ସଙ୍କଟରେ ୟେସ୍‌ ବ୍ୟାଙ୍କ: ଗ୍ରାହକଙ୍କ ଟଙ୍କା ଉଠାଇବା ଉପରେ କଟକଣା; ଓଡ଼ିଶା ସରକାରଙ୍କ ଟଙ୍କା ବି ଅଛି

ୟେସ୍‌ ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା‌ ୩୦ ଦିନ ଭିତରେ ₹୫୦,୦୦୦ରୁ ଅଧିକ ଉଠାଇପାରିବେ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି । ପୁରୀ ଶ୍ରୀମନ୍ଦିରର ୫୨୯ କୋଟି ଟଙ୍କା ଏହି ବ୍ୟାଙ୍କରେ ରଖାଯାଇଥିବାରୁ କଂଗ୍ରେସ ଓ ବିଜେପି ଓଡ଼ିଶା ସରକାରଙ୍କୁ ସମାଲୋଚ଼ନା କରିଛନ୍ତି ଓ ତଦନ୍ତ ଦାବି କରିଛନ୍ତି ।

ସଙ୍କଟରେ ୟେସ୍‌ ବ୍ୟାଙ୍କ: ଗ୍ରାହକଙ୍କ ଟଙ୍କା ଉଠାଇବା ଉପରେ କଟକଣା; ଓଡ଼ିଶା ସରକାରଙ୍କ ଟଙ୍କା ବି ଅଛି
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ପାଖାପାଖି ୫୨୯ କୋଟି ଟଙ୍କା ରଖାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଘରୋଇ ବ୍ୟାଙ୍କ୍‌ ୟେସ୍‌ ବ୍ୟାଙ୍କ ଏବେ ଘୋର ସଙ୍କଟରେ ପଡ଼ିଥିବା ଜଣା ପଡ଼ିଛି । ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଛନ୍ତି । ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା‌ ୩୦ ଦିନ ଭିତରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ମେଡିକାଲ୍ ବାବଦ ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଓ ବିବାହ କିମ୍ବା ସେହି ଧରଣର ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଧିକ ଟଙ୍କା ଉଠାଇ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ୟେସ୍‌ ବ୍ୟାଙ୍କର ବୋର୍ଡ‌କୁ ରିଜର୍ଭ ବ୍ୟାଙ୍କ ତତ୍କାଳ ନିଜ ହାତକୁ ନେଇଯାଇଛି । ବ୍ୟାଙ୍କର ଦେଖାଶୁଣା କରିବା ଲାଗି ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି।

ଛଅ ମାସ ପୂର୍ବେ ମହାରାଷ୍ଟ୍ରର ପିଏମ୍‌ସି ବ୍ୟାଙ୍କ ସଙ୍କଟ ବେଳେ ଏଭଳି ପଦକ୍ଷେପ ନିଆଯାଇଥିଲା । ୟେସ ବ୍ୟାଙ୍କ ଋଣ ଆକାରରେ ଦେଇଥିବା କୋଟି କୋଟି ଟଙ୍କା ବୁଡ଼ିଯାଇଛି। ପାଣ୍ଠି ଯୋଗାଡ଼ ପାଇଁ RBI କହିବା ସତ୍ତ୍ବେ ୟେସ୍‌ ବ୍ୟାଙ୍କ ବିଫଳ ହୋଇଛି । ନିୟମିତ ବ୍ୟବଧାନରେ ବ୍ୟାଙ୍କରୁ ପାଣ୍ଠି ବାହାରକୁ ଚ଼ାଲିଯିବାରୁ ଏହାର ଆର୍ଥିକ ସ୍ଥିତି ଦୋହଲିଯାଇଛି । ତେଣୁ ଟଙ୍କା ଉଠାଣ ଉପରେ କଟକଣାର ନିଷ୍ପତ୍ତି ନେଇଛି RBI ।

