ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମଉଳି ଯାଉଛି ଯୁବ ଉଦ୍ୟୋଗୀଙ୍କ ସ୍ବପ୍ନ; ଚାକିରୀ ଆଶାରେ ୧୬ଲକ୍ଷ ପଞ୍ଜିକୃତ ଉଦ୍ୟୋଗୀ

ମଉଳି ଯାଉଛି ଯୁବ ଉଦ୍ୟୋଗୀଙ୍କ ସ୍ବପ୍ନ; ଚାକିରୀ ଆଶାରେ ୧୬ଲକ୍ଷ ପଞ୍ଜିକୃତ ଉଦ୍ୟୋଗୀ

କରୋନା ଯୋଗୁଁ ଗଭୀର ଭାବେ ବିଭିନ୍ନ ଛୋଟ, ମଧ୍ୟମ ଧରଣର ଶିଳ୍ପ ପ୍ରଭାବିତ ହୋଇଛି। ଯୁବ ଉଦ୍ୟୋଗୀମାନେ ବ୍ୟବସାୟ ଆଡ଼କୁ ମନ ନ ବଳାଇ ଏବେ ଚାକିରୀ ମୁହାଁ ହେଲେଣି ।

ମଉଳି ଯାଉଛି ଯୁବ ଉଦ୍ୟୋଗୀଙ୍କ ସ୍ବପ୍ନ; ଚାକିରୀ ଆଶାରେ ୧୬ଲକ୍ଷ ପଞ୍ଜିକୃତ ଉଦ୍ୟୋଗୀ
କରୋନା ପାଇଁ ଅନେକ ଉଦ୍ୟୋଗୀ ହାତ ବାନ୍ଧି ବସିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 5, 2021, 5:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ ସଂକ୍ରମଣରେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡ଼ିଛି ।  ଏହି କାରଣରୁ ନିଜେ ଚାକିରୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ଯୁବ ଉଦ୍ୟୋଗୀ ଏବେ ନିଜେ ଚାକିରୀ ଖୋଜିବାକୁ ଆଗ୍ରହୀ ହେଲେଣି। ଏ ସମସ୍ୟା ଧୀରେ ଧିରେ ଜଟିଳ ହେବାକୁ ଯାଉଥିବା ବେଳେ ଏକ୍ସପର୍ଟଙ୍କ ମତରେ ଯୁବ ଉଦ୍ୟୋଗୀମାନେ ନୂଆ ନୂଆ ପ୍ରକଳ୍ପକୁ ନେଇ ସାମ୍ନାକୁ ଆସିବା ଉଚିତ।

କରୋନା ଯୋଗୁଁ ସମସ୍ତେ ହାତ ବାନ୍ଧି ଘରେ ବସିଛନ୍ତି। ଏପରି କ୍ଷେତ୍ରରେ ନିଜେ ନିଜ ଗୋଡ଼ରେ ଠିଆ ହେବାକୁ ଲକ୍ଷ୍ୟ ରଖିଥିବା ଯୁବ ଉଦ୍ୟୋଗୀମାନେ ଭାଙ୍ଗି ପଡୁଛନ୍ତି। ସେମାନେ କିଛି ନୂଆ କରିବା ବଦଳରେ ଚାକିରୀ କରିବା ଆଶାରେ ବ୍ୟସ୍ତ ହୋଇପଡ଼ୁଛନ୍ତି। ସରକାର ମଧ୍ୟ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅର୍ଥନୀତି ବିଶାରଦଙ୍କ ମତ ଦେଇଛନ୍ତି।

ଯୁବ ଶିଳ୍ପଦ୍ୟୋଗୀ ଶାନ୍ତିସ୍ୱରୂପ ମହାପାତ୍ର। ଘର ପୁରୀ । ଗତ ୧୪ ବର୍ଷ ହେଲା  ଭୁବନେଶ୍ୱରରେ ଆଇଟି ବିଜନେସରେ ଅଛନ୍ତି। କିନ୍ତୁ କୋଭିଡ କାରଣରୁ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ନିଜ ବ୍ୟବସାୟରେ ହାତବାନ୍ଧି ବସିଥିବା ଶାନ୍ତିସ୍ୱରୂପ ଏବେ ନିଜେ ଚାକିରୀ ଖୋଜିବାକୁ ଆଗ୍ରହୀ ଥିବା କହନ୍ତି। ଏନେଇ ଶାନ୍ତିସ୍ୱରୂପ କହିଛନ୍ତି," ଅନ୍ୟ ପାଖରେ ଚାକିରୀ ନକରି ନିଜେ କିଛି  କରିବା ମନସ୍କ ହୋଇ ଆଇଟି ବ୍ୟବସାୟକୁ ଆସିଥିଲି। ଧିରେ ଧିରେ ବ୍ୟବସାୟ ବି ବଢ଼ୁଥିଲା। ହେଲେ କୋଭିଡ ସବୁ ଉଜାଡ଼ି ଦେଲା। ପୁଣିଥରେ ନୂଆକରି ବ୍ୟବସାୟ କରିବା କଷ୍ଟକର। ଏବେ ମୁଁ ଭାବୁଛି ବ୍ୟବସାୟ ଛାଡ଼ି ଚାକିରୀ ଖୋଜିବି। କାରଣ ମୋ ପାଖରେ ଆଉ କିଛି ବିକଳ୍ପ ନାହିଁ।"

ବ୍ଯବସାୟୀମାନେ ବ୍ଯବସାୟ ଛାଡ଼ି ଚାକିରୀ ଖୋଜିବାରେ ଲାଗିଛନ୍ତି (ପ୍ରତୀକାତ୍ମକ ଛବି)


କେଵଳ ଶାନ୍ତିସ୍ୱରୂପ ନୁହନ୍ତି, ତାଙ୍କ ଭଳି ବ୍ୟବସାୟ ଦୁନିଆକୁ ନେଇ ସ୍ଵପ୍ନ ଦେଖୁଥିବା ଅନେକ ଯୁବ ଶିଳ୍ପଦ୍ୟୋଗୀଙ୍କ ମାନସିକତା ଏବେ ଏଭଳି ହୋଇଛି।  କେଵଳ ଏହି ଗୋଟିଏ ଘଟଣା ନୁହେଁ, ରାଜ୍ୟରେ ଥିବା ସଂଖ୍ୟାଧିକ ଛୋଟ ଛୋଟ ଶିଳ୍ପ ଅନୁଷ୍ଠାନର ପରିଚାଳକଙ୍କ ସମାନ ଅବସ୍ଥା।  ସୂଚନା ଅନୁସାରେ, ଏମଏସଏମଇ କ୍ଷେତ୍ରରେ ରାଜ୍ୟରେ ପଞ୍ଜିକୃତ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ୧୬ ଲକ୍ଷରୁ ଅଧିକ।

ଏମାନେ ବର୍ଷକୁ ପ୍ରାୟ ୫୦ ଲକ୍ଷରୁ ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି। ଗତ ଦେଢ ବର୍ଷ  ଭିତରେ କୋଭିଡ ପ୍ରଭାବ କାରଣରୁ ପ୍ରାୟ ୪୦ ପ୍ରତିଶତରୁ ଅଧିକ ଶିଳ୍ପ ସଂସ୍ଥା ଗଭୀର ପ୍ରଭାବିତ ହୋଇଥିବା ବେଳେ ୮ ଲକ୍ଷରୁ ଅଧିକ  ଲୋକ କର୍ମ ସଂସ୍ଥାନ ହରାଇଛନ୍ତି। ଆଗକୁ ସ୍ଥିତି ଅଧିକ ହୋଇପାରେ ବୋଲି ଏକ୍ସପର୍ଟଙ୍କ ମତ ରଖିଛନ୍ତି।

ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣି କହିଛନ୍ତି, "କୋଭିଡ ପ୍ରଭାବ ମାରାତ୍ମକ ହୋଇଛି ସତ। କିନ୍ତୁ ସେ ଭିତରେ ଆମକୁ ଆଗକୁ ବଢ଼ିବାକୁ ପଡିବ। ନୂଆ ନୂଆ ପ୍ରକଳ୍ପ ନେଇ କାମ କରିବାକୁ ପଡ଼ିବ। ତାହେଲେ ସ୍ଥିତିରେ ସୁଧାର ଆସିବ। ସେହିପରି ଅର୍ଥନୀତିଜ୍ଞ  ଚିତ୍ତରଞ୍ଜନ ବେହେରାଙ୍କ ମତରେ, ପ୍ରତିକୂଳ ସ୍ଥିତିରେ ଏମାନେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଆଗକୁ ବହୁ ସଂଖ୍ୟକ ଲୋକ କର୍ମନିଯୁକ୍ତି ହରାଇବା ସମ୍ଭାବନା ଅଧିକ। ତେଣୁ ସରକାରୀ ସହଯୋଗ ଆବଶ୍ୟକ ରହିଛି। ଗୁରୁତର ଭାବେ ଏହାକୁ ସରକାର ବିଚାର କରିବା ଦରକାର। ଗୋଟିଏ ଲାଇନରେ କହିଲେ ଏବେ ଯୁବ ଓ ନୂଆ ଉଦ୍ୟୋଗୀଙ୍କୁ ସରକାର ଅଧିକ ପ୍ରୋତ୍ସାହନ ଦେବା ଆବଶ୍ୟକ।

ଏବେ ପ୍ରଭାବିତ କୋଭିଡ ସ୍ଥିତି ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ରାଜ୍ୟର ୧୬ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଭାଗ୍ୟ। ସରକାର ଏହା ଉପରେ ପ୍ରାଧାନ୍ୟ ଦେବା ଉଚିତ ବୋଲି ବୁଦ୍ଧିଜୀବୀଙ୍କ ମତ।
Published by: Soumya Das
First published: October 5, 2021, 5:13 PM IST