ୟେସ୍ ବ୍ୟାଙ୍କରୁ ଟଙ୍କା ଉଠେଇବାକୁ ଜମାକାରୀଙ୍କ ଭିଡ଼ ବଢ଼ୁଛି; ସହାୟତାର ହାତ ବଢ଼ାଇଲା SBI

ୟେସ୍ ବ୍ୟାଙ୍କରେ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ନିବେଶ ପ୍ଲାନ୍ ଦେଇଛି । ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଏସ.ବି.ଆଇ. ଘୋଷଣା କରିଛି ।

ଅହମଦାବାଦର ଏକ ୟେସ୍‌ ବ୍ୟାଙ୍କ୍ ଶାଖା ସାମନାରେ ଭିଡ଼

ଅହମଦାବାଦର ଏକ ୟେସ୍‌ ବ୍ୟାଙ୍କ୍ ଶାଖା ସାମନାରେ ଭିଡ଼

  • Share this:
News18 Odia Digital

ଭୁବନେଶ୍ୱର/ନୂଆ ଦିଲ୍ଲୀ: ୟେସ୍ ବ୍ୟଙ୍କରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ ତରଫରୁ କଟକଣା ଲଗାଯାଇଥିବାରୁ ଆଜି ୟେସ୍‌ ବ୍ୟାଙ୍କର ଶାଖା ଗୁଡ଼ିକରେ ଲମ୍ବା ଲାଇନ ଲାଗିଛି । ଗ୍ରାହକମାନେ ନିଜର ଜମା ଟଙ୍କା ଉଠାଇବା ପାଇଁ ସକାଳୁ ଆସି ୟେସ୍ ବ୍ୟାଙ୍କର ଶାଖା ଗୁଡ଼ିକରେ ଲାଇନରେ ଠିଆ ହୋଇଛନ୍ତି ।

ଉଠାଣ ସୀମା ୫୦,୦୦୦ ଟଙ୍କା ଧ୍ୟାର୍ଯ୍ୟ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଛି । ମାସେ ଯାଏଁ ରିଜର୍ଭ ବ୍ୟାଙ୍କର ଟଙ୍କା ଉଠାଣ ଉପରେ ଏହି କଟକଣା ରହିବ । ଆଜି ନେଟ ବ୍ୟାଙ୍କିଙ୍ଗ କାମ କରୁ ନ ଥିବାରୁ ଗ୍ରାହକମାନେ ବ୍ୟାଙ୍କ ଆସି ଭିଡ଼ ଜମାଇଛନ୍ତି ।

ଭୁବନେଶ୍ବରରେ ବାପୁଜୀ ନଗରରେ ଥିବା ୟେସ୍ ବ୍ୟାଙ୍କ ଶାଖା ସାମନାରେ ଦିନ ୧୨ ଟା ସମୟରେ ଖରାକୁ ଖାତିର ନ କରି ଗ୍ରାହକମାନେ ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ଉଠାଣ କରିବା ପାଇଁ ଲମ୍ବା ଲାଇନ ଲଗାଇ ଠିଆ ହୋଇଥିଲେ । ସକାଳ ସାଢ଼େ ୧୦ଟା ରୁ ଆସି ଠିଆ ହୋଇଥିବା ସତ୍ତ୍ବେ ଲମ୍ବା ଲାଇନ ସମାପ୍ତ ହେଉ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ୟେସ୍ ବ୍ୟାଙ୍କରେ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ନିବେଶ ପ୍ଲାନ୍ ଦେଇଛି । ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଏସ.ବି.ଆଇ. ଘୋଷଣା କରିଛି । ବୋର୍ଡ଼ ଅଫ୍ ଡିରେକ୍ଟରସ୍‌ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏସ.ବି.ଆଇ. ର ଅଧ୍ୟକ୍ଷ ରଜନିଶ କୁମାର । ତେବେ ୪୯ ପ୍ରତିଶତ ଅଂଶୋଧନ କିଣିବାକୁ ନେଇ ଥିବା ନ୍ୟୟିକ ପ୍ରକ୍ରିୟାକୁ ଯଥା ଶୀଘ୍ର ସାରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି । ୪୯ ପ୍ରତିଶତ ଅଂଶଧନ କିଣିବା ପରେ ୟେସ୍ ବ୍ୟାଙ୍କରେ ଏସ.ବି.ଆଇ.ର ୨,୪୫୦ କୋଟି ଟଙ୍କା ନିବେଶ ହେବ ।

