ସି.ବି.ଏସ୍.ଇ. ପରୀକ୍ଷା ହଲକୁ ରାଇଟିଂ ବୋର୍ଡ଼, କଳା ବଲ୍ ପେନ୍ ଓ ପାଣି ବୋତଲ ନେବା ମନା!

କପି ରୋକିବା ଓ ପ୍ରଶ୍ନପତ୍ର ଭାଇରାଲ ହେବାରୁ ବର୍ତ୍ତିବା ପାଇଁ ସି.ବି.ଏସ୍.ଇ. ଲାଗୁ କରିଛି ଅନେକ କଡ଼ା ନିୟମ । ଉଭୟ ଛାତ୍ରଛାତ୍ରୀ ଓ ପରୀକ୍ଷା ପରିଚ଼ାଳନା ଦାୟିତ୍ବରେ ଥିବା ଶିକ୍ଷକ ଓ ଅଧିକାରୀମାନଙ୍କୁ ମାନିବାକୁ ହେଉଛି ଏହି ନିୟମ ସବୁ ।

ସି.ବି.ଏସ୍.ଇ. ପରୀକ୍ଷା ହଲକୁ ରାଇଟିଂ ବୋର୍ଡ଼, କଳା ବଲ୍ ପେନ୍ ଓ ପାଣି ବୋତଲ ନେବା ମନା!
ଭୁବନେଶ୍ୱରରେ ଏକ ସି.ବି.ଏସ୍‌.ଇ. ପରୀକ୍ଷା କେନ୍ଦ୍ର ବାହାରର ଦୃଶ୍ୟ
  • News18 Odia
  • Last Updated: February 27, 2020, 12:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପରୀକ୍ଷା ହଲକୁ ରାଇଟିଂ ବୋର୍ଡ଼, କଳା ବଲ୍ ପେନ୍, ଜ୍ୟାମିତି ବାକ୍ସ, ପାଣି ବୋତଲ, ଘଣ୍ଟା, କାଲକୁଲେଟର ଓ ମୋବାଇଲ ଫୋନ୍‌ ଆଣିବା ମନା । କେବଳ ଛାତ୍ରଛାତ୍ରୀ ନୁହେଁ, ପରୀକ୍ଷା ପରିଚ଼ାଳନା ଦାୟିତ୍ବରେ ଥିବା ଶିକ୍ଷକ ଓ ଅଧିକାରୀମାନେ ବି ଏ ସବୁ ପରୀକ୍ଷା କେନ୍ଦ୍ରକୁ ଆଣିପାରିବେ ନାହିଁ । ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି ସି.ବି.ଏସ୍.ଇ.ର ।

ସି.ବି.ଏସ.ଇ. ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ଏଭଳି କିଛି ଚ଼ିତ୍ର । ଯେଉଁମାନେ ଘଣ୍ଟା ପିନ୍ଧି ଆସିଥିଲେ ସମସ୍ତଙ୍କୁ ଖୋଲିବାକୁ ପଡ଼ିଥିଲା, ଆଉ ପାଣି ବୋତଲ ବାହାରେ ରଖି ପରୀକ୍ଷା ହଲକୁ ଯାଇଥିଲେ ଛାତ୍ରଛାତ୍ରୀ  ।

ସାରା ଦେଶରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବା ବେଳେ ଭୁବନେଶ୍ବର ରିଜିଅନରୁ ପରୀକ୍ଷାରେ ବସିଛନ୍ତି ୧ ଲକ୍ଷ ୨୧୭ ଜଣ ଛାତ୍ରଛାତ୍ରୀ । କେବଳ ଭୁବନେଶ୍ବରର ୧୩ଟି ପରୀକ୍ଷା କେନ୍ଦ୍ରରେ ୬,୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସକାଳ ବେଳେ ଠିକ୍ ୯ଟା ୩୦ରେ ଖୋଲାଯାଇଥିଲା ପରୀକ୍ଷା କେନ୍ଦ୍ରମାନଙ୍କର ଗେଟ୍ ଓ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇଥିଲା ।

ଆଇ କାର୍ଡ ସାଙ୍ଗକୁ ସମ୍ପୂର୍ଣ୍ଣ ବଡ଼ି ଫ୍ରିସ୍କିଂ ପରେ ସମସ୍ତଙ୍କୁ ଛଡ଼ାଯାଇଥିଲା ପରୀକ୍ଷା ହଲକୁ । ସି.ବି.ଏସ୍‌.ଇ. ପ୍ରଦତ୍ତ ଆଡମିଟ୍ କାର୍ଡରେ ଥିବା କ୍ୟୁ-ଆର୍ କୋର୍ଡ଼କୁ ବି ସାଇତି ରଖିବାକୁ ନିର୍ଦେଶ ଦେଇଛି  ବୋର୍ଡ଼ । ୧୦ଟା ୧୫ରେ ପରୀକ୍ଷା ହଲରେ ପିଲାଙ୍କ ଆଗରେ ପ୍ରଶ୍ନପତ୍ର ଖୋଲାଯାଇ ବଣ୍ଟାଯାଇଥିଲା  । ୧୦ଟା ୩୦ରେ ଆରମ୍ଭ ହୋଇଥିଲା ପରୀକ୍ଷା  ।

‘‘ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ର ସିସିଟିଭି ସର୍ଭେଲାନ୍ସରେ ରହିଥିବା ବେଳେ ହଲ ଗୁଡ଼ିକରେ ଘଣ୍ଟା ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି । ଏପରିକି ଆଇନଗତ ପରିସ୍ଥିତି ଉପୁଜିଲେ ପୋଲିସ୍ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି,’’ କହିଛନ୍ତି ଏକ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ୱାଇ. ପଦ୍ମିନୀ ।

ଗତ ଫେବୃଆରୀ ୧୫ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ଠାରୁ ମୁଖ୍ୟ ବିଷୟର ପରୀକ୍ଷାଗୁଡ଼ିକ ଆରମ୍ଭ ହୋଇଛି । ଇଂରାଜୀ ପ୍ରଶ୍ନପତ୍ରକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀମାନେ । ଏପରିକି ସମୟ ପୂର୍ବରୁ ଉତ୍ତର ଲେଖିବା ଶେଷ କରି ଭଲ ନମ୍ବର ମଧ୍ୟ ଆଶା ରଖିଛନ୍ତି ଅନେକ । ବୋର୍ଡ଼ ପରୀକ୍ଷାକୁ ନେଇ ଥିବା ଚ଼ିନ୍ତା ପ୍ରଥମ ଦିନ ପରୀକ୍ଷା ପରେ ଶେଷ ହୋଇଥିବା ମଧ୍ୟ କହିଛନ୍ତି ସେମାନେ ।

ଦ୍ବାଦଶ ଶ୍ରେଣୀ ପରୀକ୍ଷା ଗୁରୁବାର ଆରମ୍ଭ ହେଉଛି । ପ୍ରଥମ ଦିନରେ ଇଂରାଜୀ ବିଷୟ ପରୀକ୍ଷା ଅଛି । ସାରା ଦେଶରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଭୁବନେଶ୍ବର ରିଜିଅନରୁ ୭୧,୪୩୩ ଓ କେବଳ ଭୁବନେଶ୍ବରରେ ୬,୬୪୭ ଜଣ ପରୀକ୍ଷାର୍ଥୀ ସି.ବି.ଏସ୍‌.ଇ. ଦ୍ବାଦଶ ପରୀକ୍ଷାରେ ବସିବେ  ।
First published: February 27, 2020, 12:56 AM IST
corona virus btn
corona virus btn
Loading