ଭୁବନେଶ୍ବର: ଆଜି (ଡିସେମ୍ବର ୨୬, ଗୁରୁବାର) ଦୃଶ୍ୟମାନ ହେଉଛି ଏ ବର୍ଷର ବିରଳ ଓ ବଳୟ ସୂର୍ଯ୍ୟପରାଗ । ଯଦିଓ ୨୦୧୯ର ଏହା ତୃତୀୟ ସୂର୍ଯ୍ୟପରାଗ, ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ଦୃଶ୍ୟମାନ ହେବ । ସକାଳ ୮ଟା ୨୦ ରୁ ଆରମ୍ଭ ହୋଇ ୧୧ଟା ୨୮ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।
ଠିକ୍ ସକାଳ ୯ଟା ୪୫ ମିନିଟରେ ସବୁଠାରୁ ଅଧିକ ୫୫ ପ୍ରତିଶତ ସୂର୍ଯ୍ୟ ଘୋଡ଼ାଇ ହୋଇଯିବ । ଏହି ସମୟରେ ପୃଥିବୀ ଉପରେ ସୂର୍ଯ୍ୟାଲୋକ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ । ଏଭଳି ଏକ ବିରଳ ସୂ୍ର୍ଯ୍ୟପରାଗକୁ ଦେଖିବା ପାଇଁ ଭୁବନେଶ୍ବର ପ୍ଲାନେଟୋରିୟମ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।
ସକାଳୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ପ୍ଲାନେଟୋରିୟମ୍ ଗେଟ୍ । ଏପରିକି ସୂର୍ଯ୍ୟପରାଗ ଦେଖିବା ପାଇଁ କୈାଣସି ଫି ଦେବାକୁ ପଡ଼ିବ ନାହିଁ । ସ୍ବତନ୍ତ୍ର ଟେଲିସ୍କୋପ୍ ସାହାଯ୍ୟରେ ପରାଗ ସୂର୍ଯ୍ୟ ଦେଖିବେ ସାଧାରଣ ଲୋକ । ସୈାର ଚଷମାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଖାଲି ଆଖିରେ ଦେଖିବା କ୍ଷତିକାରକ ହୋଇଥିବାରୁ ସୈାର ଚଷମା ଦ୍ବାରା ଦେଖିବାକୁ ପରାମର୍ଶ ଦିଆଯାଇଛି ।
‘‘ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଟେଲିସ୍କାପ୍ ବ୍ୟବସ୍ଥା କରାଯାଇଛି । ଗ୍ୟାଲେରୀରେ ବସି ଏକା ସମୟରେ ଅନେକ ଲୋକ ଏହାକୁ ଦେଖିପାରିବେ,’’ କହିଛନ୍ତି ପ୍ଲାନେଟୋରିୟମର ଉପ ନିର୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ ।
ସୂର୍ଯ୍ୟପରାଗ ଦେଖିବା ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଓ ବିଜେବି କଲେଜ ପଡ଼ିଆରେ ମଧ୍ୟ ଟେଲିସ୍କୋପର ବ୍ୟବସ୍ଥା କରାଯାଇଛି । ବୁର୍ଲା ସ୍ଥିତ ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମରେ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ସୂର୍ଯ୍ୟ ପରାଗ ପାଇଁ ବୁଧବାର ରାତି ୮ଟା ୧୯ମିନିଟ୍ରୁ ଦେବ ନୀତି ବନ୍ଦ ହେବା ସହ ପାକତ୍ୟାଗ କରିବାକୁ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି । ମିଥୁନ, କର୍କଟ, ତୁଳା, ଧନୁ, କୁମ୍ଭ ରାଶିର ବ୍ୟକ୍ତି ଏହାକୁ ଦର୍ଶନ କରିବା ଅତ୍ୟନ୍ତ ଶୁଭ । ଅନ୍ତଃସତ୍ତ୍ବା ମାନେ ପରାଗ ସମୟରେ ବାହାରେ ବୁଲିବା ମନା ବୋଲି ମଧ୍ୟ ପରାମର୍ଶ ରହିଛି । ଗୁରୁବାର ଦିନ ୧୧ଟା ୩୦ ପରେ ସ୍ନାନ ଦାନ ପରେ ଦେବନୀତି ଓ ଖାଦ୍ୟ ଗ୍ରହଣ କରିହେବ ।
"ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପରାଗ ନିୟମ ମାନିବା ଉଚିତ୍ । ପାକ ତ୍ୟାଗ ସମୟରେ ରନ୍ଧା ଖାଦ୍ୟ ନଖାଇବା, ଦେବ ନୀତି ବନ୍ଦ ପରେ ପୂଜାର୍ଚ୍ଚନା ନ କରିବା ଭଳି ନିୟମ ମାନିବା ଆବଶ୍ୟକ,’’ କହିଛନ୍ତି ଭ୍ରୁଗୁ ଜ୍ୟୋତିଷ ଶ୍ରୀଧର ବଚାର୍ଯ୍ୟ ।
ଏହା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ହୋଇଥିବା ବେଳେ ୨୦୨୦ ଜୁନ୍ ୨୧ ତାରିଖରେ ପୁନଃ ସୂର୍ଯ୍ୟପରାଗ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।