ଏହି ସବୁ ପ୍ରକ୍ରିୟା ପାଇଁ ଏକ ଟିମ୍ ଗଠନ କରାଯାଇଛି । ଅଂଶଧନ କିଣିବା ପରେ ଗ୍ରାହକମାନଙ୍କ ସମସ୍ତ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରେସ୍ ମିଟ୍ ସେ ସୂଚନା ଦେଇଚନ୍ତି ରଜନୀଶ । ସେହିଭଳି ଜମାକାରୀଙ୍କ ଅର୍ଥ ବୁଡ଼ିବ ନାହିଁ ବୋଲି ସେ କହିଛନ୍ତି । ଏହି ନିବେଶ ଯୋଜନା ରିଜର୍ଭ ବ୍ୟାଙ୍କ ଧ୍ୟାର୍ଯ୍ୟ କରିଥିବା ସମୟ ସୀମା ମଧ୍ୟରେ ଶେଷ କରିବାକୁ ପ୍ରୟାସ କରାଯାଉଥିବା କଥା ସେ କହଛନ୍ତି । ଆସନ୍ତା ୯ ତିରିଖରେ ଏହି ନିବେଶ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ରିଜର୍ବ ବ୍ୟାଙ୍କରେ ଉପସ୍ଥାପିତ କରାଯିବ । ୟେସ୍ ବ୍ୟାଙ୍କରେ ନିବେଶ ପାଇଁ ଏସ୍.ବି.ଆଇ. ବୋର୍ଡ଼ ନୀତିଗତ ମଞ୍ଜୁରି ଦେଇଥିବା ବମ୍ବେ ଷ୍ଟକ୍ ଏକ୍ସଜେଞ୍ଜକୁ ଅବଗତ କରାଯାଇଛି ।

ଆଜି ଦେଶର ବିଭିନ୍ନ ସହରରେ ହଜାର ହଜାର ସଂଖ୍ୟରେ ଲୋକେ ୟେସ୍‌ ବ୍ୟାଙ୍କ୍‌ ସାମନାରେ ଠିଆ ହୋଇଛନ୍ତି । ଏହି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଲୋକେ ଚ଼ିନ୍ତିତ । କାହାକୁ ହସ୍ପିଟାଲ ଯିବାର ଅଛି, କାହାର ଘର ଭଡ଼ା ଦେବାର ଅଛି ଓ କାହାର ରାସନ କିଣିବାର ଅଛି, ହେଲେ ଏବେ ଏ.ଟି.ଏମ୍. ବନ୍ଦ ଥିବା ସହ ବ୍ୟାଙ୍କ ଟ୍ରାଞ୍ଜିକସନ୍ ହୋଇପାରୁନଥିବାରୁ ସେମାନେ ଚ଼ିନ୍ତିତ ଅଛନ୍ତି ।

ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ସୃଷ୍ଟି ହେବା ପରେ ଏହି ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘର ଉପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି । ବିଳମ୍ବିତ ରାତିରେ ଇ.ଡି. ର ଅଧିକାରୀ ରାଣା କପୁରଙ୍କ ଘରେ ରେଡ୍ ଆରମ୍ଭ ହୋଇଥିଲା । ପ୍ରିଭେନସନ୍‌ ଅଫ୍ ମନିଲଣ୍ଡରିଂ ଆଇନ (PMLA) ଅନୁଯାୟୀ ତାଙ୍କ ଘରେ ରେଡ୍ କରାଯାଇଥିଲା । ଏଥି ସହିତ ତାଙ୍କ ବିରୋଧରେ ଏକ ଲୁକ ଆଉଟ୍ ନୋଟିସ ବି ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ସେ ଅଦାଲତଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ ।
Published by:Anand Shankar Thankur Das
First published: