ଅଧରପଣା ଦେଖିଲେ ଲକ୍ଷାଧିକ ଭକ୍ତ ; ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ

ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ

ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ

  • Share this:
News 18 Odia Digital

ପୁରୀ; ସରିଲା ରଥ ଯାତ୍ରା । ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ବରଷକ ପରେ ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କର ମିଳନ । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ । ପ୍ରଥମେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ମନ୍ଦିରକୁ ପ୍ରବେଶ କରିବେ । କିନ୍ତୁ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିବା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି । ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ ।

ଗତକାଲି ଅଧରପଣା ନୀତି ଶେଷ ହେବା ପରେ ଆଜି ଭୋରରୁ ନୀତିକାନ୍ତି ସବୁ ଆରମ୍ଭ ହୋଇଛି । ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢେ ୪ଟାରେ ମଇଲମ ଓ ତଡପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ ହୋଇଛି । ଅପରାହ୍ନ ସାଢେ ଗୋଟାଏରୁ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢେ ୩ଟାରେ ସିଂହାସନ ମାଜଣା କରାଯିବ । ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଆଜି ନିଳାଦ୍ରୀ ବିଜେ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସେପଟେ ଗତକାଲି ଶ୍ରୀକ୍ଷେତ୍ରରେ ରଥ ଉପରେ ୩ ଦିଅଁଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ପହଞ୍ଚାଇ ଥିଲେ ।

ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଛାଚି, ଗୋଲମରିିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ନେଇ ରଖିଥିଲେ । ପ୍ରତି ଠାକୁରଙ୍କ ସମ୍ମୁଖରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକାର ମାଟି ନିର୍ମିତ ତିନିଗୋଟି ହାଣ୍ଡି ରଖା ଯିବା ପରେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥିଲା । ପତ୍ରୀବଡୁ, ସୁଆରବଡ଼ୁ, ଗରାବଡ଼ୁ ପାଳିଆ ସେବକ ତିନିରଥ ଉପରେ ପୂଜାର୍ଚ୍ଚନା କରିବା ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ଲଗାଇବା ପରେ ଠାକୁରମାନଙ୍କ ସମ୍ମୁଖରେ ପ୍ରପାନକପୂର୍ଣ୍ଣ ଏହି ପାତ୍ରମାନଙ୍କୁ ଭାଙ୍ଗି ଦିଆଯାଇଥିଲ । ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ,ରଥରେ ରହିଥିବା ସମସ୍ତ ଅଶରୀରିଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ ।
Published by:Soubhagya Mishra
First published: