ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜଙ୍ଗଲ ପ୍ରତି ମହିଳାମାନଙ୍କ ନିବିଡ ପ୍ରେମ; ଦିନସାରା ଜଗୁଛନ୍ତି ନିଜ ଗାଁ ଜଙ୍ଗଲ

ଜଙ୍ଗଲ ପ୍ରତି ମହିଳାମାନଙ୍କ ନିବିଡ ପ୍ରେମ; ଦିନସାରା ଜଗୁଛନ୍ତି ନିଜ ଗାଁ ଜଙ୍ଗଲ

ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳର ନୁଖୁରିପଦା ଗାଁର ମହିଳାମାନଙ୍କ ନିଆରା ପ୍ରୟାସ । ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ।

ଜଙ୍ଗଲ ପ୍ରତି ମହିଳାମାନଙ୍କ ନିବିଡ ପ୍ରେମ; ଦିନସାରା ଜଗୁଛନ୍ତି ନିଜ ଗାଁ ଜଙ୍ଗଲ
ଜଙ୍ଗଲ ପ୍ରତି ମହିଳାମାନଙ୍କ ନିବିଡ ପ୍ରେମ
  • News18 Odia
  • Last Updated: October 5, 2021, 2:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୋଳ: ଆମ ଜଙ୍ଗଲ ଆମର। ଆମେ ଏହାକୁ ଜଗିବୁ, ସୁରକ୍ଷା ଦେବୁ। ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁ ମାନଙ୍କୁ ମଧ୍ୟ ସୁରକ୍ଷା ଦେବୁ। ଯେତେ କଷ୍ଟ ହେଉ ପଛେ ଆମେ ଜଙ୍ଗଲ ସୁରକ୍ଷାରୁ ଓହରିବୁ ନାହିଁ। ଏମିତି ଶପଥ ନେଇଛନ୍ତି ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳର ନୁଖୁରିପଦା ଗାଁର ମହିଳା। ପୁରୁଷଙ୍କ ସହ କାନ୍ଧ ମିଶାଇ ଏବେ ଘରୁ ବାହାରିଛନ୍ତି ଗାଁର ୧୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ।

ଜଙ୍ଗଲ ଅଧିସୁତ ଏହି ଗାଁରେ ପ୍ରାୟ ୩୦୦ ପରିବାରର ୧,୫୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗତ ୨୦୦୮ରେ ଗାଁରେ ଗଠନ ହୋଇଥିଲା ବନ ସୁରକ୍ଷା ସମିତି। ହେଲେ ସମିତି କାର୍ଯ୍ୟକାରୀ ହେବା ପୂର୍ବରୁ ପଡୋଶୀ ଗାଁର ବନ ସୁରକ୍ଷା ସମିତି ସହ ମିଶ୍ରଣ କରି ଦିଆଗଲା। ଫଳରେ ଗାଁ ଜଙ୍ଗଲ ସୁରକ୍ଷା ସାଧିତ ହୋଇ ପାରିଲା ନାହିଁ। ଗାଁ ଲୋକେ ମଧ୍ୟ ଜଙ୍ଗଲର ଉନ୍ନତି ପାଇଁ ଆସୁଥିବା କୌଣସି ଅନୁଦାନ ପାଇ ପାରିଲେ ନାହିଁ।

ନିଜ ଗାଁ ଜଙ୍ଗଲ ହୋଇଥିଲେ ମଧ୍ୟ କାଠ, ବାଉଁଶ ଓ ଅନ୍ୟାନ୍ୟ କୌଣସି ଜଙ୍ଗଲଜାତ ଜିନିଷ ପାଇବାରୁ ବଞ୍ଚିତ ହେଲେ ସମସ୍ତେ। ଶିକାରୀ ଓ କାଠ ମାଫିଆ ଜଙ୍ଗଲ ଭିତରେ ରାଜ୍ ଚଳାଇଲେ। ଧୀରେ ଧୀରେ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଲା। ସେତେବେଳେ ବନ ବିଭାଗ ମଧ୍ୟ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ଗାଁ ଲୋକଙ୍କୁ ହସ୍ତାନ୍ତର କରିବାରେ ପାତର ଅନ୍ତର କଲେ। ତେଣୁ ଦୀର୍ଘ ୧୩ ବର୍ଷ ପରେ ଚେତିଲେ ଗାଁ ମହିଳା। ନିଜ ଗାଁ ଜଙ୍ଗଲକୁ ନିଜ କବଜାକୁ ଆଣି ସୁରକ୍ଷା ଦେବାକୁ ସ୍ଥିର କଲେ।

ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳର ନୁଖୁରିପଦା ଗାଁର ମହିଳାମାନେ ଜଗୁଛନ୍ତି ଜଙ୍ଗଲ


ଏଥି ପାଇଁ ପ୍ରଥମେ ଗାଁର ସବୁ ମହିଳା ଏକାଠି ହୋଇ ବୈଠକ କଲେ। ବୈଠକକୁ ବନ ଅଧିକାରୀ ମାନଙ୍କୁ ଡାକିଲେ। ସେମାନଙ୍କ ପାଇଁ ୨୦୦୮ରୁ କରାଯାଇଥିବା ବନ ସୁରକ୍ଷା ସମିତି ତୁରନ୍ତ କାର୍ଯ୍ୟକାରୀ କରିବା ସହ ଗାଁ ଜଙ୍ଗଲକୁ ଚିହ୍ନଟ କରି ସେମାନଙ୍କୁ ହସ୍ତାନ୍ତର କରିବାକୁ ଅଡ଼ି ବସିଲେ। ବନ ବିଭାଗ ମଧ୍ୟ ମହିଳା ମାନଙ୍କ ଜଙ୍ଗଲ ସୁରକ୍ଷା ପ୍ରତି ଥିବା ଆଗ୍ରହ ଓ ସେମାନଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ। ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଲେ। ତା ପରଠାରୁ ମହିଳା ମାନେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। କିଛିଦିନ ଶତାଧିକ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ଜଙ୍ଗଲକୁ ଗଲେ। ଦିନ ତମାମ ଜଙ୍ଗଲ ଚାରିପଟେ ପଇଁତରା ମାରିଲେ।

ଏହା ପରେ ବୈଠକ କରି ପାଳି ଅନୁସାରେ ଦୈନିକ ୭/୮ଜଣ ମହିଳା ଜଙ୍ଗଲ ଜଗିବାକୁ ସ୍ଥିର କଲେ । ସେହି ନିଷ୍ପତ୍ତି ଅନୁସାରେ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜଙ୍ଗଲ ଜଗି ଆସୁଛନ୍ତି। ପ୍ରତ୍ୟକ ଦିନ ୭ ରୁ ୮ ଜଣ ମହିଳା ଠେଙ୍ଗାବାଡ଼ି ଧରି ସକାଳୁ ସକାଳୁ ବାହାରି ପଡ଼ନ୍ତି ଜଙ୍ଗଲକୁ। ଦିନ ତମାମ ଜଗରଖା କରନ୍ତି। ଅପରାହ୍ନ ୪ଟାରେ ଘରକୁ ଫେରନ୍ତି। ଗାଁ ଠାରୁ ପ୍ରାୟ ୪କିମି ଦୂରରେ ଜଙ୍ଗଲ। ବୁଦୁବୁଦୁକିଆ ଜଙ୍ଗଲ ଓ ନିକାଞ୍ଚନ ରାସ୍ତା ଦେଇ ଚାଲି ଯିବାକୁ ପଡୁଛି ଏମାନଙ୍କୁ। ରାସ୍ତାରେ ଦିନ ଦି ପ୍ରହରରେ ହାତୀଙ୍କ ଚଳପ୍ରଚଳ। ଜୀବନ ପ୍ରତି ରହିଛି ବିପଦ। ତଥାପି ଖାତିରି ନକରି ମହିଳା ମାନେ ଜଙ୍ଗଲ ସୁରକ୍ଷା ପାଇଁ ଯାଉଛନ୍ତି। ସତେ ଯେମିତି ଏହି ମହିଳାମାନଙ୍କ ପାଇଁ ଜଙ୍ଗଲ ପାଲଟି ଯାଇଛି ସାଥି। ଜଙ୍ଗଲ ସୁରକ୍ଷା ପାଇଁ ଗାଁର ମହିଳାମାନଙ୍କ ଏଭଳି ଆଗ୍ରହ ଦେଖି ଏବେ ପୁରୁଷ ମାନେ ସେମାନଙ୍କ ସହ ସାମିଲ ହୋଇ ହୋଇଛନ୍ତି ।

ନିଜ ଗାଁ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳାମାନେ


ମହିଳା ମାନଙ୍କ ପ୍ରତ୍ୟକଟି କାମରେ ସହଯୋଗ କରୁଛନ୍ତି ପୁରୁଷମାନେ। ଜଙ୍ଗଲ ସୁରକ୍ଷା ହେଲେ ସେମାନେ ବହୁତ କିଛି ଉପକାର ପାଇବେ। ଆବଶ୍ୟକ କାଠ, ବାଉଁଶ ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଜିନିଷ ପାଇ ପାରିବେ। ପରିବେଶ ସନ୍ତୁଳିତ ରହିବ। ସବୁଠାରୁ ବଡ଼ କଥା ହେଉଛି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲର ଉନ୍ନତି ପାଇଁ ବନ ବିଭାଗ ତରଫରୁ ବ୍ୟାପକ ଆର୍ଥିକ ଅନୁଦାନ ମିଳୁଛି। ଲୋକଙ୍କୁ କାମ ଧନ୍ଦା ଯୋଗାଇ ଦିଆ ଯାଉଛି। ଯାହାକି ଏହି ଗାଁ ଲୋକଙ୍କୁ ମିଳି ପାରିବ। ସେମାନଙ୍କର ଆର୍ଥିକ ଉନ୍ନତି ହେବ। ଲୋକେ ଆଉ କାମ ଖୋଜିବାକୁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏକଥାକୁ ଭଲ ଭାବେ ବୁଝି ପାରିଛନ୍ତି ଗ୍ରାମବାସୀ। ତେଣୁ ନିଜ ଜଙ୍ଗଲକୁ ନିଜେ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ନୁଖୁରିପଦା ଗାଁର ମହିଳାମାନେ ଜଙ୍ଗଲ ସୁରକ୍ଷା ପାଇଁ ଯେଉଁ ଶପଥ କରିଛନ୍ତି ତାହା ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ମୁଗ୍ଧ କରି ପାରିଛି। ମହିଳାମାନଙ୍କ ଏହି ମହାନ ଉଦେଶ୍ୟ ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇ ପାରିବ।

“ଜଙ୍ଗଲ ଆମର। କିନ୍ତୁ ଆମେ କାଠ, ବାଉଁଶ ଖଣ୍ଡେ ପାଇ ପାରୁନୁ। ଜଙ୍ଗଲ ବିଭାଗର ବହୁତ ଅନୁଦାନ ଆସୁଛି ହେଲେ ଆମେ କିଛି ପାଉନୁ। ତେଣୁ ଆମେ ନିଷ୍ପତ୍ତି ନେଲୁ ଯାହା ହେଉ ପଛେ ଆମ ଜଙ୍ଗଲକୁ ଆମେ ସୁରକ୍ଷା ଦେବୁ,’’ କହିଛନ୍ତି ଗାଁର ସୋମବାରି ସାହୁ।

ଗାଁର ସୁନିତା ସାହୁ କହିଛନ୍ତି, “ଆମେ ସବୁ ମହିଳା ମିଶି ନିଷ୍ପତ୍ତି ନେଲୁ ଯେତେ ଝଡ଼ ଝଞ୍ଜା ଆସୁ ପଛେ ଆମ ଜଙ୍ଗଲକୁ ଆମେ ଜଗିବୁ। ସେଥି ପାଇଁ ପ୍ରତ୍ୟେକ ଦିନ ଆମେ ଠେଙ୍ଗା ପାଳି କରି ୭/୮ଜଣ ଲେଖାଏଁ ମହିଳା ଯାଉଛୁ। ଜଙ୍ଗଲ ତଦାରଖ କରୁଛୁ।’’

“ନୁଖୁରିପଦା ଗାଁର ମହିଳା ମାନଙ୍କ ଜଙ୍ଗଲ ସୁରକ୍ଷା ପାଇଁ ଥିବା ଆଗ୍ରହ ମୋତେ ବହୁତ ପ୍ରଭାବିତ କରିଛି। ମୁଁ ନିଜେ ସେମାନଙ୍କ ବୈଠକକୁ ଯାଇଛି। ଯଥାଶୀଘ୍ର ସେହି ଗାଁରେ ବନ ସୁରକ୍ଷା ସମିତି କାର୍ଯ୍ୟକାରୀ ହେବ ଓ କେବକ ମହିଳା ମାନେ ହିଁ ସମିତିର କର୍ମକର୍ତ୍ତା ରହିବେ,’’ କହିଛନ୍ତି ବନ୍ତଳା ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାଏକ।
Published by: Lipina Das
First published: October 5, 2021, 2:00 PM IST