ନବୀନଙ୍କ କ୍ୟାବିନେଟରେ ମହିଳାଙ୍କୁ ମିଳିଛି ଗୁରୁ ଦାୟିତ୍ବ; ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ଲେଡି ମିନିଷ୍ଟର

ନବୀନଙ୍କ କ୍ୟାବିନେଟକୁ ଫେରିଛନ୍ତି ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ, ଉଷା ଦେବୀ। ପ୍ରମିଳା ଓ ଉଷାଙ୍କୁ କ୍ୟାବିନେଟକୁ ଫେରାଇ ଆଣି ଅଧିକ ଆସ୍ଥା ଦେଖାଇଛନ୍ତି ନବୀନ।

ନବୀନଙ୍କ କ୍ୟାବିନେଟରେ ମହିଳାଙ୍କୁ ମିଳିଛି ଗୁରୁ ଦାୟିତ୍ବ

ନବୀନଙ୍କ କ୍ୟାବିନେଟରେ ମହିଳାଙ୍କୁ ମିଳିଛି ଗୁରୁ ଦାୟିତ୍ବ

  • Share this:
News18 Odia Digital

ଭୁବନେଶ୍ବର: ନବୀନଙ୍କ କ୍ୟାବିନେଟରେ ମହିଳାଙ୍କୁ ଗୁରୁତ୍ବ। ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ଲେଡି ମିନିଷ୍ଟର। ସେଥିମଧ୍ୟରୁ ୩ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ଦୁଇ ଜଣ ହେଉଛନ୍ତି ରାଷ୍ଟ୍ରମନ୍ତ୍ରୀ। ସେପଟେ ଟିମରେ ୭ ଜଣ ଜୀବନରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଆଉ ୪ଟି ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଥିବା ବେଳେ ୧୨ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ। ଯାହା ଚର୍ଚ୍ଚା ହେଉଥିଲା ତାହା ହୋଇଛି। ନବୀନଙ୍କ କ୍ୟାବିନେଟରେ ମହିଳାଙ୍କୁ ମିଳିଛି ଗୁରୁ ଦାୟିତ୍ବ।

ପାଞ୍ଚ ଜଣ ମହିଳା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତିନି ଜଣ ମହିଳାଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ଦୁଇ ଜଣ ମହିଳାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ବ। ନବୀନଙ୍କ କ୍ୟାବିନେଟକୁ ଫେରିଛନ୍ତି ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ, ଉଷା ଦେବୀ। ପ୍ରମିଳା ଓ ଉଷାଙ୍କୁ କ୍ୟାବିନେଟକୁ ଫେରାଇ ଆଣି ଅଧିକ ଆସ୍ଥା ଦେଖାଇଛନ୍ତି ନବୀନ।

ସେହିପରି ଟୁକୁନି ସାହୁଙ୍କୁ ମଧ୍ୟ କ୍ୟାବିନେଟରେ ସ୍ଥାନ ଦେଇ ରିପିଟ୍ କରିଛନ୍ତି ନବୀନ। ସେପଟେ ରାଷ୍ଟ୍ରମନ୍ତ୍ରୀ ଭାବରେ ଦୁଇ ଜଣ ମହିଳାଙ୍କୁ ସୁଯୋଗ ମିଳିଛି। ବିଜେପୁର ବିଧାୟିକା ରୀତା ସାହୁ ଓ ମୟୂରଭଞ୍ଜ ବିଧାୟକା ବାସନ୍ତୀ ହେମ୍ବ୍ରମ ହୋଇଛନ୍ତି ରାଷ୍ଟ୍ରମନ୍ତ୍ରୀ।

ସେପଟେ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ନୂଆ ମୁହଁ। ମାନେ ଜୀବନରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ୭ ଜଣ ବିଧାୟକ। ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ପ୍ରଥମ ଥର ପାଇଁ କ୍ୟାବିନେଟରେ ସ୍ଥାନ ମିଳିଛି। ସେପଟେ ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର ହୋଇଛନ୍ତି ରାଷ୍ଟ୍ରମନ୍ତ୍ରୀ।

ସୁକିନ୍ଦା ବିଧାୟକ ବିଧାୟକ ପ୍ରୀତିରଞ୍ଜନ ଘଡାଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟକ ରୀତା ସାହୁ ଓ କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ତେବେ ଏଥର ୧୨ଟି ଜିଲ୍ଲାରୁ କେହି ଜଣେ ହେଲେ ବି ମନ୍ତ୍ରୀ ହୋଇନାହାଁନ୍ତି। ଭଦ୍ରକ, ଜଗତସିଂହପୁର, ନୟାଗଡ଼, ଅନୁଗୁଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଗଜପତି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି। ହେଲେ ୪ଟି ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ପ୍ରମୀଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେହିପରି ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରା ହୋଇଛନ୍ତି ମନ୍ତ୍ରୀ।

ଆଉ ଗଞ୍ଜାମ ଜିଲ୍ଲାରୁ ମନ୍ତ୍ରୀ ହୋଇଛନ୍ତି ଉଷା ଦେବୀ ଓ ଶ୍ରୀକାନ୍ତ ସାହୁ। ମନ୍ତ୍ରୀ ପଦ ପାଇବା ପରେ ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁରୁମନ୍ତ୍ର ନେଇଥିଲେ ମନ୍ତ୍ରୀ ସମୂହ। ମୁଖ୍ୟମନ୍ତ୍ରୀଙ୍କ ସହ ନୂଆ ଦାୟିତ୍ବ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ସାକ୍ଷାତ ପରେ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ପ୍ରମିଳା ମଳିକ କହିଥିଲେ, "ଏଣିକି ମୁଖ୍ୟମନ୍ତ୍ରୀ ୫-ଟି ସ୍ଥାନରେ ୬-ଟିକୁ ଗୁରୁତ୍ୱ ଦେଲେ। ଅଧିକ Tଟି ହେଲା tour। 'ମୋ ସରକାର' କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ ପରାମର୍ଶ ଦେଲେ। କାର୍ଯ୍ୟରେ ସ୍ଵଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଲେ।"
Published by:Lipina Das
First published: