ହତ୍ୟା ନା ଆତ୍ମହତ୍ୟା?: ‘‘ସେ ଆତ୍ମହତ୍ୟା କଲା; ଭୟରେ ମୁଁ ତା’ ଶବକୁ ବିଲ ହୁଡ଼ାରେ ପୋତିଦେଲି’’

ପୁରୀ ବାସିନ୍ଦା ଅଭିଯୁକ୍ତ ସୁଜିତ ପୋଲିସକୁ କହିଛି ଯେ ଦୀପିକାକୁ ସାଙ୍ଗରେ ନେଇ ପଳାଉଥିବା ବେଳେ ସେ ବାଟରେ ଆତ୍ମହତ୍ୟା କରିଥିଲା । କେହି ଦେଖିବ ବୋଲି ଭୟରେ ତା’ ଶବକୁ ସେ ବିଲ ହୁଡ଼ାରେ ପୋତିଦେଇଥିଲା ବୋଲି କହିଛି ।

ହତ୍ୟା ନା ଆତ୍ମହତ୍ୟା?: ‘‘ସେ ଆତ୍ମହତ୍ୟା କଲା; ଭୟରେ ମୁଁ ତା’ ଶବକୁ ବିଲ ହୁଡ଼ାରେ ପୋତିଦେଲି’’
(ବାମରୁ ଡାହାଣ) ମୃତା ଦୀପିକା; ତା’ ମୃତ ଦେହ ଖୋଳି ବାହାର କରାଯାଉଛି; ଅଭିଯୁକ୍ତ ପ୍ରେମିକ ସୁଜିତ
  • News18 Odia
  • Last Updated: July 28, 2020, 12:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବିବାହର ପ୍ରଲୋଭନ ଦେଖାଇ ଦୁଇ ବର୍ଷରୁ ଅଧିକ ସମୟ ଜଣେ ୧୯ ବର୍ଷୀୟା ଯୁବତୀ ସହ ସମ୍ପର୍କ ରଖିବା ପରେ ଯୁବକ କାହାକୁ କିଛି ନ କହି ତା’ ଶବକୁ ବିଲ ହୁଡ଼ାରେ ପୋତିଦେଲା । ଯୁବତୀ ଆତ୍ମହତ୍ୟା କରିବା ପରେ ସେ କେବଳ ତା’ ଶବକୁ ପୋତିଛି ବୋଲି ପୋଲିସକୁ ବୟାନ ଦେଇଛି ଯୁବକ । ଘଟଣାର ପାଞ୍ଚ ଦିନ ପରେ ପୋଲିସ ଯୁବତୀର ଗଳିତ ଶବକୁ ଜବତ କରିଛି ଓ ଯୁବକକୁ ଗିରଫ କରିଛି । ଏହି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶ୍ରୀକରପୁରରେ ।

ମୃତା ଯୁବତୀ ଦୀପିକା ମହାପାତ୍ରର ପ୍ରେମିକ ସେହି ଗ୍ରାମର ୨୪ ବର୍ଷୀୟ ସୁଜିତ ସାହୁ । ଗ୍ରାମର ରମେଶ ମହାପାତ୍ରଙ୍କ ଝିଅ ଦୀପିକାକୁ ବିବାହର ପ୍ରଲୋଭନ ଦେଖାଇ ତା’ସହ ସ୍ୱର୍ଗତ ବାମଦେବ ସାହୁଙ୍କ ପୁଅ ସୁଜିତ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲା ବୋଲି ଦୀପିକାର ପରିବାର କହିଛି । ହେଲେ ଦୁହିଁଙ୍କର ବିବାହ ପାଇଁ ସୁଜିତର ପରିବାର ସହମତ ନ ଥିଲେ ।

