ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ପରିବାର ଅଭିଯୋଗ ହତ୍ୟା, ପୋଲିସ କହୁଛି ଆତ୍ମହତ୍ୟା

ମୃତ ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ବାଲିପଡା ଗ୍ରାମର ୨୨ ବର୍ଷୀୟ ଅବିନାଶ ପ୍ରଧାନ। ଅବିନାଶ ଏକ ଘରୋଇ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ବୁଧବାର ସନ୍ଧ୍ୟାରେ ସେ ସାଙ୍ଗ ଘରକୁ ଯିବାକୁ କହି ଘରୁ ବାହାରି ଥିଲେ। ହେଲେ ୮.୩୦ ପରଠୁ ମୋବାଇଲ ସୁଇଚ୍ ଅଫ କରିଦେଇଥିଲେ।

ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। ଯୁବକ ଜଣଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ବଢୁଛି ସସପେନ୍ସ। କାରଣ ମୃତ ଯୁବକଙ୍କ ପରିବାର ଲୋକେ କହୁଛନ୍ତି ପୁଅକୁ ହତ୍ୟା କରାଯାଇଛି । ହେଲେ ପୋଲିସ କହୁଛି ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଯୁବକ।

ନିଜେ ନିଜ ଦେହର ନିଆଁ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। କାରଣ ଘଟଣା ସ୍ଥଳରେ ପଡ଼ିଥିବା ଏକ ବ୍ୟାଗ ଭିତରୁ ଜବତ ହୋଇଛି ସୁଇସାଇଡ଼ ନୋଟ। ଯେଉଁଥିରେ ନିଜ ପ୍ରେମିକାର ନାଁ ଲେଖାଯିବା ସହ ପ୍ରେମିକା ଆଡ଼କୁ ଇଙ୍ଗିତ କରି କିଛି ଲେଖାଥିବା ଜଣା ପଡ଼ିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ବାଲିପଡା ଗ୍ରାମର ୨୨ ବର୍ଷୀୟ ଅବିନାଶ ପ୍ରଧାନ। ଅବିନାଶ ଏକ ଘରୋଇ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ବୁଧବାର ସନ୍ଧ୍ୟାରେ ସେ ସାଙ୍ଗ ଘରକୁ ଯିବାକୁ କହି ଘରୁ ବାହାରି ଥିଲେ। ହେଲେ ୮.୩୦ ପରଠୁ ମୋବାଇଲ ସୁଇଚଅଫ କରିଦେଇଥିଲେ। ତେଣୁ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ବହୁ ଖୋଜାଖୋଜି କାରିଥିଲେ। ରାତିରେ ପୋଲିସ ଖବର ଦେବାରୁ ଇନୋଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ପୁଅ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକେ।

"ସାନ୍ଧ୍ୟ ସମୟରେ ପୁଅ ସହ କଥା ହୋଇଥିଲି। ପରେ ସେ ମୋବାଇଲ ଅଫ କରିଦେଇଥିଲା। ଇନୋଫୋସିଟି ଥାନା ପୋଲିସ ଖବର ପାଇ ଆମେ ପୁଅ ମୃତ୍ୟ ଖବର ପାଇଥିଲୁ। ଅବିନାଶ ଜଣେ ଶାନ୍ତ ପିଲା। ସେ ଆତ୍ମହତ୍ୟା କରିନାହିଁ। ତାକୁ ହତ୍ୟା କରି କେହି ପୋଡ଼ି ଦେଇଛି। ପୋଲିସ ସେ ଦିଗରେ ତଦନ୍ତ କରୁ। ଘଟଣା ସ୍ଥଳରୁ ଜବତ ହୋଇଥିବା ଚିଠିରେ ସୁଇସାଇଡ଼ ସମ୍ବନ୍ଧୀୟ କୌଣସି କଥା ଲେଖା ଯାଇନି। ସେଇଟା ଗତ ଏପ୍ରିଲ ୨୦ ତାରିଖରେ ଲେଖାଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ନାମ ଲେଖା ଅଛି। ଅବିନାଶ ସେଇ ଯୁବତୀଙ୍କୁ ଇଙ୍ଗିତ କରି ଲେଖିଛି କି ମୁଁ ବାହାରକୁ ଯିବି। ଆସିଲେ ତମକୁ ସାହାଯ୍ୟ କରିବି। ତେଣୁ ଏହା କିପରି ସୁଇସାଇଡ଼ ନୋଟ ହେବ ବୋଲି ପ୍ରଶ୍ନ କରିଛନ୍ତି," ମୃତକ ଅବିନାଶଙ୍କ ବାପା।

ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା। ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ ଅଧିକ ତଦନ୍ତ ପାଇଁ ଫରେନ୍ସିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। ବିଶେଷ କରି ଅବିନାଶଙ୍କ ଶରୀର ଅଧିକାଂଶ ପୋଡି ହୋଇଯାଇଥିଲା। ତେଣୁ ସେଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ିଛି । ଜବତ ସୁଇସାଇଡ଼ ନୋଟରେ ଅବିନାଶ ମାନସିକ ଚିନ୍ତାରେ ରହୁଥିବା ଜଣା ପଡ଼ିଛି। ସୁଇସାଇଡ଼ ନୋଟର ଅକ୍ଷର ଅବିନାଶଙ୍କର ବୋଲି ତାଙ୍କ ପରିବାର ଚିହ୍ନଟ କରିଛନ୍ତି। ତେଣୁ ପୋଷ୍ଟମର୍ଟମ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ସେ କାହିଁକି ମାନସିକ ଅବସାଦରେ ଥିଲେ ତାହା ଜଣା ପଡ଼ିନି।’’

ପୋଲିସ କହୁଛି ଆତ୍ମହତ୍ୟା, ପରିବାର କହୁଛନ୍ତି ହତ୍ୟା। ତେବେ ପ୍ରଶ୍ନ ଉଠୁଛି କିଭଳି ହେଲା ଅବିନାଶଙ୍କ ମୃତ୍ୟ? କାହିଁକି ମାନସିକ ଚାପରେ ଥିଲେ ଯୁବ ଇଞ୍ଜିନିୟର? ଚାପ ପଛରେ, ପାରିବାରିକ ନା ବ୍ୟକ୍ତିଗତ? ଯଦି ହତ୍ୟା ତେବେ କିଏ ଓ କାହିଁକି ହତ୍ୟା କରିଛି? ଅବିନାଶ ମୃତ୍ୟୁ ସହ ସମ୍ପୃକ୍ତ ଯୁବତୀଙ୍କ ଭୂମିକା କଣ ରହିଛି? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।
Published by:Lipina Das
First published: