ୟେସ୍ ବ୍ୟାଙ୍କର ଦେଣନେଣ ସ୍ୱାଭାବିକ ହେଲା, ହେଲେ ଏବେ ବି ଆଶଙ୍କାରେ ଜମାକାରୀମାନେ

ବ୍ୟାଙ୍କ୍ ଖୋଲିବାର ପ୍ରଥମ ଦିନରେ ଅଧିକାଂଶ ଗ୍ରାହକ ଟଙ୍କା ଉଠାଣ ଉପରେ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କ୍ ଅଧିକାରୀମାନେ ଗ୍ରାହକମାନଙ୍କୁ ଆଶ୍ବସ୍ତ କରିବାକୁ ଚେଷ୍ଟା କରିଥିଲେ ।

ୟେସ୍ ବ୍ୟାଙ୍କର ଦେଣନେଣ ସ୍ୱାଭାବିକ ହେଲା, ହେଲେ ଏବେ ବି ଆଶଙ୍କାରେ ଜମାକାରୀମାନେ
ଭୁବନେଶ୍ୱରରେ ଥିବା ୟେସ୍ ବ୍ୟାଙ୍କର ଏକ ଶାଖା
  • News18 Odia
  • Last Updated: March 20, 2020, 12:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୟେସ୍‌ ବ୍ୟାଙ୍କର ଦେଣନେଣ କିଛି ବ୍ୟବଧାନ ପରେ ପୁଣି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ନିଜର ବ୍ୟାଙ୍କ ଜମାକୁ ନେଇ ଅଧିକାଂଶ ଗ୍ରାହକଙ୍କ ଭିତରେ ଥିବା ଆଶଙ୍କା ଦୂର ହୋଇନଥିବା ଦେଖିବାକୁ ମିଳୁଛି । ବ୍ୟାଙ୍କ ଖୋଲିବାର ପ୍ରଥମ ଦିନରେ ଅଧିକାଂଶ ଗ୍ରାହକ ଟଙ୍କା ଉଠାଣ ଉପରେ ଗୁରୁତ୍ବ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଅନଲାଇନରେ ଟ୍ରାନଜେକସନ୍‌ କରି ଟଙ୍କା ଉଠାଣ କରୁଥିବା ଦେଖାଯାଇଥିଲା ।

ୟେସ୍‌ ବ୍ୟାଙ୍କ ଉପରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ କଟକଣା  ହଟିବା ପରେ  ଗୁରୁବାର ରାଜଧାନୀର ବାପୁଜୀ ନଗରରେ ଥିବା ୟେସ ବ୍ୟାଙ୍କ୍‌ ଶାଖାର ଦୃଶ୍ୟ ଥିଲା ଏମିତି । ବ୍ୟାଙ୍କରେ ପୂର୍ବ ଅପେକ୍ଷା ଗ୍ରାହକଙ୍କ ଭିଡ ଥିବା ସହ ବହୁ କ୍ଷୁଦ୍ର ଓ ମଧ୍ୟମ ଜମାକାରୀମାନଙ୍କ ଭିତରୁ ସଂଖ୍ୟାଧିକ ପ୍ରଥମ ଦିନରେ ଟଙ୍କା ଉଠାଣ ଉପରେ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଥିଲା । ୟେସ୍‌ ବ୍ୟାଙ୍କକୁ ନେଇ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଶ୍ବାସନା ସତ୍ତ୍ବେ ବହୁ ଗ୍ରାହକ ନିଜ ଜମାକୁ ନେଇ  ଆଶଙ୍କାରେ ଥିଲେ ।

ତେବେ ୟେସ୍‌ ବ୍ୟାଙ୍କ ଜମାକାରୀ ମନୋଜ କୁମାର ନାୟକ କହିଛନ୍ତି, ‘‘ଏବେ ବି ମୁଁ ଆଶା ଓ ଆଶଙ୍କାରେ ଅଛି । ବ୍ୟାଙ୍କର ଆର୍ଥିକ ଦୁଃସ୍ଥିତି ସମୟରେ ମୁଁ ସାମାନ୍ୟ ଚିନ୍ତିତ ଥିଲି । ହେଲେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଅନ୍ୟ କିଛି ଘରୋଇ ବ୍ୟାଙ୍କ ଦାୟିତ୍ବ ନେବା ପରେ ମୋର ଭରସା ବଢିଗଲା । ଆଜି ଆସିଥିଲି କିଛି ଟଙ୍କା ଉଠାଣ ପାଇଁ । ବ୍ୟାଙ୍କ ଅଧିକାରୀମାନେ ମୋତେ ଭରସା ଦେଲେ । ମୁଁ ଖୁସି, ହେଲେ ତଥାପି ଭୟ ଲାଗୁଛି ।’’

‘‘ବ୍ୟାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବା ବେଳେ ବି ମୁଁ ସାମାନ୍ୟ ଚିନ୍ତିତ ନଥିଲି । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାରଙ୍କ ଉପରେ ମୋର ଭରସା ଥିଲା । ଏବେ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ପରେ ମୋର ଭରସା ବ୍ୟାଙ୍କ ଉପରେ ବଢିଛି । ବ୍ୟାଙ୍କ ସହ କାରବାର ବଢାଇବାକୁ ମୋର ଅନିଚ୍ଛା ନାହିଁ,’’ କହିଛନ୍ତି ୟେସ ବ୍ୟାଙ୍କ ସହ ଗତ ୧୨ ବର୍ଷରୁ ଅଧିକ ବ୍ୟବସାୟିକ ସମ୍ପର୍କ ରଖିଥିବା ଜମାକାରୀ ସୁକାନ୍ତ ଦଳ ବେହେରା । ସେ ବମିଖାଲ ଅଞ୍ଚଳରେ ଥିବା ଓଡିଶା ହୋଟେଲ୍‌ର ପରିଚାଳକ ।

ଧଉଳି ଅଞ୍ଚଳର ୟେସ୍‌ ବ୍ୟାଙ୍କ ଜମାକାରୀ ମନୋରଞ୍ଜନ ସ୍ବାଇଁ କହିଛନ୍ତି ତଥାପି ତାଙ୍କୁ ୟେସ୍‌ ବ୍ୟାଙ୍କ ଉପରେ ଭରସା ପାଉନି । ‘‘ଗୋଟେ ଚେକ୍‌ ବାଉନ୍ସ ହୋଇଥିଲା, ସେଥି ପାଇଁ ବ୍ୟାଙ୍କ ଆସିଥିଲି । କାମ ଠିକ୍‌ ଠିକ୍‌ ହେଲା । ଭାବୁଛି ଏହି ବ୍ୟାଙ୍କରେ ଥିବା ଖାତା ବନ୍ଦ କରିଦେବି । ହେଲେ ବ୍ୟାଙ୍କବାଲା ଖାତା ବନ୍ଦ ନ କରିବା ପାଇଁ ଅନୁରୋଧ କରୁଛନ୍ତି,’’ ସେ କହିଛନ୍ତି ।

ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଉଦ୍ୟମ ଯୋଗୁଁ ଏକ ବଡ ଆର୍ଥିକ ସଙ୍କଟରୁ ୟେସ ବ୍ୟାଙ୍କ ମୁକୁଳିଛି ବୋଲି କହିଛନ୍ତି ନାବାର୍ଡର ପୂର୍ବତନ ମୁଖ୍ୟ ମହା ପ୍ରବନ୍ଧକ କେ.ସି. ପାଣିଗ୍ରାହୀ । ‘‘ଗ୍ରାହକମାନେ ଏବେ ଆଶ୍ବସ୍ତ ହେବା ଦରକାର । ଗ୍ରାହକମାନଙ୍କ ସବୁ ପ୍ରକାର ଜମା ଟଙ୍କା ଫେରିପାଇବାରେ ଏବେ କିଛି ବାଧକ ନାହିଁ । ତେଣୁ ମୋ ମତରେ ବ୍ୟାଙ୍କର ସ୍ଥିତି ସୁଧୁରୁଥିବାରୁ ଗ୍ରାହକମାନେ ନିଜ ଜମାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ,’’ ସେ କହିଛନ୍ତି ।
First published: March 20, 2020, 12:59 AM IST