ଓଡ଼ିଶା ସରକାରଙ୍କ କିଛି ଟଙ୍କା ବି ଏହି ବ୍ୟାଙ୍କରେ ଅଛି । ସରକାର ପୁରୀ ଶ୍ରୀମନ୍ଦିରର କର୍ପସ୍‌ ଫଣ୍ଡ୍‌ ଓ ହୁଣ୍ଡି ଟଙ୍କା ବାବଦରେ ପାଖାପାଖି ୫୨୯ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସରକାରଙ୍କୁ ସମାଲୋଚ଼ନା କରିଛନ୍ତି ଓ ତଦନ୍ତ ଦାବି କରିଛନ୍ତି ।

‘‘ଓଡ଼ିଶା ସରକାରଙ୍କ ଟଙ୍କା କୌଣସି ଜାତୀୟ ବ୍ୟାଙ୍କରେ ରଖା ନ ଯାଇ ଏକ ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା? ଏହା ପଛରେ କେଉଁ ଉଦେଶ୍ୟ ରହିଛି? ଏ ମାମଲାର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ । ଶ୍ରୀ ଜଗନ୍ନାଥଙ୍କ ଟଙ୍କାକୁ ଏମିତି ହେରଫେର କଲେ ରାଜ ରାସ୍ତାରେ ଜୋରଦାର ଆନ୍ଦୋଳନ ହେବ । ନବୀନ ବାବୁ ଜବାବ ଦେବେ,’’ କହିଛନ୍ତି ରାଉତରାୟ ।

ୟେସ୍‌ ବ୍ୟାଙ୍କରେ ରାଜ୍ୟା ସରକାର ଶ୍ରୀମନ୍ଦିରର ଟଙ୍କା ରଖିବା ପ୍ରସଙ୍ଗରେ ବିଜେପି ବିଧାୟକ କେ. ନାରାୟଣ ରାଓଙ୍କ ପ୍ରତିକ୍ରିୟା ବି ଆସିଛି । ‘‘କେନ୍ଦ୍ର ସରକାର ନ୍ୟାସନାଲଲାଇଜ ବ୍ୟାଙ୍କରେ ଟଙ୍କା ରଖିବାକୁ ସମସ୍ତଙ୍କୁ କହୁଛନ୍ତି । ରାଜ୍ୟ ସରକାର ଏତେ ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ପଛରେ ବଡ଼ ଘୋଟାଲା ହୋଇଛି । ତୁରନ୍ତ ତଦନ୍ତ ହେବା ଦରକାର,’’ କହିଛନ୍ତି ରାଓ ।

‘‘ଏହି ମାର୍ଚ୍ଚ ମାସ ଶେଷ ସୁଦ୍ଧା ଆମର ୫୨୯ କୋଟି ଟଙ୍କା ମ୍ୟାଚ଼ୁରିଟି ପରେ ସୁଧ ସହିତ ଆମକୁ ଫେରସ୍ତ କରାଯିବାର ଥିଲା । ଆମର ଗତ ବୋର୍ଡ଼ ବୈଠକରେ ଏ ବିଷୟରେ ଆଲୋଚ଼ନା ବି ହୋଇଥିଲା । ହେଲେ ଏବେ ୟେସ୍‌ ବ୍ୟାଙ୍କ ଦେବାଳିଆ ହୋଇଯାଇଥିବା କଥା ଆମେ ଜାଣୁଛୁ । ଏ ବିଷୟରେ ଆମେ ସରକାର ଓ ଶ୍ରୀମନ୍ଦିର ମଖ୍ୟ ପ୍ରଶାସକଙ୍କ ସହିତ ଆଲୋଚ଼ନା କରିବୁ । ନିଶ୍ଚିତ ଭାବରେ ଜଗନ୍ନାଥଙ୍କ ଟଙ୍କା ଜଗନ୍ନାଥଙ୍କୁ ଫେରସ୍ତ ମିଳିବ । ଏଥି ପାଇଁ ଆମେ ସେବାୟତମାନଙ୍କୁ ଯାହା କିଛି କରିବାକୁ ପଡ଼ିବ ଆମେ କରିବୁ,’’ କହିଛନ୍ତି ଶ୍ରୀମନ୍ଦିର ପରିଚ଼ାଳନା କମିଟିର ସଦସ୍ୟ ରାମଚ଼ନ୍ଦ୍ର ଦାସ ମହାପାତ୍ର ।
First published: March 6, 2020, 1:47 PM IST
corona virus btn
corona virus btn
Loading