News18 Odia Digital
ଭୁବନେଶ୍ୱର: ଯୁବ ସ୍ଵେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଲିଙ୍ଗରାଜ ଷ୍ଟେଶନ ନିକଟରେ ରେଳ ଲାଇନ କଡ଼ରୁ ମିଳିଛି l ‘‘ମାନବ ପ୍ରେମୀ ଆଦିତ୍ୟ ଦାସ’’ ଭାବେ ପରିଚିତ ଏହି ସ୍ୱେଚ୍ଛାସେବୀଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ଭିତରେ ତାଙ୍କ ଦେହାନ୍ତ ଗଭୀର ଶୋକ ଓ ସନ୍ଦେହ ସୃଷ୍ଟି କରିଛି ।
ଆଦିତ୍ୟ ମାତ୍ର ମାସକ ତଳେ ପ୍ରେମ ବିବାହ କରିଥିଲେ । ସର୍ବଦା ଖୁସ୍ ମିଜାଜରେ ରହୁଥିବା ଓ ଅନ୍ୟକୁ ପ୍ରେରଣା ଦେଇଚାଲିଥିବା ଆଦିତ୍ୟ ଯେ ସୁଇସାଇଡ୍ କରିଥିବେ ତାହା ତାଙ୍କ ପରିବାର ଓ ବନ୍ଧୁମାନେ ବିଶ୍ୱାସ କରିପାରୁ ନାହାନ୍ତି । ଆଜି ସକାଳେ ରେଳ ଲାଇନ୍ କଡ଼ରୁ ତାଙ୍କର ମୃତ ଦେହ ମିଳିଛି ।
ଆଦିତ୍ୟ ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ l ସେ ମଦ ଓ ନିଶା ବିରୋଧୀ ଅଭିଯାନରେ ଏକ ପ୍ରମୁଖ ଯୋଦ୍ଧା ଥିଲେ । ସୋସିଆଲ ମିଡ଼ିଆରେ ମଦ ବିକ୍ରୀ ବିରୋଧରେ ସେ ଅନେକ ଶାଣିତ ଓ ବିପ୍ଳବାତ୍ମକ କଥା ଓ କବିତା ଶୁଣାଉଥିଲେ । ଅନେକ ପ୍ରେରଣାତ୍ମକ ଭିଡ଼ିଓ ସେ ଉପଲୋଡ଼ କରୁଥିଲେ l

ଜୁନ୍ ୯ରେ ବିବାହ ସମୟରେ ଆଦିତ୍ୟ ଓ ବିଦ୍ୟାଶ୍ରୀ
ମୃତ ଦେହ ମିଳିବାର ମାତ୍ର କେଇ ଘଣ୍ଟା ପୂର୍ବରୁ ଗତ କାଲି ମଧ୍ୟାନ୍ନରେ ଆଦିତ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ଼ କରିଥିଲେ । ଆଦିଶ୍ରୀ ପ୍ରଡକ୍ସନ୍ସ ନାଁର ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଏହି ଭିଡିଓରେ ହସ ହସ ମୁହଁରେ ଉଭୟେ ଘରେ ପତି-ପତ୍ନୀ ଓ ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ ହେଉଥିବା ମନୋମାଳିନ୍ୟ ଓ କଳି-ଝଗଡ଼ା କମ୍ କରିବା ପାଇଁ ବିଭିନ୍ନ ଉପାୟ କହିଛନ୍ତି ।
ଦେଖନ୍ତୁ ଏହି ନବ-ବିବାହିତ ଯୁଗଳଙ୍କ ସେହି ଭିଡିଓ:ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହ ଜୁନ୍ ୯ ତାରିଖରେ କଟକ ଖପୁରିଆରେ ହୋଇଥିଲା l ଆଦିତ୍ୟଙ୍କ ମୃତ ଦେହ ମିଳିବା ପରେ ବିଦ୍ୟାଶ୍ରୀଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ ।
’’ବାପା ମାଆଙ୍କର ଆଜି ସକାଳେ ଆସିବାର ଥିଲା । ମୁଁ ଭାବିଲି ସେ (ଆଦିତ୍ୟ) ରାଗିକି କୁଆଡ଼େ ଯାଇଥିବେ ବୋଧେ । ତାଲାଟା ପକେଇକି ଯାଇଛନ୍ତି ମାନେ ସେ ନିଶ୍ଚୟ ପଳେଇ ଆସିବେ । ମୁଁ ଫୋନ୍ ପରେ ଫୋନ୍ କଲି, ହେଲେ ସେ ଉଠେଇଲେ ନାହିଁ । ଦେଖିଲା ବେଳକୁ ଫ୍ରିଜ୍ ଭିତରେ ଚାବି, ତାଙ୍କ ଦିଇଟା ଯାକ ଫୋନ୍ ସବୁ ରଖିକି ଯାଇଛନ୍ତି । ସେଇଠୁ ମୋ’ ମୁଣ୍ଡ ଆଉ କିଛି କାମ କଲାନି । ମୁଁ ରାତି ସାରା ବସି କାନ୍ଦିଛି,’’ କହିଛନ୍ତି ବିଦ୍ୟାଶ୍ରୀ ।

ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ଶବ ମିଳିଛି ।
ତେବେ ଆଦିତ୍ୟ କରିଥିବା ଆଉ ଏକ ଫେସବୁକ୍ ପୋଷ୍ଟରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର କେତେକ ବନ୍ଧୁ ସନ୍ଦେହ କରୁଛନ୍ତି । ଗତ କାଲି ସନ୍ଧ୍ୟା ୭ଟା ୧୪ରେ ସେ ଫେସବୁକରେ ଏହି ତିନି ଧାଡ଼ି ଲେଖିଥିଲେ:
‘‘ମୃତ୍ୟୁ ଯେତେବେଳେ ଆସେ
ବହୁତ୍ ଧୀରେ ଧୀରେ ଆସେ
କେହି ଜାଣି ପାରନ୍ତି ନାହିଁ ।’’
ବିଦ୍ୟାଶ୍ରୀଙ୍କ ସହ ପ୍ରେମ ବିବାହ କରିବା ଦିନ ତାଙ୍କ ସହ ନିଜ ଫଟୋ ଫେସବୁକରେ ଅପଲୋଡ଼ କରି ଆଦିତ୍ୟ ଲେଖିଥିଲେ ଏହି ଚାରି ଧାଡ଼ି:
‘‘ବିହାହ ବନ୍ଧନେ ହେଲି ମୁଁ ବାନ୍ଧି
ବିଦ୍ୟାଶ୍ରୀ ସଙ୍ଗରେ ହାତ କୁ ଛନ୍ଦି
ମନ ଜାଣି ଏବେ କେତେ ଖାଇବା
ମାଁ, ସ୍ତ୍ରୀ ମିଶି ଦେବେ ରେ ରାନ୍ଧି’’
ଏହା ବି ପଢ଼ନ୍ତୁ:
୪ ବର୍ଷର ପ୍ରେମ ପରେ ବିବାହ ହେଲା, ହେଲେ ବିବାହର ୪ ଦିନ ପରେ ପତି ଓ ପତ୍ନୀ ଆତ୍ମହତ୍ୟା କଲେପୋଲିସ ଆଦିତ୍ୟଙ୍କ ମୃତ ଦେହ ମିଳିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି । ତାଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ପୋଲିସ ଜଲଦି ପଚରାଉଚରା କରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।