Rath Yatra: ପବିତ୍ର ଘୋଷଯାତ୍ରା: ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା । ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ।

ଆଜି ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା

ଆଜି ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା

  • Share this:
News 18 Odia Digital

ପୁରୀ : ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା । ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି ।

ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିରର ସିଂହଦ୍ୱାର । ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି, କୋଳାହଳରେ ପୂରି ଉଠୁଛି ବଡଦାଣ୍ଡ । ମୃଦଙ୍ଗ ବାଜୁଛି, କୀର୍ତ୍ତନ ଚାଲିଛି । ଭାବରେ ଭକ୍ତ ଚାହିଁ ରହିଛି, କେତେବେଳେ ରଥକୁ ଆସିବ ମୋ କାଳିଆ ଠାକୁର, ତାକୁ ଦେଖିବାକୁ ପରା ମନ ବ୍ୟାକୁଳ । ୩ ରଥ ଆଗେ ଥେଇ ଥେଇ ହୋଇ ନାଚୁଛି ମୟୁରୀ । ନର୍ତ୍ତକୀ ଓ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ବାଗତ କରି ନୃତ୍ୟ ପରିବେଷଣ କରୁଛନ୍ତି।

ବଡ଼ଦାଣ୍ଡର ଦୃଶ୍ୟ


ଆଜି ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଲାଗି ହୋଇଛି। ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଛି। ରଥ ପ୍ରତିଷ୍ଠା , ମଙ୍ଗଳାର୍ପଣ ପରେ ଧାର୍ଯ୍ୟ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇସରିଛି ସାଢ଼େ ୧୨ଟା ମଧ୍ୟରେ  ପହଣ୍ଡି ଶେଷ ହେବ। ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ୧ଟାରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷପରେ ସାଢ଼େ ୨ଟାରୁ ଛେରା ପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ସରିବା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ । ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।

ଭକ୍ତମୟ ଶ୍ରୀକ୍ଷେତ୍ର


ସେପଟେ ଦୁଇବର୍ଷ ଧରି ଭକ୍ତ ରଥଯାତ୍ରା ସ୍ବଚକ୍ଷୁରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପୁରୀକୁ ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ପ୍ରାଥମିକ ଆକଳନ କରାଯାଇଛି। ସେହି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ୧୮୦ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।
Published by:Soubhagya Mishra
First published: