News18 Odia Digital
ଭୁବନେଶ୍ବର: ମହିଳା ସଶକ୍ତିକରଣ ବିଲ ପାରିତ ନେଇ ସଂସଦରେ ଦାବି ଉଠାଇଲା ବିଜେଡି। ଯଥାଶୀଘ୍ର ବିଲ ପାରିତ ନେଇ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର। ଏହି ବିଲ ପାରିତ ହେଲେ ଦେଶର ୬୬ କୋଟି ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।
ବିଧାନସଭା ଓ ଲୋକସଭା ମହିଳା ସଂରକ୍ଷଣ ବିଲ ପାରିତ ହେଲେ ରାଜନୀତି କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱରେ ଏକ ବଡ଼ ପଦକ୍ଷେପ ହେବ। ପୂର୍ବରୁ ବିଜେଡି ଏ ନେଇ ବାରମ୍ବାର ଦାବି କରୁଥିବା ବେଳେ ଏହି ବିଲକୁ ସମର୍ଥନ ଜଣାଇବାକୁ ୨୦୧୮ରେ ବିଭିନ୍ନ ରାଜନୀତିକ ଦଳଙ୍କୁ ଭେଟିଥିଲେ ବିଜେଡ଼ିର ପ୍ରତିନିଧି ମଣ୍ଡଳୀ। କିଛି ରାଜନୈତିକ ଦଳ ବି ଏହି ବିଲ କୁ ସମର୍ଥନ ଜଣାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନର ବିଜେଡି ୩୩ ପ୍ରତିଶତ ଲୋକସଭା ଟିକେଟ ଦେଇଥିବା ବେଳେ କିଛି ଜଣ ବି ଏବେ ପ୍ରତିନିଧିତ୍ଵ କରୁଛନ୍ତି। ତେଣୁ ଯଥାଶୀଘ୍ର ଏହି ବିଲକୁ ପାରିତ କରିବାକୁ ଦାବି କରିଛନ୍ତି ସସ୍ମିତ ପାତ୍ର।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ‘‘ଅନେକ ଜାଗାରେ ସେମାନେ ଫିଟ ଅଛନ୍ତି। ଦଳମାନେ ତାଙ୍କୁ ଦାୟିତ୍ୱ ଦେବାର ଆବଶ୍ୟକତା ରହିଛି କିନ୍ତୁ ତାଙ୍କୁ କୌଣସି ସଂରକ୍ଷଣ ଦେବା ସପକ୍ଷରେ ମୁଁ ନାହିଁ। ସେମାନେ ଯଦି ଆମଠୁ ଯୋଗ୍ୟ ତେବେ ପ୍ରତିଯୋଗିତା କରିକି ଆସନ୍ତୁ, ତାଙ୍କୁ କିଏ ମନା କରୁଛି। ସମାଜରେ ସମସ୍ତ କ୍ଷେତ୍ରରେ ମହିଳା ଆଗୁଆ ହେଲେଣି ତେବେ ପ୍ରତିଯୋଗିତା କରି ଆସନ୍ତୁ। ଯୋଉ ନିର୍ବାଚନ ମଣ୍ଡଳୀରେ ଯିଏ ଫିଟ ତାକୁ ପ୍ରାର୍ଥୀ ପଦ ଦିଆଯାଉ। ସାଧାରଣ ପାଇଁ ଏବେଠୁ ମଇଦାନ ପ୍ରସ୍ତୁତ ହେଲାଣି। ଗୋଟେ ପଟେ ସିଟ ଆକଳନ ଆରମ୍ଭ ହୋଇଥିବା ବେଳେ ଆଗୁଆ ନିର୍ବାଚନର ବି ସଂକେତ ମିଳୁଛି। ତେବେ ମହିଳା ଭୋଟ ସବୁବେଳେ ନିର୍ଣ୍ଣାୟକ ହେଉଥିବାରୁ ଭୋଟ ବ୍ୟାଙ୍କଙ୍କୁ ନିଜ ଆଡକୁ ନେବାକୁ ଯୋଜନା କରୁଛନ୍ତି ଶାସକ ଓ ବିରୋଧୀ।’’
ବିଗତ କିଛି ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡିକୁ ଶାସନ ଗାଦିରେ ବସାଇବାରେ ମହିଳାଙ୍କର ରହିଛି ପ୍ରମୁଖ ଭୂମିକା। ରାଜ୍ୟରେ ପ୍ରାୟ ୪୯ ପ୍ରତିଶତ ମହିଳା ଭୋଟର ଥିଲେ ବି ମତଦାନ ପ୍ରତିଶତ ପୁରୁଷ ଠୁ ରହିଛି ଢେର୍ ଆଗରେ। ନିକଟରେ ଶେଷ ହୋଇଥିବା ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ବି ମହିଳାଙ୍କ ମତଦାନ ପ୍ରତିଶତ ଅଧିକ। ୨୦୧୯ ସାଧାରଣ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପରେ ୭୦ ଜିଲ୍ଲା ପରିଷଦ ଆସନରେ ବି ମହିଳାଙ୍କୁ ବସାଇଛି ବିଜେଡି। ନିକଟରେ ଦୁଇ ଉପନିର୍ବାଚନର ବିଜେଡି ମହିଳା କାର୍ଡ ଖେଳିଛି। ସଂସଦରେ ମହିଳା ସଂରକ୍ଷଣ ବିଲ ଆଣିବାକୁ ଚାପ ପକାଉଛି ବିଜେଡି। ଏସଏଚଜି ହେଉଛି ବିଜେଡ଼ିର ଏକ ବଡ ଭୋଟ ବ୍ୟାଙ୍କ୍। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ମହିଳାଙ୍କୁ ନେଇ ବଡ଼ ଯୋଜନା କରିପାରେ ଶାସକ ଦଳ। ବିଜେଡିକୁ ଚେକ୍ ଦେବାକୁ ବିଜେପି ବି କରିପାରେ ବଡ଼ ପ୍ଲାନ। ଏହି ଭୋଟ ବ୍ୟାଙ୍କ୍ ଭାଙ୍ଗିବାକୁ ବିରୋଧୀ ବି ବଡ଼ ଯୋଜନା କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।