ମୃତା ଦୀପିକାର ୪୮ ବର୍ଷୀୟ ପିତା ରମେଶ ମହାପାତ୍ରଙ୍କ କହିବା ଅନୁସାରେ କିଛି ଦିନ ତଳେ ସୁଜିତ ପରିବାର ଲୋକଙ୍କ ପ୍ରରୋଚନାରେ ତାକୁ ଦୁଇ ଲକ୍ଷ ଟଙ୍କା ଦେଲେ ସେ ବାହା ହେବ ବୋଲି ଦୀପିକାକୁ କହିଥିଲା । ତା’ ପରେ ଏକ ଲକ୍ଷ ଟଙ୍କା ପାଇଲେ ବାହା ହେବ ବୋଲି କହି ରାଜି ହୋଇଥିଲା । କିଛି ମାସ ତଳେ ସୁଜିତର ବଡ଼ ଭାଇ ସୁକାନ୍ତର ବିବାହ ଠିକ ହୋଇଥିଲା  । ସେହି ତିଥିରେ ଦୀପିକାର ବାହାଘର କରିବା ପାଇଁ ରମେଶ ସୁଜିତକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସୁଜିତ ଏହାକୁ ଏଡାଇଦେଇଥିଲା । ଦୀପିକା କେବଳ ସୁଜିତଙ୍କୁ ବିବାହ କରିବ ବୋଲି କହି ଯେତେ ଡେରି ହେଉ ପଛେ ଅପେକ୍ଷା କରିବ ବୋଲି ଜିଦ ଧରୁଥିଲା । ଜୁଲାଇ ୨୧ ତାରିଖ ହଠାତ ଦୀପିକା ଘରୁ ନିଖୋଜ ହୋଇଯାଇଥିଲା ।

‘‘ଝିଅକୁ ବହୁତ ଖୋଜାଖୋଜି କରି ନିରାଶ ହେବା ପରେ ଜୁଲାଇ ୨୪ରେ ବ୍ରହ୍ମଗିରି ଥାନାରେ ଏତାଲା ଦେଇ ଗାଁରେ ଜଣାଇଥିଲୁ । ଗାଁ ଲୋକେ ଏ ବିଷୟରେ ବୈଠକ କରି ସୁଜିତ ଓ ତା’ ବଡ଼ ଭାଇ ସୁକାନ୍ତକୁ ଡକାଇ ପଚରାଉଚୁରା କରିଥିଲେ । ସେଠି ସୁଜିତ କହିଥିଲା ଦୀପିକା ଆତ୍ମହତ୍ୟା କରିଦେବାରୁ ମୁଁ ତା’ ଶବକୁ ଚିଙ୍ଗୁଡି ପୋଖରୀର ବିଲ ହୁଡ଼ାରେ ପୋତିଦେଇଛି । ଆଉ ଏହି କଥାକୁ ପ୍ରଘଟ ନ କରି ଗାଁରେ ସମାଧାନ କରିଦେବା ପାଇଁ ନେହୁରା ହୋଇଥିଲେ ସୁଜିତର ପରିବାର ଲୋକେ,’’ କହିଛନ୍ତି ଦୀପିକାର ଜେଜେମା ସୁମତୀ ।

ସୁଜିତ ଓ ଦୀପିକାଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ।


ଏ କଥା ଜାଣିବା ପରେ ଦୀପିକାର ବାପା ରମେଶଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତୁରନ୍ତ ସେଠାରୁ କାନ୍ଦି କାନ୍ଦି ଯାଇ ସେ ବ୍ରହ୍ମଗିରି ଥାନାରେ ପହଞ୍ଚିଥିଲେ । ଦୀପିକାକୁ ହତ୍ୟା କରାଯାଇଛି ଓ ଏଥିରେ ତା’ ପ୍ରେମିକ ସୁଜିତ, ତା’ ବଡ଼ ଭାଇ ସୁକାନ୍ତ, ମା’ କଇ ଓ ସୁଜିତର ଜଣେ ସମ୍ପର୍କୀୟ ଭାଇ ମାନା ସମ୍ପୃକ୍ତ ଥିବା ନେଇ ପୁଲିସକୁ ଜଣାଇଥିଲେ ।

ନିଖୋଜ ଘଟଣାର ତଦନ୍ତ ଆରମ୍ଭ କରିଥିବା ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ ଶତପଥି ତୁରନ୍ତ ମାମଲାକୁ ହତ୍ୟାରେ ପରିଣତ କରିଥିଲେ । ସେହି ରାତିରେ ଯାଇ ଖୋଜା ଖୋଜି ଆରମ୍ଭ କରିଥିଲେ । ହେଲେ ସେ ଦିନ କୌଣସି ସନ୍ଧାନ ପାଇ ନ ଥିଲେ ।

ତା’ ପର ଦିନ ସକାଳେ ଅର୍ଥାତ ଜୁଲାଇ ୨୫ରେ ବ୍ରହ୍ମଗିରିରେ ପହଞ୍ଚିଥିଲେ ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ  । ଥାନା ଅଧିକାରୀ ମନୋଜ ଶତପଥିଙ୍କୁ ନେଇ ଶ୍ରୀକରପୁର ଗାଁରୁ ସୁଜିତକୁ ଗିରଫ କରିବା ସହ ତା’ ଠାରୁ ସବୁ ଶୁଣିଥିଲେ  । ସୁଜିତ କହିଥିଲା ଯେ ଗାଁ ଠାରୁ ଚାରି କିଲୋମିଟର ଦୂରରେ ଦୀପିକାର ଶବକୁ ବିଲ ହୁଡ଼ାରେ ସେ ପୋତି ଦେଇଛି  ।

ଆଲବମରେ ଏବେ ସ୍ମୃତି: ପରିବାର ଲୋକଙ୍କ ସହ ଦୀପିକା (ବାମ)


‘‘ଦୀର୍ଘ ଦିନ ହେବ ଦୀପିକାକୁ ଭଲ ପାଉଥିଲି । ଗତ ଜୁଲାଇ ୨୧ରେ ତାକୁ ସାଙ୍ଗରେ ନେଇ ପଳାଉଥିଲି । ହେଲେ ଲୋକେ ଆସିବାରୁ ତାକୁ ବାଟରେ ଠିଆ କରି ପଳାଇ ଆସିଥିଲି । ପୁଣି ତା’ ପାଖକୁ ଗଲା ବେଳକୁ ଦୀପିକା ବେକରେ ଓଢ଼ଣୀ ଲଗାଇ ଗଛରେ ଝୁଲି ପଡ଼ି ଆତ୍ମହତ୍ୟା କରିଦେଇଥିଲା । କାଳେ କିଏ ଏହାକୁ ଦେଖିଦେବ ସେହି ଭୟରେ ତା’ ଶବକୁ ଏକ କଦଳୀ ବଗିଚା ଭିତରେ ଲୁଚାଇ ରଖି ରାତି ୧୧ଟା ବେଳକୁ ବିଲ ହୁଡ଼ାରେ ପୋତିଦେଇଥିଲି,’’ ପୋଲିସକୁ କହିଛି ସୁଜିତ ।

ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ବ୍ରହ୍ମଗିରି ଥାନାରେ ଏକ ହତ୍ୟା ମାମଲା (୧୧୭/୨୦) ରୁଜୁ ହୋଇଛି । ସୁଜିତର ପରିବାର ଲୋକେ ଗିରଫ ହେବା ଭୟରେ ଫେରାର ହୋଇଯାଇଛନ୍ତି । ସୁଜିତକୁ ଘଟଣା ସ୍ଥଳକୁ ନେଇ ଦୀପିକାର ଗଳିତ ଶବକୁ ବିଲ ହୁଡ଼ାରୁ ଖୋଳି ଉଦ୍ଧାର କରାଯାଇଛି ଓ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି କହିଛନ୍ତି ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ।

ଏହା ବି ପଢ଼ନ୍ତୁ: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି



ସୁଜିତର ବୟାନ ଅନୁସାରେ ଏହା ଏକ ଆତ୍ମହତ୍ୟା, ହେଲେ ମୃତ ଦୀପିକାର ବାପାଙ୍କ ଅଭିଯୋଗ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ହିଁ ସ୍ପଷ୍ଟ କରିପାରିବ ଦୀପିକାର ମୃତ୍ୟୁର କାରଣ ।
Published by: Anand Shankar Thankur Das
First published: July 28, 2020, 12:17 AM IST
corona virus btn
corona virus btn
Loading