News18 Odia Digital
କଟକ: ଆଜି ଠାରୁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ସିନିୟର ମହିଳା ଟି ୨୦ ଚାଲେଞ୍ଜର ଟ୍ରଫି । ବାରବାଟୀରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ଭାରତୀୟ ମହିଳା କ୍ରିକେଟ ଷ୍ଟାର ଖେଳାଳି ହନମନପ୍ରିତ କୌର, ସ୍ମୃତି ମନ୍ଧନା ଓ ଭେଦା କ୍ରିଷ୍ଣମୂର୍ତ୍ତି ।
ଏହି ତିନି ଜଣଙ୍କ ବ୍ୟତୀତ ତାନିଆ ଭାଟିଆ ଓ ପୁନମ ଯାଦବଙ୍କ ଭଳି ପ୍ରତିଭାଶାଳୀ କ୍ରିକେଟ ଖେଳାଳି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଦୁଇ ଓଡ଼ିଆ ସୁଶ୍ରୀ ଦିବ୍ୟ ଦର୍ଶିନୀ ଓ ମାଧୁରୀ ମହେଟା ମଧ୍ୟ ସାମିଲ ହୋଇଛନ୍ତି । ଉଭୟ ଫର୍ମରେ ଥିବା ବେଳେ ସେମାନଙ୍କ ଠାରୁ ଭଲ ଖେଳର ଆଶା ରଖାଯାଇଛି ।
ବର୍ଷା ଯୋଗୁଁ ଶୁକ୍ରବାର ଦିନ ଟିମଗୁଡିକ ଅଭ୍ୟାସରେ ବାଧା ଉପୁଜିଥିବା ବେଳେ ବର୍ଷା ହେଲେ ଆଜିର ମ୍ୟାଚ ଧୋଇଯିବାର ଆଶଙ୍କା ଦେଖା ଦେଇଛି ।

ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ୱାର୍ମଅପ୍ କରୁଛନ୍ତି ଖେଳାଳିମାନେ ।
ଶନିବାର ଠାରୁ ବାରବାଟୀରେ ଆରମ୍ଭ ହେଉଥିବା ସିନିୟର ମହିଳା ଟି ୨୦ ଚାଲେଞ୍ଜର ଟ୍ରଫି ପାଇଁ ଟିମ ଏ' ଓ ବି' ର ଖୋଳିମାନେ ଶୁକ୍ରବାର ଦିନ ଷ୍ଟାଡିୟମରେ ପହଚି ଅଭ୍ୟାସ କରିଛନ୍ତି । ନିଜ ଦଳର ଖେଳାଳିମାନଙ୍କ ସହ ଭାରତ ଏ’ ଟିମ କ୍ୟାପଟେନ ହରମନପ୍ରୀତ କୌର ଓ ଭାରତ ବି’ ଟିମ କ୍ୟାପଟେନ ସ୍ମୃତି ମନ୍ଧନା ବାରବାଟୀ ଅଭ୍ୟାସ କରିଛନ୍ତି ।
କିନ୍ତୁ ବର୍ଷା ଯୋଗୁଁ ଅଳ୍ପ ସମୟର ୱାର୍ମଅପ ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୁଇଟି ଯାକ ଟିମ ଡ୍ରେସିଂକୁ ଫେରି ଆସିଥିଲା । ବର୍ଷା ଯୋଗୁଁ ଶୁକ୍ରବାର ଦିନ ହେବାକୁ ଥିବା ମ୍ୟାଚର ସମ୍ଭାବନା କ୍ଷୀଣ ଥିଲା । ସେପଟେ ପିଚ଼କୁ ଘୋଡାଇ ଦିଆଯାଇଥିଲେ ମଧ୍ୟ ଯଦି ଶୁକ୍ରବାର ଭଳି ଶନିବାର ମଧ୍ୟ ବର୍ଷା ଜାରି ରୁହେ, ତେବେ ଏହାର ପ୍ରଭାବ ପୂରା ଟୁର୍ଣ୍ଣାମେଣ୍ଟ ଉପରେ ପଡିବାର ଆଶାଙ୍କା ସୃଷ୍ଟି ହୋଇଛି ।
ଏହି ଟୁର୍ଣ୍ଣାମେଣ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତ ଏ ଟିମ, ବି ଓ ସି କରି ଗଠିତ ହୋଇଥିବା ମୋଟ ଟିମ ପରସ୍ପର ମଧ୍ୟରେ ୭ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ଖେଳାଳିମାନଙ୍କ ମଧ୍ୟରେ ରହିଥିବା ଦୁଇ ଓଡିଆ ସୁଶ୍ରୀ ଦିବ୍ୟ ଦର୍ଶିନୀ ଓ ମାଧୁରୀ ମହେଟାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସୁଶ୍ରୀ ଦିବ୍ୟ ଦର୍ଶିନୀ ଟିମ ବି’ ରେ ଥିବା ବେଳେ ସି’ରେ ରହିଛନ୍ତି ମାଧୁରୀ ମହେଟା ।
ପ୍ରତିଦିନ ସକାଳ ୧୧ରୁ ଗୋଟାଏ ୪୫ ମିନିଟ ପର୍ଯ୍ୟନ୍ତ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତିଟି ଟିମ ପରସ୍ପର ମଧ୍ୟରେ ୬ଟି ମ୍ୟାଚ ଖେଳିବାକୁ ଥିବା ବେଳେ ୧୦ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ନବାଗତ ମାନଙ୍କ ପାଇଁ ଜାତୀୟ ମହିଳା ଟିମରେ ସ୍ଥାନ ପାଇବା ସହଜ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।