News 18 Odia Digital
କଳାହାଣ୍ଡି: ସେଓ ଫଳାଇବା ନେଇ କଳାହାଣ୍ଡିରେ ଚର୍ଚ୍ଚା । କାରଣ ଗୋଟିଏ କି ଦୁଇଟି ଗଛ ନୁହେଁ, ସୃଷ୍ଟି ହୋଇଛି ସେଓ ବଗିଚା । ବିଶ୍ବାସ କରିବା ଟିକିଏ ସହଜ ନୁହେଁ । କାରଣ ଓଡ଼ିଆ ଭଳି ଗରମ ପରିବେଶରେ ସେଓ ଫଳିବା ସମ୍ଭବ ନୁହେଁ । କିନ୍ତୁ ସେଓ ବଗିଚା କରି ପୂରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ଜଣେ ଯୁବ ଚାଷୀ (young farmer) ।
ଓଡ଼ିଶା ମାଟିରେ ଫଳିଛି ମିଠା ସେଓ । ବଢ଼ିଆ ଫଳିଛି ଗ୍ରୀନ୍ ଆପଲ ବା ସବୁଜ ସେଓ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର କଦଳୀମୁଣ୍ଡା ଗାଁର ଯୁବ ଚାଷୀ କାଲେଶ୍ବର କାଣ୍ଡଙ୍କ ବଗିଚାରେ ଫଳିଛି ଏସବୁ ଗ୍ରୀନ୍ ଆପଲ୍ (Green apple) । କାଲେଶ୍ବରଙ୍କ ବଗିଚାରେ ୧୫୦ରୁ ଅଧିକ ଗଛରେ ଫଳିଛି ସେଓ । ଅଢ଼େଇ ବର୍ଷ ତଳେ ୟୁଟ୍ୟୁବରୁ ସେଓ ଚାଷ ସଂପର୍କରେ ଜାଣିଥିଲେ କାଲେଶ୍ବର । ତାପରେ ହିମାଚଳ ପ୍ରଦେଶରୁ ମାତ୍ର ଗୋଟିଏ ସେଓ ଗଛ ମଗାଇଥିଲେ । ଗୋଟିଏ ଗଛରୁ ଏବେ ଦେଢ଼ ଶହ ସେଓ ଗଛ ସୃଷ୍ଟି କରାଇବାରେ ସେ ସଫଳ ହୋଇଛନ୍ତି । ସେଓ ଚାଷ ପାଇଁ ଧର୍ମଗଡ଼ ଉଦ୍ୟାନ ବିଭାଗ ମଧ୍ୟ କାଲେଶ୍ବରଙ୍କୁ ସହଯୋଗ କରିଛି ।
ସାଧାରଣରେ ଧାରଣା ଯେ ଓଡ଼ିଶାର ଗ୍ରୀଷ୍ମପ୍ରଧାନ ଜଳବାୟୁରେ ସେଓ ଚାଷ ସମ୍ଭବ ନୁହେଁ । ଥଣ୍ଡା (cold) ପରିବେଶ ଥିବା ଅଞ୍ଚଳ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ପ୍ରଚୁର ସେଓ ଚାଷ ହୁଏ । କିନ୍ତୁ ଛତିଶଗଡ଼ ସୀମାକୁ ଲାଗିଥିବା କଳାହାଣ୍ଡି ଧର୍ମଗଡ଼ କଦଳୀମୁଣ୍ଡା ଗାଁରେ ସେଓ ଚାଷ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି କାଲେଶ୍ବର । ତାଙ୍କ ବଗିଚାରେ ହେଉଥିବା ସେଓର ଆକାର ଲମ୍ବା, ଆଉ ସ୍ବାଦ ଭାରି ମିଠା । ପରିବେଶକୁ ଥଣ୍ଡା ରଖିବା ପାଇଁ ପ୍ରଚୁର ପାଣି ବ୍ୟବହାର କରୁଛନ୍ତି କାଲେଶ୍ବର । ଖରାଦିନେ ୪୦ ଡିଗ୍ରୀ ତାପମାତ୍ରା (temperature)ରୁ ସେଓ ଗଛକୁ ରକ୍ଷା କରିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ରୋଗପୋକ ପାଇଁ ଭିଟାମିନ ଓ କୀଟନାଶକ ମଧ୍ୟ ବ୍ୟବହାର କରୁଛନ୍ତି । କାଲେଶ୍ବରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ।
ଧର୍ମଗଡ଼ ଅଞ୍ଚଳର ଜଣେ ସଫଳ ଉଦ୍ୟାନ ଚାଷୀ ପାଲଟିଛନ୍ତି କାଲେଶ୍ବର । ତାଙ୍କ ବଗିଚାରେ ଫଳିଥିବା ସେଓ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସୁଛନ୍ତି ।
ରିପୋର୍ଟ- ଅଂଶୁମାନ ପାତ୍ର
ଏହି ଖବର ପଢ଼ନ୍ତୁ -
ସାଂସଦ ପଦ ଯିବା ପରେ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି: ପ୍ରିୟଙ୍କା କହିଲେ ବଡ଼ କଥା !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।