । ହୋଟେଲ, ଜଳଖିଆ ଓ ଭୋଗ ଦୋକାନ ଗଢ଼ି ଉଠିଛି । ବ୍ୟବସାୟୀମାନେ ବେଶ୍ ଭଲ ଦୁଇପଇସା ରୋଜଗାର କରୁଛନ୍ତି ।
କଣ କହୁଛନ୍ତି ହେତୁବାଦୀ ଓ ମନ୍ତସ୍ତତ୍ତ୍ବବିତ୍ ?ସତରେ କାହାର ସ୍ପର୍ଶରେ ରୋଗ ଓ ଦୁର୍ଦ୍ଦଶା ଦୂର ହେବା କ’ଣ ସମ୍ଭବ ? ବିଜ୍ଞାନପ୍ରମୀ ଓ ହେତୁବାଦୀମାନେ କିନ୍ତୁ ଏହାକୁ ଅନ୍ଧବିଶ୍ବାସ ଭାବେ ଅଭିହିତ କରିଥା’ନ୍ତି । କୌଣସି ଲୋକର ଗୁରୁତର ରୋଗ ପାଇଁ ଔଷଧ ଓ ଅସ୍ତ୍ରୋପଚାର ଜରୁରୀ ଥିବା ବେଳେ ଲୋକେ ବେତମାଡ଼ର ସ୍ପର୍ଶରେ ଭଲ ହେବା କେବଳ ଏକ ବୃଥା ବିଶ୍ବାସ ବା ଅନ୍ଧବିଶ୍ବାସ ବୋଲି ସେମାନେ ମତ ଦେଇଛନ୍ତି । ଜଣେ ସ୍ବଘୋଷିତ କାଳିସୀ ଦେହରେ ମାଆ ବନଦୁର୍ଗା ସବାର ହେବାର କୌଣସି ବୈଜ୍ଞାନିକ କାରଣ ନଥିବା ସେମାନେ କହିଛନ୍ତି ।
ଆଧ୍ୟାତ୍ମିକ ଶକ୍ତି ବା ଦୈବୀଶକ୍ତିର ଆଶୀର୍ବାଦ ଭାବି ରୋଗୀ ମନରେ ଯେଉଁ ଦୃଢ଼ ବିଶ୍ବାସ ଜନ୍ମିଥାଏ, ସେଥିରେ କିଛିଟା ଦୁର୍ଦ୍ଦଶା ଲାଘବ ହୋଇପାରେ ବୋଲି ମନୋବିଜ୍ଞାନୀମାନେ ମତ ଦିଅନ୍ତି । ନାଗବସ୍ତରେ ‘ମାଆ, ମାଡ଼ ଓ ଭିଡ଼’ର ରହସ୍ୟ ଏବେ ବି ବିଜ୍ଞାନ, ବିଶ୍ବାସ ଓ ଅନ୍ଧବିଶ୍ବାସର ଭଉଁରୀ ଭିତରେ ଘୂରି ବୁଲୁଛି ।
ପଢନ୍ତୁ ଏହି ଖବର;
Smartphone Offer: ୮ ଜିବି ସ୍ମାର୍ଟଫୋନରେ ୫ ହଜାର ଟଙ୍କାର ରିହାତି...ଜଲଦି କରନ୍ତୁ ଅର୍ଡର...ବିଶ୍ବଜିତ ମିଶ୍ରଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।